ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ବିଜୟା ଦଶମୀ ଉତ୍ସବ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସରସ୍ୱତୀ ଶିଶୁମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସିସିଡି ସ୍ୱେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ଏ. ଜଗନ୍ନାଥ ରାଜୁ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ ପଣ୍ଡା ଯୋଗଦେଇଥିବା ବେଳେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ଜିଲ୍ଲା କାର୍ଯ୍ୟବାହ ଗୌରାଙ୍ଗ ଚରଣ ପାଣିଗ୍ରାହୀ ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥି ଶ୍ରାରାଜୁ ଦୃଷ୍ଟ ଶକ୍ତିକୁ ଦମନ କଲାପରେ ବିଜୟାଦଶମୀ ପାଳନ କରାଯାଇଥାଏ । ବର୍ତ୍ତମାନ ଆମ ଦେଶର ସଂସ୍କୃତି ଓ ଧର୍ମକୁ ବଜାୟ ରଖିବା ନିମନ୍ତେ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ । ମୁଖ୍ୟବକ୍ତା ଶ୍ରୀ ପଣ୍ଡା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ବର୍ଷରେ ୬ଟି ପର୍ବ ପାଳନ କରାଯାଉଛି । ପ୍ରତ୍ୟେକ ଉତ୍ସବ ନିଜର ଏକ ସ୍ୱତନ୍ତ୍ରବାର୍ତ୍ତା ବହନ କରୁଛି । ରାଷ୍ଟ୍ରୀୟ ଚରିତ୍ର, ସଂସ୍କୃତି ଓ ବିକାଶର ବାର୍ତ୍ତା ବହନ କରିବାର ଲକ୍ଷ୍ୟ ରଖି ରଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତିଷ୍ଠା ୧୯୨୫ ମସିହାରେ ହୋଇଥିଲା । ଆମଦେଶର ଅଖଣ୍ଡାତାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି । ଆମଦେଶର ବିକାଶ ହେଉଛି ତାହାସହ ରାଷ୍ଟ୍ର ବିରୋଧି ତତ୍ତ୍ୱଙ୍କ ଦ୍ୱାରା ଆହ୍ୱାନ ସୃଷ୍ଟି ହେଉଛି । ଆତ୍ମ ସୁରକ୍ଷା, ସମାଜ ସୁରକ୍ଷା ଓ ରାଷ୍ଟ୍ର ସୁରକ୍ଷା ହେଉଛି ପ୍ରତ୍ୟେକ ଦେଶବାସୀଙ୍କ ଧର୍ମ ଅଟେ ବୋଲି ମଞ୍ଚାସୀନ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହନ୍ତ ରାମାନନ୍ଦ ଦାସ, ଅନାଦୀ ଚରଣ ପାଣିଗ୍ରାହୀଙ୍କ ସମେତ ବହୁ ସ୍ୱୟଂସେବକ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।


