ରାୟଗଡ଼ା ପୌର କର୍ତ୍ତୃପକ୍ଷଙ୍କ ହିଞ୍ଜିଳିକାଟୁ ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ସମୁହ ପରିଦର୍ଶନ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ତତ୍କାଳୀନ ସରକାରଙ୍କ ଶାସନ କାଳରେ ସହରାଞ୍ଚଳ ଉନ୍ନୟନ ପାଇଁ ଉଦ୍ଧିଷ୍ଟ ପ୍ରାୟ ସମସ୍ତ ପାଇଲଟ ପ୍ରୋଜେକ୍ଟ ଗୁଡ଼ିକ ହିଞ୍ଜିଳିକାଟୁ ରୁ ହିଁ ପ୍ରଥମେ ଆରମ୍ଭ ହୋଇ ପରେ ଅନ୍ୟାନ୍ୟ ସହର ଗୁଡ଼ିକୁ ସମ୍ପ୍ରସାରିତ ହୋଇଥିଲା। ଏଣୁ ହିଞ୍ଜିଳିକାଟୁ ସହରକୁ ବିକାଶର ପ୍ରୟୋଗଶାଳା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି କ୍ରମରେ ଏଠାରେ କାର୍ଯ୍ୟକାରୀ ହୋଇଥିବା ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ସମୁହର ସେବା,ଉତ୍କୃଷ୍ଟ ପରିଚାଳନା ଓ ଅନୁଭୂତି ଆଦାନ ପ୍ରଦାନ ସକାଶେ ଶୁକ୍ରବାର ରାୟଗଡ଼ା ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ନେତୃତ୍ବରେ ପୌର ପରିଷଦ ଅଧ୍ୟକ୍ଷ ପଟ୍ଟନାୟକୁନୀ ମହେଶ ପଟ୍ଟନାୟକ ଓ ଉପାଧ୍ୟକ୍ଷା ସୁଭ୍ରା ପଣ୍ଡାଙ୍କ ସମେତ ନିର୍ବାଚିତ ପ୍ରତିନିଧି ମଣ୍ଡଳୀ ଓ କର୍ମଚାରୀ ପ୍ରମୁଖ ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟ ଗସ୍ତ କରିଥିଲେ। ପୌର ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଓ ସମସ୍ତ ନିର୍ବାଚିତ ପ୍ରତିନିଧି ମଣ୍ଡଳୀ ଆଗନ୍ତୁକ ଅତିଥିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପୌର ସମ୍ମିଳନୀ କକ୍ଷରେ ସ୍କ୍ରିନ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ବିଷୟରେ ଅବଗତ କରା ଯାଇଥିଲା। ସହରର ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁ ପରିଚାଳନା, ଆବାସିକ ଓ ବ୍ୟବସାୟିକ ଅଞ୍ଚଳର ପରିଷ୍କାର ଓ ପରିଚ୍ଛନ୍ନତା, ନାଳ ନର୍ଦ୍ଦମା,ମନ୍ଦିର ଓ ଐତିହ୍ୟ ସ୍ଥଳୀ, ସରକାରୀ କାର୍ଯ୍ୟାଳୟ ପରିସର ସଫେଇ, କଠିନ ଓ ତରଳ ବର୍ଜ୍ୟବସ୍ତୁ ସଂଗ୍ରହ, ଧୂସର ଜଳ ପରିଚାଳନା,ସ୍ୱଚ୍ଛତା କେନ୍ଦ୍ର, ପୋଷାକ(3R), ଜାଗା ମିଶନ, ଇଣ୍ଡୋର୍ ଷ୍ଟାଡିୟମ୍, ମଳ ଉପଚାର କେନ୍ଦ୍ର, ସହର ଓ ଗ୍ରାମାଞ୍ଚଳର ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ , ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର,ଡ୍ରିଙ୍କ ଫ୍ରାମ ଟ୍ୟାପ ଯୋଜନରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଜଳ ସ୍ୱଚ୍ଛତା ଦିବସରେ ପୋଖରୀ ଓ ଜଳାଶୟ ଗୁଡିକର ପରିଷ୍କାର, ପ୍ରତି ୱାର୍ଡରେ ୱାର୍ଡ ବୈଠକ ଓ ରାତ୍ରୀ କାଳୀନ ସଫେଇ ସହ ୫ ମିଟର ପରିଧି ମଧ୍ୟରେ ସ୍ୱଚ୍ଛତା ପ୍ରତି ନିୟମିତ ଭାବେ ଗୁରୁତ୍ୱ ପ୍ରଦାନ କରାଯାଉଛି।ପରେ ଏସବୁ ପ୍ରକଳ୍ପ ସ୍ଥଳୀ ଓ ଏହାର ଉପଯୋଗିତା ସମ୍ପର୍କରେ କ୍ଷେତ୍ର ପରିଦର୍ଶନ କରି ଅତିଥି ମଣ୍ଡଳୀ ବିଶେଷ ସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡୁଡ଼ା ପ୍ରଶିକ୍ଷକ ସବ୍ୟସାଚୀ ପ୍ରଧାନ ଓ ଦେବୀ କଲ୍ୟାଣ ମହାପାତ୍ରଙ୍କ ସମେତ ପୌର ଯନ୍ତ୍ରୀ ମୁକେଶ ପ୍ରଧାନ, ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ସହକାରୀ ଯନ୍ତ୍ରୀ ସୁବ୍ରତ କୁମାର ମହାପାତ୍ର, କାଉନସିଲର ରୀନା ଗୌଡ଼, ବିଭୁ ପ୍ରସାଦ ପଣ୍ଡା, ବସନ୍ତ କୁମାର ବେହେରା, ବିଳାସ କୁମାରୀ ମହାନ୍ତି ପ୍ରମୁଖଙ୍କ ସମେତ ପାରିଷଦ ବୃନ୍ଦ,ସ୍ୱଚ୍ଛ ସାଥୀ, ସ୍ବଚ୍ଛ ସୁପର୍ ଭାଇଜର ଓ ପୌର କର୍ମଚାରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ