ରାସ୍ତା ନର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି ପତ୍ର
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ସରକାର ବିଭିନ୍ନ ଯୋଜନାରେ ଜନସାଧାରଣ ପାଇଁ ରାସ୍ତା ନିର୍ମାଣ କରୁଛନ୍ତି । ଏପରିକି ବ୍ୟକ୍ତିଗତ ସ୍ଥାନରେ ମଧ୍ୟ ସରକାରୀ ଅର୍ଥ ବ୍ୟୟ ବରାଦ କରାଯାଇ ରାସ୍ତା ନିର୍ମାଣ ହୋଇଥିବା ଅଭିଯୋଗ ହେଉଛି । କିନ୍ତୁ ପ୍ରଶାସନିକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ବଛାଳୋ ପଂଚାୟତର ଅଲଣା-୨ ଅଙ୍ଗନୱାଡୀ କେନ୍ଦ୍ରରେ । ଏହି କେନ୍ଦ୍ରଟି ସରକାରୀ ଅର୍ଥରେ ନିର୍ମାଣ କରାଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ରାସ୍ତା ନିର୍ମାଣ ହୋଇପାରିନାହିଁ । ଫଳରେ ଅଙ୍ଗନୱାଡୀ କେନ୍ଦ୍ର ସମ୍ମୁଖରେ ପାଣି ଜମି ରହୁଛି । କୁନି କୁନି ପିଲାମାନେ କେନ୍ଦ୍ରକୁ ପାଠ ପଢିବା ପାଇଁ ଆସି ସର୍ପ ଭୟରେ ରାସ୍ତାରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଛି ।ଯାହାକୁ ନେଇ ଏହି କେନ୍ଦ୍ରକୁ ରାସ୍ତା ନିର୍ମାଣ ପାଇଁ ଶନିବାର ଗ୍ରାମବାସୀଙ୍କ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଏହି କେନ୍ଦ୍ରରେ କୁନି କୁନି ପିଲା ପାଠପଢିବା ସହିତ ସରକାରଙ୍କ ଦ୍ୱାରା କରାଯାଉଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ତଥା ମମତା ଦିବସ, ଟିକାକରଣ ଦିବସ ଆଦି ପାଳନ କରାଯାଉଛି । କିନ୍ତୁ ଏହି କେନ୍ଦ୍ରକୁ ସଂଯୋଗୀ ରାସ୍ତା ନଥିବାରୁ କେନ୍ଦ୍ର ସମ୍ମୁଖରେ ଆଣ୍ଠୁଏ ପାଣି ଜମି ରହିଛି । କୁନିକୁନି ପିଲାମାନେ ସର୍ପ ଓ ବିଷାକ୍ତ ପୋକଙ୍କ ଭୟରେ କେନ୍ଦ୍ରକୁ ନଯାଇ ରାସ୍ତାରେ ବସି ପାଠ ପଢୁଛନ୍ତି । ଏପରିକି ମା ମାନେ ମଧ୍ୟ କେନ୍ଦ୍ରକୁ ଯାଇ ପାରୁନାହାନ୍ତି । ଯାହାକୁ ନେଇ ଗ୍ରାମର ଚନ୍ଦ୍ରକାନ୍ତ ସ୍ୱାଇଁ, ବଳରାମ ପରିଡା,ସୁଭ୍ରକାନ୍ତ ସ୍ୱାଇଁ,ବିକ୍ରମ ସ୍ୱାଇଁ,ଅନିଲ ସାହୁ,ସାଗର ଦାସ,ଇନ୍ଦ୍ରଜିତ ସ୍ୱାଇଁ ସମେତ ଗ୍ରାମବାସୀମାନେ ଦାବିପତ୍ର ଏହି କେନ୍ଦ୍ରକୁ ରାସ୍ତା ନିର୍ମାଣ ପାଇଁ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ବିଶେଷସୂତ୍ରରୁ ଜଣାଯାଇଛି ଏହି କେନ୍ଦ୍ରକୁ ରାସ୍ତା ନିର୍ମାଣ ପାଇଁ ୨୦୧୬-୧୭ ଆର୍ଥିକ ବର୍ଷରେ ପଂଚାୟତର ଚର୍ତୁଦ୍ଧଶ ଅର୍ଥ ଆୟୋଗ ପାଣ୍ଠିରୁ ରାସ୍ତା ନିର୍ମାଣ ପାଇଁ ୨ଲକ୍ଷ ଟଙ୍କା ଅର୍ଥ ମଂଜୁର କରାଯାଇଥିଲା । ଏପରିକି ଉକ୍ତ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ କରାଯାଇଥିଲା କିନ୍ତୁ ଅଧ୍ୟାବଧି ଉକ୍ତ କାର୍ଯ୍ୟ ଆରମ୍ଭ କରାଯାଇନାହିଁ । ଯାହାକି ତଦନ୍ତ ସାପେକ୍ଷ । ଏ ସଂପର୍କରେ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।


