ରିଟେଲ୍ ଋଣ ଅଭିବୃଦ୍ଧିରେ ମନ୍ଥରତା: ଟ୍ରାନ୍ସୟୁନିଅନ୍ ସିବିଲ୍ ରିପୋର୍ଟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ବ୍ୟାଙ୍କଗୁଡ଼ିକ କ୍ରେଡିଟ୍ କାର୍ଡ, କଂଜ୍ୟୁମର ଡ୍ୟୁରେବଲ୍ ଓ ବ୍ୟକ୍ତିଗତ ଋଣ ପ୍ରଦାନକୁ କଡ଼ାକଡ଼ି କରିବା ପରେ ୨୦୨୩ ଜୁଲାଇ- ସେପ୍ଟେମ୍ବର ତ୍ରୈମାସିକରେ ଖୁଚୁରା ଋଣ ଅଭିବୃଦ୍ଧିରେ ମନ୍ଥରତା ଦେଖିବାକୁ ମିଳିଛି ବୋଲି ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ କ୍ରେଡିଟ୍ ମାର୍କେଟ୍ ଇଣ୍ଡିକେଟର (ସିଏମ୍ଆଇ) ରିପୋର୍ଟରୁ ଜଣାପଡ଼ିଛି । କ୍ରେଡିଟ୍ କାର୍ଡ ଓ ବ୍ୟକ୍ତିଗତ ଋଣକୁ ବାଦ ଦେଲେ ଅନ୍ୟ ଋଣ ପୋର୍ଟଫୋଲିଓରେ ଉନ୍ନତି ଘଟିଛି । ୨୦୨୩ ସେପ୍ଟେମ୍ବରରେ ସିଏମ୍ଆଇ ୧୦୩ ଥିଲା ଯାହା ୨୦୨୨ ସେପ୍ଟେମ୍ବର ତୁଳନାରେ ଚାରି ପଏଂଟ୍ ଅଧିକ । ୨୦୨୧ ସେପ୍ଟେମ୍ବରରେ ତାହା ୮୮ ଭଳି ନିମ୍ନ ସ୍ତରରେ ଥିଲା ।
ଏ ସମ୍ପର୍କରେ ଟ୍ରାନ୍ସୟୁନିଅନ୍ ସିବିଲ୍ର ଏମ୍ଡି ଓ ସିଇଓ ଶ୍ରୀ ରାଜେଶ କୁମାର କହିଛନ୍ତି ଯେ, “ସଦ୍ୟତମ ସିଏମ୍ଆଇରୁ ଜଣାପଡ଼ିଛି ଯେ, ଭାରତୀୟ ଉପଭୋକ୍ତା ଋଣ ବଜାରରେ ସ୍ଥିରତା ଜାରି ରହିଛି କାରଣ ଋଣ ପ୍ରଦାନକାରୀ ଅନୁଷ୍ଠାନଗୁଡ଼ିକ ଗତବର୍ଷ ବଜାରର ଧାରା ଅନୁସାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ସ୍ଥିରତା ବିଭିନ୍ନ ଉତ୍ପାଦରେ ସନ୍ତୁଳିତ ଓ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକ ଦୃଢ଼ ମୂଳଦୁଆ ପ୍ରଦାନ କରିଛି । ପୋର୍ଟଫୋଲିଓ ଉପରେ ବ୍ୟାପକ ନିରୀକ୍ଷଣ ସହିତ କମ୍ ବିପଦପୂର୍ଣ୍ଣ ଗ୍ରାହକଙ୍କୁ ଋଣ ପ୍ରଦାନ କରି ଲୋକମାନଙ୍କ ଅଭିଳାଷକୁ ପୂରଣ କରିବା ଦ୍ୱାରା ଭାରତୀୟ ଋଣ ଶିଳ୍ପ ଦୀର୍ଘକାଳୀନ ଅଭିବୃଦ୍ଧି ପଥରେ ସ୍ଥାନିତ ହୋଇପାରିବ । କମ ମୂଲ୍ୟର ଗୃହ ଋଣ ପ୍ରଭାବିତ ହେବା ପରେ ଋଣ ଅଭିବୃଦ୍ଧି ପ୍ରଭାବିତ ହୋଇଛି । ମୂଲ୍ୟ ଦୃଷ୍ଟିରୁ ଗୃହ ଋଣରେ ଅଭିବୃଦ୍ଧି ହାର ୯ ପ୍ରତିଶତ ରହିଛି । ନୂତନ ଭାବେ ଋଣ ନେଉଥିବା ଗ୍ରାହକଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ୨୦୨୨ ସେପ୍ଟେମ୍ବରରେ ସେହି ହାର ୧୭ ପ୍ରତିଶତ ଥିବା ବେଳେ ୨୦୨୩ ସେପ୍ଟେମ୍ବର ସୁଦ୍ଧା ତାହା ୧୪ ପ୍ରତିଶତକୁ ହ୍ରାସ ପାଇଛି । ସାଧାରଣତଃ ଗ୍ରାମାଚଂଳ ଓ ଅର୍ଧ ସହରାଂଚଳର ଯୁବପିଢ଼ି, ମହିଳା ଓ ଗ୍ରାହକମାନେ ପ୍ରଥମ ଥର ଲାଗି ଋଣ ନେଉଥିବା ଗ୍ରାହକଙ୍କ ମଧ୍ୟରେ ଅଧିକ ସଂଖ୍ୟାରେ ରହିଥାନ୍ତି । ଯୁବ ଗ୍ରାହକ, ଋଣ ପାଇଁ ନୂଆ ଗ୍ରାହକ ବିପୁଳ ପରିମାଣରେ ଥିବାରୁ ଭାରତୀୟ ଋଣ ବଜାରରେ ଅଭିବୃଦ୍ଧି ପାଇଁ ବ୍ୟାପକ ସୁଯୋଗ ରହିଛ । ସେହି ସୁଯୋଗ ହାସଲ କରିବା ଲାଗି ଋଣ ପ୍ରଦାନକାରୀମାନଙ୍କୁ ଯୋଗ୍ୟ ଗ୍ରାହକଙ୍କୁ ଚିହ୍ନଟ କରିବାକୁ ପଡ଼ିବ ଏବଂ ସେମାନଙ୍କ ପାଖରେ ଋଣ ପହଂଚାଇବାକୁ ପଡ଼ିବ । ସେହି ସମୟରେ ଋଣ ପ୍ରଦାନକାରୀମାନେ ଦୃଢ଼ ଅଣ୍ଡରରାଇଟିଂ ଅଭ୍ୟାସ ଉପରେ ଧ୍ୟାନ ଦେବାକୁ ହେବ ଏବଂ ଏକ ସ୍ଥାୟୀ ଋଣ ଅଭିବୃଦ୍ଧି ଓ ଲାଭ ଲକ୍ଷ୍ୟ ହାସଲ କରିବା ପାଇଁ ଗ୍ରାହକଙ୍କ ବ୍ୟବହାର ଉପରେ ନିୟମିତ ନଜର ରଖିବାକୁ ପଡ଼ିବ ବୋଲି ଶ୍ରୀ କୁମାର କହିଛନ୍ତି ।