ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ ଯବାନଙ୍କ ଶେଷ କୃତ୍ୟ ସଂପନ୍ନ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଗଳଦାରୀ ଗ୍ରାମ ପଂଚାୟତ ଏରେଡା ଗ୍ରାମର ସୁଯୋଗ୍ୟ ସନ୍ତାନ ନିର୍ମଳ ଚନ୍ଦ୍ର ଦାସ ଭାରତୀୟ ପ୍ରାଦେଶିକ ସେନାରେ କାର୍ଯ୍ୟାରତ ଥିଲେ । ସେ କଲେଇକୁଣ୍ଡା ଏୟାରବେଶ ପଶ୍ଚିମବଙ୍ଗରେ କାର୍ଯ୍ୟରତ ଥିବା ସମୟରେ ୩ ମାସ ହେବ କର୍କଟ ରୋଗରେ ପିଡିତ ଥିଲେ । କର୍କଟ ରୋଗ ଜଣାପଡିବା ପରେ ସେ ପଶ୍ଚିମବଙ୍ଗର କମାଣ୍ଡାଂଟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ୭ ସେପ୍ଟେମ୍ବରରେ ୨୦୨୦ରେ ତାଙ୍କର ବିୟୋଗ ଘଟିଥିଲା । ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।ବୁଧବାର ତାଙ୍କ ମର ଶରୀର ଜନ୍ମ ମାଟିରେ ପହଂଚିବା ପରେ ଗ୍ରାମବାସୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରାରେ ମର ଶରୀରକୁ ନିଜ ବାସ ଗୃହକୁ ନିଆଯାଇଥିଲା । ତାଙ୍କ ସହିତ ପ୍ରାଦେଶିକ ସେନା ପକ୍ଷରୁ ଆସିଥିବା ନାୟବ ସୁବେଦାର ନିହାର ରଂଜନ ରାଉତ,ନାୟକ ଶ୍ରୀଧର ରାଉତ,ସିପାହୀ ବିଶ୍ୱଜିତ କୁମାର,ସିପାହୀ ଡିକ୍ରାନ୍ତ ରାମ,ଏୟାର ଫୋର୍ସ ଏସିପ ଏସ କେ ନାୟକ ପ୍ରମୁଖ ମର ଶରୀରେ ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ । ପରିବାର ଓ ଗ୍ରାମବାସି ମାନେ ତାଙ୍କର ଶେଷ ଦର୍ଶନ କରିବା ପରେ ମର ଶରୀରକୁ ଗାଁ ଶ୍ମଶାନ ଅଭିମୁଖେ ନିଆଯାଇଥିଲା । ନିର୍ମଳ ଦାସ ଅମର ରହେ ଧ୍ୱନୀ ରେ ଗାଁ ମାଟି ପ୍ରକମ୍ପିତ ହୋଇ ଉଠିଥିଲା ।ନିର୍ମଳଙ୍କ ପରିବାରରେ ଧର୍ମ ପତ୍ନୀଙ୍କ ସମେତ ଗୋଟିଏ ଝିଅ ଶୁଭ୍ରଜ୍ୟୋତି(୧୬),୨ ପୁଅ ଶୁଭ୍ରାଂଶୁ (୧୩),ପ୍ରିୟାଂଶୁ(୧୦)ଅଛନ୍ତି । ଗାଁ ଶ୍ମଶାନରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପନ କରାଯାଇଥିଲା , ଜ୍ୟେଷ୍ଠ ପୁତ୍ର ଶୁଭ୍ରାଂଶୁ ମୁଖାଗ୍ନି ଦେଇଥିଲେ ।