ରାସ୍ତା ଓ ନାଳ ଅବରୋଧ : ୩ ଫୁଟ୍ ଉଚ୍ଚତାରେ ଢେଉ ମାରୁଛି ପାଣି, ବିପଦରେ ୧୦୦ ଏକର ଚାଷ ଜମି

ବନ୍ତ, (ଚାନ୍ଦିନୀ ମହାନ୍ତି) : ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉପରେ ଗୁରୁତ୍ୱ ଦେଉଥିବା ବେଳେ କୃଷିର ବିକାଶ ନେଇ ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଜଳ ସେଚନ ଓ କାଡା ବିଭାଗ ମାଧ୍ୟମରେ ଚାଷ ଜମିକୁ ଜଳସେଚିତ କରିବାର ସମସ୍ତ ବ୍ୟବସ୍ଥା କରିଛନ୍ତି । ଏହାର ରକ୍ଷାଣାବେକ୍ଷଣ ପାଇଁ ପାଣି ପଞ୍ଚାୟତ କମିଟି ମାଧ୍ୟମରେ ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ ସରକାରଙ୍କର ଏହି ଯୋଜନା କେତେକାଂଶରେ ଫଳପ୍ରଦ ହେଉନଥିବା ଦେଖାଯାଇଛି । ଏଭଳି ଗୁୁରୁତ୍ୱର ଅଭିଯୋଗ କରିଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଛୟାଳସିଂ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଅଧିନ ବାଙ୍ଗୋରପଦୀ, ଶାଳକଣିଆ, ସଖିପାଟଣା ମୌଜାର ଚାଷୀ ମାନେ । ସେମାନଙ୍କ ଅଭିଯୋଗ ଅନୁଯାୟୀ ଶାଳକଣିଆ ମୌଜାର ବାଙ୍ଗୋରପଦୀ ମାଇନର କେନାଲ ଜଳ ଓ ବର୍ଷା ଜଳ ନିଷ୍କାସନ ହୋଇନପାରିବାରୁ ଆନୁମାନିକ ୧୦୦ ଏକର ଚାଷ ଜମି ଜଳାର୍ଣ୍ଣବ ହେବା ସହ ଚାଷ ଜମି ପଡିଆ ପଡିବ ବୋଲି କହିିଛନ୍ତି । ୭ଦିନ ମଧ୍ୟରେ ସରକାରୀ ଚକ ରାସ୍ତା ଓ ସରକାରଙ୍କ ଦ୍ୱାରା ଚିହ୍ନିତ ଜଳ ସେଚନ ନାଳ ଅବରୋଧକୁ ଉଚ୍ଛେଦ କରାନଗଲେ ଚାଷୀ ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଉପରୋକ୍ତ ମୌଜାର ଅନନ୍ତ ଚରଣ ପୃଷ୍ଟି, ପୁରୁଷୋତ୍ତମ ବାରିକ, ରତିକାନ୍ତ ରାଉତ, ରାମ ଚନ୍ଦ୍ର ବାରିକ, ସମୀର ବାରିକ, ରତ୍ନାକର ସାହୁ, ଅଭିମନ୍ୟୁ ମିଶ୍ର, ନରେନ୍ଦ୍ର ରାଉତ, ବିଷ୍ଣୁ ରାଉତ, ଭାସ୍କର ଶତପଥୀ, ରବିନ୍ଦ୍ର କର, ଶଶୀକାନ୍ତ ସାହୁ, ଚିନ୍ତାମଣି ସେନାପତି, ଦିନବନ୍ଧୁ ପଣ୍ଡା, ଅରବିନ୍ଦ ଦାଶ, ଭାଗବତ ପଣ୍ଡା, ବ୍ରଜ କିଶୋର ମିଶ୍ର, ଧିରେନ୍ଦ୍ର ସେନାପତି, ରତ୍ନାକର ସାହୁ, ରଞ୍ଜନ କୁମାର ରାଉଳ, ଯଶୋବନ୍ତ ସାହୁଙ୍କ ସମେତ ବହୁ ଚାଷୀ ତହସିଲଦାର, ବନ୍ତ ଥାନା ଆଇଆଇସି, ବ୍ଳକ ସହକାରୀ କୃଷି ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ବାଙ୍ଗୋରପଦୀ ମାଇନର କେନାଲର ଶେଷଭାଗ କେନାଲ ଜଳ, ବର୍ଷା ଜଳ ନିଷ୍କାସନ ପାଇଁ ସରକାରଙ୍କ ଦ୍ୱାରା ନକ୍ସା ଚିହ୍ନିତ ଚକ ରାସ୍ତା, ପାଣିନାଳ ଶାଳକଣିଆ ମୌଜାର ଖାତା ନଂ-୧୬୭, ପ୍ଲଟ ନଂ-୧୫୭(ନିଷ୍କାସନ ପାଣି ନାଳ) ଓ ପ୍ଲଟ ନଂ- ୧୨୪ ଚକ ରାସ୍ତା ଠାରୁ ଶାଳକଣିଆ ମୌଜାର ଆର୍‌.ଡି ରାସ୍ତା ପର୍ଯ୍ୟନ୍ତ ଚକ ରାସ୍ତା ଓ ପାଣି ନାଳକୁ ଶାଳକଣିଆ ଓ ସଖିପାଟଣା ଗ୍ରାମର କେତେକ ଚାଷୀ ଜୋରଜବରଦସ୍ତ ଅବରୋଧ କରି ନିଜ ଚାଷ ଜମିରେ ମିଶାଇ ଦେଇଛନ୍ତି । ଫଳରେ ଚାଷ ଜମିରୁ ବଳକା ଜଳ ନିଷ୍କାସିତ ହୋଇପାରୁନାହିଁ । ଜମିରେ ୩ ଫୁଟ୍ ଉଚ୍ଚତାର ପାଣି ଜମି ରହିବାରୁ ଚାଷ କାର୍ଯ୍ୟ ହୋଇପାରୁନାହିଁ । ଗତ ବର୍ଷ ସଂପୃକ୍ତ ମୌଜାର ଚାଷୀ ମାନେ ଏସଂପର୍କରେ ଜିଲ୍ଲାପାଳ, ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଥିଲା । କିନ୍ତୁ ୧ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଚାଷୀମାନେ ପ୍ରତିବର୍ଷ ଜଳ କର, ଖଜଣା, ପଥକର ରାଜସ୍ୱ ବିଭାଗକୁ ଦେଇ ଆସୁଥିବା ବେଳେ ପ୍ରଶାସନ ଜାଣିଶୁଣି ସେମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଛି । ଚାଷୀମାନେ ଅଭିଯୋଗ କରିବା ପରେ ବୁଧବାର ବନ୍ତ ଆଇଆଇସି ମିନା ବିନ୍ଧାଣୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ସଂପୃକ୍ତ ମୌଜାର ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କୁ ଡକାଇ ଆଲୋଚନା କରିଥିଲେ । ପରେ ତହସିଲଦାରଙ୍କ ଉପସ୍ଥିତିରେ ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇ କିପରି ସମସ୍ୟାର ସମାଧାନ ହୋଇପାରିବ ସେନେଇ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନିକ ସ୍ତରରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ