ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମୀକ୍ଷା ବୈଠକ ଅନୁଷ୍ଠିତ

କଟକ,(ଓ୍ବାଇଏନଏସ): ଆସନ୍ତା ଅଗଷ୍ଟ ୩ ତାରିଖରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତ ପରିପ୍ରେକ୍ଷୀରେ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୩ ତାରିଖରେ ମାନ୍ୟବର ରାଷ୍ଟ୍ରପତି ବାଆଁରାସ୍ଥିତ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଶୁଭ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ କାର୍ଯ୍ୟକ୍ରମର ନୋଡାଲ ଅଫିସର ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ କମଲଜିତ୍ ଦାସଙ୍କୁ ନିଯୁକ୍ତ କରାଯାଇଛି । ଗସ୍ତକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇବା ପାଇଁ ସମ୍ପୃକ୍ତ ବିଭାଗମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ପରିଚାଳନା, ପରିମଳ ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ୍ ଯୋଗାଣ, ସ୍ୱାସ୍ଥ୍ୟସେବା, ଅଗ୍ନିଶମ ସେବା, ଜରୁରୀକାଳୀନ ସହାୟତା ସମେତ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ବିଭାଗୱାରୀ ସମୀକ୍ଷା କରାଯାଇଥିଲା । ଆସନ୍ତା ୩ ଅଗଷ୍ଟରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତ ଏବଂ ବାଆଁରାସ୍ଥିତ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ଯୁଗ୍ମ ଆଡଭାନ୍ସ ସିକ୍ୟୁରିଟି ଲିଆଇଜନ୍ (Joint Advance Security Liaison–ASL) ବୈଠକ ଏବଂ ସ୍ଥଳ ପରିଦର୍ଶନ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏଥିସହ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରୱାଲ ଏବଂ ଓଡ଼ିଶା ପୁଲିସ ସୁରକ୍ଷା ଶାଖାର ପୁଲିସ ଅଧୀକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ନାୟକ ଓ ସବସିଡିଆରି ଇଣ୍ଟେଲିଜେନ୍ସ ବ୍ୟୁରୋ (SIB)-ର ସହକାରୀ ନିର୍ଦ୍ଦେଶକ ପାହ୍ୟାର ଜଣେ ଅଧିକାରୀଙ୍କ ନେତୃତ୍ୱରେ ଯୁଗ୍ମ ଆଡଭାନ୍ସ ସିକ୍ୟୁରିଟି ଲିଆଜନ୍ (Joint Advance Security Liaison–ASL) ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଟକ ଜିଲ୍ଲା ପ୍ରଶାସନ, ଓଡ଼ିଶା ପୁଲିସ ଏବଂ ବିଭିନ୍ନ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ବୈଠକ ପରେ ଯୁଗ୍ମ ASL ଦଳ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ପରିସର ସମେତ ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ସହ ସମ୍ପୃକ୍ତ ସମସ୍ତ ସ୍ଥାନର ବିସ୍ତୃତ ପରିଦର୍ଶନ କରିଥିଲେ। ସୁରକ୍ଷା ବ୍ୟବସ୍ଥା, ଯାତାୟାତ ପରିଚାଳନା, ରୁଟ୍ ଲାଇନିଂ, ବ୍ୟାରିକେଡିଂ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ, ଯୋଗାଯୋଗ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ପରିଦର୍ଶନ ସମୟରେ ବିଭିନ୍ନ ବିଭାଗକୁ ଆବଶ୍ୟକୀୟ ପରାମର୍ଶ ଓ ନିର୍ଦ୍ଦେଶ ପ୍ରଦାନ କରାଯାଇଥିବା ବେଳେ ସମସ୍ତ ପ୍ରସ୍ତୁତିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟିମୁକ୍ତ ଭାବେ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଥିଲା। ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ୩ ତାରିଖ ସୋମବାର ଦିନ ଅପରାହ୍ନ ୩ ଘଟିକା ୫୦ ମିନିଟ ଠାରୁ ଅପରାହ୍ନ ୪ ଘଟିକା ୫୦ ମିନିଟ ଏବଂ ସନ୍ଧ୍ୟା ୫ ଘଟିକା ୫୦ ମିନୀତରୁ ୬ ଘଟିକା ୫୦ ମିନିଟ ପର୍ଯ୍ୟନ୍ତ କଟକ ଜିଲ୍ଲାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ – ବାରଙ୍ଗ – ବାରଙ୍ଗ ଅଫିସ ଛକ – ଗୋଡି ସାହି – ଭାରତ ମସଲା ଛକ – ସିଆଇଏସଏଫ ମୁଣ୍ଡୁଳି – ରାମଚଣ୍ଡୀ( ବାଆଁରା ) – ଜଗଦ୍‌ଗୁରୁ କୃପାଳୁ ମହାରାଜ ବିଶ୍ୱବିଦ୍ୟାଳୟ, ରାସ୍ତାରେ କୌଣସି ପ୍ରକାରର ଯାନବାହାନ ଚଳାଚଳ ବନ୍ଦ ରହିବା ସହ ଏହାକୁ ସଂଯୋଗ କରୁଥିବା ରାସ୍ତାରୁ ଏହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ। ଏଥିସହ ସେହିଦିନ ଭୁବନେଶ୍ବର/ଖୋର୍ଦ୍ଧା ପାର୍ଶ୍ୱରୁ ଆସୁଥିବା ଭାରି ଯାନ ଏବଂ କଟକ ପାର୍ଶ୍ୱ/ ବାଲିକୁଦା ଚକରୁ ଭୁବନେଶ୍ବର/ ପିତାପଲ୍ଲୀ ଆଡକୁ ଆସୁଥିବା ଭାରି ଯାନ ଗୁଡିକ ଏହି ସମୟ ଅବଧି ମଧ୍ୟରେ ଚଳାଚଳ କରିବାକୁ ଅନୁମତି ଦିଆଯିବ ନାହିଁ । ଏହି କଟକଣା ଜରୁରୀକାଳିନ ସେବାରେ ନିୟୋଜିତ ଯାନବାହନ ଚଳାଚଳ ନିମନ୍ତେ ଲାଗୁ ହେବ ନାହିଁ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ