ରାଧାନାଥ ସାହିତ୍ୟ ପରିଷଦ ପକ୍ଷରୁ କବିବରଙ୍କ ୧୧୪ତମ ଶ୍ରାଦ୍ଧୋତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା) :-‘ରାଧାନାଥ ସାହିତ୍ୟ ପରିଷଦ’ପକ୍ଷରୁ କବିବରଙ୍କ ୧୧୪ତମ ଶ୍ରାଦ୍ଧୋତ୍ସବ ବଟେଶ୍ୱର ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟରେ ରବିବାର ଅନୁଷ୍ଠିତ ହୋଇଯାଇଛି । ପରଷଦର ସଭାପତି ରେବତୀ ପତ୍ରିକାର ସମ୍ପାଦିକା ସୁବାସିନୀ ଜେନା ଏଥିରେ ସଭାପତିତ୍ୱ କରିଥିଲେ । ସାହିତ୍ୟିକା ଅରୁଣା ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ କବିବରଙ୍କ ବିଚକ୍ଷଣ ପ୍ରତିଭା ଓ ନମ୍ରତା ଗୁଣର ବର୍ଣ୍ଣନା ସହ ଫକୀରମୋହନ, ଗଙ୍ଗାଧର ଓ ମାନସିଂହଙ୍କ କବିତାରେ ପ୍ରତିଫଳିତ ତାଙ୍କର ପ୍ରଶଂସା ସମ୍ପର୍କରେ ଆଲୋକପାତ କରିଥିଲେ । ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଦେବାଶିଷ ପାତ୍ର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଧାନାଥଙ୍କୁ ପ୍ରଥମ ଜାତୀୟତାବଦୀ କବି ଭାବେ ଅଭିହିତ କରିବା ସହିତ କବିବରଙ୍କ ସାହିତ୍ୟାକୃତିର ସକରାତ୍ମକ ଦିଗ ଉପରେ ଆଲୋଚନା କରିଥିଲେ । ବିଶିଷ୍ଟ ବକ୍ତା ଡ.ମନ୍ମଥ କୁମାର ପ୍ରଧାନ ରାଧାନାଥଙ୍କ ଚିଳିକା, ଚନ୍ଦ୍ରଭାଗା ଓ ମହାଯାତ୍ରା ଆଦି କାବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପରିଷଦର ସମ୍ପାଦକ ଅଧ୍ୟାପକ କମଳାକାନ୍ତ ଦାଶ ବିବରଣୀ ଉପସ୍ଥାପନ ସହ ଓଡ଼ିଆ ଜାତି ଅସ୍ମିତା ସୁରକ୍ଷା ତଥଶ ସମୃଦ୍ଧିରେ ଯୁଗ ପୁରୁଷମାନଙ୍କ ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ । ଯୁଗ-ସମ୍ପାଦକ ପଣ୍ଡିତ ସଂଜୟ କୁମାର ପଣ୍ଡା ଅତିଥି ପରିଚୟ ଦେଇଥିଲେ । ସଭାପତି ସୁବାସିନୀ ଜେନା ସମସ୍ତଙ୍କ ଚେଷ୍ଟାରେ ରାଧାନାଥଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ କବିବରଙ୍କ ଜୀବନାଦର୍ଶ ତଥା କବିତ୍ୱକୁ ନେଇ ଆଲୋଚନାଚକ୍ର ଆୟୋଜନ ସମ୍ପର୍କିତ ପ୍ରସ୍ତାବକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଶେଷରେ ଇଂ. ହୃଷୀକେଶ ସାହୁ ଧନ୍ୟବଦ ଅର୍ପଣ କରିଥିଲେ ।


