ରାୟପୁର ବସ୍ ଦୁର୍ଘଟଣା;ସୁନ୍ଦରପୁର ରେ ପହଞ୍ଚିଲା ଶବ

ଛତ୍ରପୁର ,(ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ୭୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ଧରି ସୁରତ ଅଭିମୁଖେ ଯାତ୍ରା କରିଥିବା ଏକ ଯାତ୍ରୀବାହୀ ବସ୍ ଶନିବାର ଭୋର ୩ ଟା ସମୟରେ  ଛତିଶଗଡ଼ ରାଜ୍ୟର ରାୟପୁର  ଚେରିଖେଡି ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୧୦ ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଥିଲେ।ବସ୍ ଟି ଏକ ଟ୍ରକକୁ ଓଭେରଟେକ କରୁଥିବା ବେଳେ ସମ୍ମୁଖପଟୁ  ଆସୁଥିବା ଅନ୍ୟ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇ ଏକ ଦୁଃଖଦ ଘଟଣା ଘଟିଛି।ଦୁର୍ଘଟଣାରେ ୮ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା, ଆସିକା, ସୋରଡା ଏବଂ ହିଞ୍ଜିଳି  ବ୍ଲକ ଅଞ୍ଚଳ ସମେତ ସ୍ଥାନୀୟ ଛତ୍ରପୁର  ବ୍ଲକ ସୁନ୍ଦରପୁର ଗ୍ରାମ ର ଜଣେ ପ୍ରବାସୀ ଥିବା ଜଣାପଡିଛି।ଛତିଶଗଡ଼ ସରକାରଙ୍କ ପକ୍ଷରୁ ମୃତ ଦେହ ଗୁଡିକୁ ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କ ଭିଟା ମାଟିକୁ ପଠାଇବା ବ୍ୟବସ୍ଥା କରାଯାଇଛି। ରବିବାର ପ୍ରାୟ ୧.୩୦ ସମୟରେ ମୃତ ସମୀର ମହାଙ୍କୁଡ  (୧୭)ଙ୍କ ଶବ ନିଜ ପୈତୃକ ଗ୍ରାମ ସୁନ୍ଦରପୁର  ଗାଁ ରେ ଆସି ପହଞ୍ଚିବା ପରେ କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ିଥିଲା।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ତହସିଲଦାର ନୀଳ ମାଧବ ଭୋଇ , ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ , ଅତିରିକ୍ତ ତହସିଲଦାର  ଜସ୍ମିନ ପ୍ରଧାନ , ଛତ୍ରପୁର  ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ,ସେକେଣ୍ଡ ଅଫିସର ସତ୍ୟଜିତ ବେଣିଆ, ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡୀ, ୧୯ନଂ ଜିଲାପରିଷଦ  ସଭ୍ୟ ପ୍ରମୋଦ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ ସୋମନାଥ ବେହେରା, ପୂର୍ବ ତନ ନାଏବ ସରପଞ୍ଚ ଯୁଧିଷ୍ଠିର ମହାଙ୍କୁଡ, ବିଜେଡି ଯୁବ ନେତା ସୁବାଷ ଚନ୍ଦ୍ର ନାହାକ (କାଳିଆ )ଓ ଟୁକୁନା ପୁରୋହିତ ଙ୍କ ସମେତ ବହୁ ଗ୍ରାମ ବାସୀ   ଉପସ୍ଥିତ ଥିଲେ। ମୃତ ସମୀର ମହାଙ୍କୁଡ ଙ୍କ ଶୋକସନ୍ତପ୍ତ ପରିବାରକୁ ସେମାନେ ଗଭୀର ସମବେଦନା ଜ୍ଞାପନ କରିଥିଲେ। ତହସୀଲଦାର  ଶ୍ରୀ ଭୋଇ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଏକ ଚେକ ମୃତକର ବାପା ରାଜୁ ମହାଙ୍କୁଡ ଙ୍କୁ ପ୍ରଦାନ କରାଯାଇଥିଲା l  ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ୨ ଲକ୍ଷ ଟଙ୍କାର ଅବଶିଷ୍ଟ ଅନୁକମ୍ପା ରାଶି  ଖୁବ ଶୀଘ୍ର ମିଳିବ  ବୋଲି ସୂଚନା ମିଳିଥିଲା l  ରୋଜଗାରିଆ ପୁଅକୁ ହରାଇ ରାଜୁଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଏକ ଶୋକକୁଳ ପରିବେଶରେ ସ୍ମଶାନରେ ମୃତ ସମୀରଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି।ଘଟଣା ପରେ ଅଞ୍ଚଳରେ ଗମ୍ଭୀର ବାତାବରଣ ସୃଷ୍ଟି ହୋଇଛି।ସେପଟେ ପୁଅ ର ଅକାଳ ବିୟୋଗ ରେ ମୃତ ସମୀର ଙ୍କ ମାଆ ମୋଚିଆଣି ମହାଙ୍କୁଡ଼ ପୁଅକୁ ଝୁରି ଝୁରି ବାହୁନି ବାହୁନି କାନ୍ଦି ବାରମ୍ବାର ଅଚେତ ହୋଇ ପଡୁଛନ୍ତି l ତାଙ୍କ ଅବସ୍ଥା ଗୁରତର ହେବା ଫଳରେ ତାଙ୍କୁ ତାଙ୍କ ନିଜ ଘରେ ଡାକ୍ତର ଙ୍କ ସହାୟତା ରେ  ଚିକିତ୍ସା କରାଯାଉଛି l ରୋଜଗାରିଆ ପୁଅକୁ ହରାଇବା ପରେ ମୃତ ସମୀର ଙ୍କ ରୋଗl କ୍ରାନ୍ତ ବାପା ରାଜୁ ମହାଙ୍କୁଡ ଓ ଦୁଇ ଅବିବାହିତ ଭଉଣୀ ଭାଙ୍ଗି ପଡିଛନ୍ତି l ମୃତ ସମୀର ଙ୍କ ସହ ଗ୍ରାମ ର ଶଙ୍କର ବିଷୋୟୀ ଶୁକ୍ରବାର ଦିନ ଆସିକା ରୁ ବସ ଯୋଗେ ସୁରତ ଯାଉଥିବା ଓ ଦୁର୍ଘଟଣା ଘଟଣା ସମ୍ପର୍କ ରେ ମନେ ପକାଇ ବହୁତ ଦୁଃଖ ପ୍ରକାଶ କରିବା ସହ ଆଜି ସେ ଗୋଟିଏ ଆମ୍ବୁଲାନ୍ସ ଭେନ ରେ ଚାରିଜଣ  ଓଡ଼ିଆ ପ୍ରବାସୀଙ୍କ ମର ଶରୀର ଅଣାଯାଇଥିବା କହିଥିଲେ l ଆଉ ଦୁଇଟା ଆମ୍ବୁଲାନ୍ସ ରେ ଆଉ ଚାରିଜଣଙ୍କ ମୃତ ଦେହ ଅଣାଯାଇଛି ବୋଲି ସୁନ୍ଦରପୁର ଗ୍ରାମରେ ପହଁଚି ବା ପରେ ସେ ଆମ ପ୍ରତିନିଧି ଙ୍କୁ କହିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ