ସ୍ତ୍ରୀର ମାନ୍ୟତା ଦାବି କରି ଶାଶୁଘର ସମ୍ମୁଖରେ ବିଧବା ଗର୍ଭବତୀ ମହିଳାଙ୍କ ଧାରଣା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନନ୍ଦିକ ଗ୍ରାମରେ ଶୁକ୍ରବାର ରାତିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସାମାଜିକ ନ୍ୟାୟ ଓ ସ୍ତ୍ରୀ ‘ର ମାନ୍ୟତା ଦାବିରେ ଶୁକ୍ରବାର ଶାଶୁଘର ଆଗରେ ଵିଧବା ଗର୍ଭବତୀ ମହିଳାଙ୍କ ଦୁଇବର୍ଷର ପୁଅକୁ ସାଥିରେ ଧରି ଧାରଣା ଦେଇଛନ୍ତି ବିଧବା ଗର୍ଭବତୀ ମହିଳା। ବୋହୂକୁ ଘରେ ରଖିବା ତ ଦୂରର କଥା ଦୁଆର ମୁହଁରେ ବସିବାକୁ ଦେଉନାହାନ୍ତି ଶାଶୂଘର ।ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ଥାନାକୁ ଆଣି ଉଭୟ ପରିବାର ମଧ୍ୟରେ ଆପୋଷ ବୁଝାମଣା କରାଇବାକୁ ଉଦ୍ୟମ କରିଛି। ଖବରରୁ ପ୍ରକାଶ ହିଞ୍ଜିଳି ଥାନା ଅନ୍ତର୍ଗତ ନନ୍ଦିକ ଗ୍ରାମର ସୁନିଲ ପ୍ରଧାନଙ୍କ ସହ ନିଜ ଘର ସାମ୍ନାରେ ରହୁଥିବା ପୁଷ୍ପାଞ୍ଜଳି ବେହେରାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ୨୦୨୩ ମସିହାରେ ଉଭୟେ ବିବାହ କରିଥିଲେ । ଉଭୟଙ୍କ ଜାତି ଅଲଗା ହୋଇଥିବାରୁ ଉଭୟ ପରିବାର ସେମାନଙ୍କର ବିବାହକୁ ସ୍ବୀକୃତି ପ୍ରଦାନ କରିନଥିଲେ। ପରିଶେଷରେ ବାଧ୍ୟହୋଇ ଦୁହେଁ ସୁରତ ଚାଲିଯାଇଥିଲେ। ସୁରତରେ ସୁନିଲଙ୍କ ମଙ୍ଗଳବାର ମୃତ୍ୟୁ ବରଣ କରିଥିଲେ। ଅନ୍ୟ ଉପାୟ ନପାଇ ଗର୍ଭବତୀ ବିଧବା ମହିଳା ପୁଷ୍ପାଞ୍ଜଳି ଦୁଇବର୍ଷର ପୁଅକୁ ଧରି ସୁରଥରୁ ଆସି ଶୁକ୍ରବାର ଅପରାହ୍ନରେ ନନ୍ଦିକ ଗ୍ରାମରେ ପହଞ୍ଚି ଶଶୁର ଘର ସମ୍ମୁଖରେ ପହଞ୍ଚିଥିଲେ । ଜାତି ପ୍ରଥା ଯୋଗୁଁ ଶାଶୁଘର କିମ୍ବା ବାପାଘର ପରିବାର ପୁଷ୍ପାଞ୍ଜଳିଙ୍କୁ ଗ୍ରହଣ କରିନଥିଲେ। ସାମାଜିକ ସ୍ବୀକୃତି ଦାଵି ସହ ପୁଅକୁ ମାନ୍ୟତା ଦାବି କରି ଶଶୁର ଘର ଆଗରେ ବିଧବା ଗର୍ଭବତୀ ବୋହୁ ପୁଷ୍ପାଞ୍ଜଳି ଧାରଣାରେ ବସିଥିଲେ। ଖବରପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁଷ୍ପାଞ୍ଜଳି ଙ୍କୁ ଉଦ୍ଧାର କରି ହିଞ୍ଜିଳି ଥାନାକୁ ଆଣିଛି ଓ ଉଭୟ ପରିବାରଙ୍କୁ ଡାକି ଆପୋଷ ବୁଝାମଣା କରାଇବାକୁ ଉଦ୍ୟମ କରିଛି।ଖବର ଲେଖାଯିବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇନଥିବା ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି, ଗତ ମଇ ମାସ ୫ ତାରିଖରେ ସାମାଜିକ ସ୍ବୀକୃତି ଓ ସ୍ତ୍ରୀ ଅଧିକାର ପାଇଁ ଦାବି କରି ହିଞ୍ଜିଳି ଥାନା ଖରିଡା ଗାଁ’ରେ ସ୍ବାମୀ ଘର ଆଗରେ ଧାରଣା ଦେଇଥିବା ପୂଜା ସ୍ଵାଇଁଙ୍କୁ ମଇ ମାସ ୬ ତାରିଖ ଦିନ ଧାରଣାରତ ମହିଳାଙ୍କୁ ତାଙ୍କ ୨ ବର୍ଷର ଝିଅ ସମ୍ମୁଖରେ ଦିଅର ଟାଙ୍ଗିଆ ସହାୟତାରେ ବିଭତ୍ସ ହତ୍ୟା କରିଥିଲା।


