ରାସ୍ତାମରାମତି ପାଇଁ ବିଜେପିର ଦାବିପତ୍ର
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଧିନ ପୂର୍ତ୍ତବିଭାଗର ତିନିଗୋଟି ରାସ୍ତାକୁ ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ଆଜି ବିଜେପି ପକ୍ଷରୁ ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ୧୬ନଂ ଜାତୀୟ ରାଜପଥର ଛତାବର ଠାରୁ ଭାୟା ମଞ୍ଜୁରୀରୋଡ ହୋଇ ଛଞ୍ଚିଣା ଯାଏଁ ଯାଇଥିବା ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ପୂର୍ବରୁ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ହାତରେ ଥିବାବେଳେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଏହାକୁ ନବୀକରଣ କରାଯାଇଥିଲା । ହେଲେ କାମ ସରିବାର ଅଳ୍ପ କେତେମାସ ପରେ ରାସ୍ତାରୁ ପିଚ ଓ ମେଣ୍ଟାଲ ମୋରମ ଉଠି ଖାଲଖମା ସୃଷ୍ଟି ହୋଇଥିଲା । ଠିକ ଏହି ସମୟରେ ସରକାର ଏହାକୁ ପୂର୍ତ୍ତବିଭାଗ ହାତକୁ ଟେକିଦେଇଥିଲେ । ରାସ୍ତା ଦାୟିତ୍ୱ ନେବାର ଇତିମଧ୍ୟରେ ଦୁଇବର୍ଷ ବିତିଯାଇଥିଲେ ସୁଦ୍ଧା ପୂର୍ତ୍ତ ବିଭାଗ କେବଳ କିଛି ରକ୍ଷାଣାବେକ୍ଷଣ ବାବଦୀୟ ମରାମତି କାର୍ଯ୍ୟ କରିଛି । କିନ୍ତୁ ରାସ୍ତାକୁ ସମ୍ପୂର୍ଣ୍ଣ ଭାବରେ କଂକ୍ରିଟ କରଣ କରିବା ପାଇଁ ସରକାର ଏଯାଏଁ ତତ୍ପରତା ପ୍ରକାଶ କରିନାହିଁ । ଯଦିଓ ଏବାବଦୀୟ ଏସଟିମେଣ୍ଟ ବିଭାଗ ପ୍ରସ୍ତୁତ କରି ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟକୁ ପଠାଇସାରିଛି । ତେଣୁ ଲୋକଙ୍କ ଯାତାୟତ ସୁବିଧା ଦୃଷ୍ଟିରୁ ରାସ୍ତା ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ବିଜେପି ଦାବି କରିଛି । ସେହିଭଳି ଛତାବର-ବଳିଘାଇ ରାସ୍ତାର ମରାମତି ଓ ପାଳଦା ମଣିନାଥପୁର ରାସ୍ତାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ମଧ୍ୟ ଦାବି ହୋଇଛି । ବିଜେପି ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଗିରିଶ ଚନ୍ଦ୍ର ସାମଲ, ବିଶିକେଶନ ବାରିକ, ପ୍ରକାଶ ମହାପାତ୍ର ପ୍ରମୁଖ ଏ ସମ୍ବନ୍ଧୀୟ ଦାବିପତ୍ର ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ସିଂଙ୍କୁ ପ୍ରଦାନ କରିଛନ୍ତି ।