ରାଧା ପାଦ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
ହିଞ୍ଜିଳିକାଟୁ, ଯୁଗାବ୍ଦ ନ୍ୟୁଜ(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ କାର୍ତିକ ମାସ ତମାମ ଭକ୍ତ ମାନଙ୍କ ଭିଡ଼ ଲାଗି ରହୁଛି । ସୋମବାର ଗୋଷ୍ଟମୀରେ ଗୋପୂଜନ ଓ ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କ ମିଶ୍ରିତ ହରିହର ବେଶ ଦର୍ଶନ ପାଇଁ ଭିଡ଼ ଲାଗି ରହିଥିବା ବେଳେ ମଙ୍ଗଳବାର ପ୍ରତ୍ୟୁଷରୁ ରାଧାଦାମୋଦର ବେଶ ଏବଂ ପରେ ପରେ ଅଂଳା ବେଶ ଦର୍ଶନ ପାଇଁ ଗହଳ ଚହଳ ଲାଗି ରହିଥିଲା । ବିଶେଷତଃ ମନ୍ଦିର ବେଢାରେ ବିରାଜିତ ଶ୍ରୀରାଧାଦାମୋଦର ମନ୍ଦିରରେ ଓଡ଼ିଆଣୀବେଶୀ ଶ୍ରୀରାଧାଙ୍କ ପାଦ ଦର୍ଶନ ପାଇଁ ସନ୍ଧ୍ୟାରେ ଭକ୍ତ ମାନଙ୍କ ଅସମ୍ଭବ ଭିଡ଼ ରହିଥିଲା । ୧୦୮ ଆଳତି ଦର୍ଶନ ପରେ ପରେ ପାରମ୍ପରିକ ରୀତି ନୀତି ଓ ପୂଜାର୍ଚ୍ଚନା କରାଯାଇ ଶ୍ରୀରାଧାଙ୍କ ବର୍ଷତମାମ ଢାଙ୍କି ହୋଇ ରହିଥିବା ପାଦ ଦ୍ୱୟକୁ ଉନ୍ମକ୍ତ କରାଯାଇଥିଲା । ଅଂଳା ନବମୀ ଉପଲକ୍ଷେ ହିଞ୍ଜିଳିକାଟୁ ପୌରାଂଚଳ ସମତେ ନିକଟବର୍ତି ଗ୍ରାମାଂଚଳର ମହିଳା ମାନେ ବୃନ୍ଦାବତୀ ମୂଳେ ସମବେତ ହୋଇ ଅଂଳା ବୃକ୍ଷକୁ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଥିଲା ।