ରାସ୍ତାରେ ଜମି ରହୁଛି ଆଣ୍ଠୁଏ ପାଣି : ଜନପ୍ରତିନିଧିଙ୍କ ଇଛାଶକ୍ତିର ଅଭାବ ନା ପ୍ରଶାସନର ଦାୟିତ୍ୱହୀନତା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଓଷକଣା ପଂଚାୟତସ୍ଥିତ ଭଟଣା (ପୁରୁଣା ଭଟଣା)ଗାଁରେ ସାମାନ୍ୟ ବର୍ଷା ହେଲେ ଗାଁର ମୁଖ୍ୟରାସ୍ତାରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି । କେତେକ ବ୍ୟକ୍ତି ରାସ୍ତାର ଉଭୟ ପାଶ୍ୱର୍ରେ ବାଡ ବନ୍ଦୀ କରିଥିବାରୁ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଉପରେ ଜମି ରହୁଛି । ରାସ୍ତାରେ ଦୀର୍ଘଦିନ ପାଣି ଜମି ରହିବା ଯୋଗୁ ପାଣି ନଷ୍ଟ ହୋଇ ସେଠାରୁ ଦୁର୍ଗନ୍ଧ ବାହାରୁଛି । ଏହି ରାସ୍ତାରେ ପ୍ରତଦିନ ଗାଁର ବୃଦ୍ଧବୃଦ୍ଧା, ସ୍କୁଲ ପିଲା, ଅଙ୍ଗନୱାଡି ପିଲାମାନେ ଚାଲି ଚାଲି ଯାଉଥିବା ବେଳେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାକୁ ଉଚ୍ଚା କରିବା ସହିତ ରାସ୍ତା ପାଶ୍ୱର୍ରେ ଡ୍ରେନେଜ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଜନପ୍ରତିନିଧି ଓ ବ୍ଲକ ପ୍ରଶାସନକୁ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଯାହାଫଳରେ ଗାଁର ବୃଦ୍ଧବୃଦ୍ଧା, ସ୍କୁଲ ଛାତ୍ରଛାତ୍ରୀ, ଅଙ୍ଗନୱାଡି କେନ୍ଦ୍ରର ପିଲାମାନେ ବାଧ୍ୟ ହୋଇ ଏହି ଅପରିଷ୍କାର ହୋଇଥିବା ଆଣ୍ଠୁଏ ପାଣିରେ ପଶି ଯାତାୟତ କରୁଛନ୍ତି । ଏହି ଅପରିଷ୍କାର ପାଣିରେ ଯାତାୟତ କରିବା ଦ୍ୱାରା ନାନା ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ରହିଛି । ଏହି ରାସ୍ତାରୁ ବର୍ଷା ପାଣି ନିଷ୍କାସନ କରାଯିବା ପାଇଁ ଜନପ୍ରତିନିଧିଙ୍କ ଇଛାଶକ୍ତିର ଅଭାବ ନା ପ୍ରଶାସନର ଦାୟିତ୍ୱହୀନତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଗାଁ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉକ୍ତ ରାସ୍ତାରୁ ବର୍ଷା ପାଣି ନିଷ୍କାସନ କରାଯିବା ପାଇଁ ରାସ୍ତା ଉଚ୍ଚା କରିବା ସହିତ ରାସ୍ତା ପାଶ୍ୱର୍ରେ ଡ୍ରେନେଜ ବ୍ୟବସ୍ଥା କରିବାକୁ ସମାଜସେବୀ କ୍ରାନ୍ତିଶିଖା ପରିଡାଙ୍କ ସହିତ ଗ୍ରାମବାସୀ ଦାବି କରିଛନ୍ତି ।ଏସଂର୍ପକରେ ଓଷକଣା ପଂଚାୟତ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରୁଣ ପ୍ରଧାନଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ