ରିପୋର୍ଟ କରି ନ ଥିବା ଗାଡି ମାଲିକଙ୍କୁ ତୁରନ୍ତ ରିପୋର୍ଟ ନିର୍ଦ୍ଦେଶ
ବାଲେଶ୍ୱର, (ସରୋଜ ପଣ୍ଡା) :-ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ପାଇଁ ଗାଡି ଅଧିଗ୍ରହଣ ଜାରି ରହିଥିବା ବେଳେ ଫେବୃଆରୀ ୧୪ତାରିଖ ଦିନ ଭୋଗରାଇ ଓ ଜଳେଶ୍ୱର ବିତରଣ କେନ୍ଦ୍ରରେ ସେମାନଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ପ୍ରଶାସନିକ ଆଦେଶକୁ ଅମାନ୍ୟ କରି ଆଜି ଯେଉଁ ଗାଡିଗୁଡିକ ନିର୍ବାଚନ କାର୍ଯ୍ୟରେ ଯୋଗ ଦେଇ ନାହାଁନ୍ତି ସେହି ଗାଡି ମାଲିକମାନଙ୍କୁ ତୁରନ୍ତ ଆସନ୍ତା କାଲି ଫେବୃଆରୀ ୧୫ତାରିଖ ଦିନ ସକାଳ ୮ଘଟିକା ସୁଦ୍ଧା ବିତରଣ କେନ୍ଦ୍ରରେ ଉପସ୍ଥିତ ହେବାକୁ କୁହାଯାଇଛି । ବାଲେଶ୍ୱର ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଗାଡି ଅଧିଗ୍ରହଣ ଚାଲିଥିବା ବେଳେ ଅନୁପସ୍ଥିତ ରହିଥିବା ଗାଡି ମାଲିକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଯେଉଁ ଗାଡିମାଲିକ ମାନେ ସେମାନଙ୍କ ଗାଡି ବେସରକାରୀ କାର୍ଯ୍ୟାଳୟ / କମ୍ପାନୀ ଅଥବା ଅନ୍ୟ ଆଡେ ନିୟୋଜିତ ଥିବା ଦର୍ଶାଇ ନିର୍ବାଚନ କାର୍ଯ୍ୟରେ ଯୋଗ ଦେଇ ନାହାଁନ୍ତି ସେମାନଙ୍କ ପ୍ରତି ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ତୁରନ୍ତ ସେମାନଙ୍କୁ ନିର୍ବାଚନ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି । ନିର୍ଦ୍ଦେଶ ମୁତାବକ ଆସନ୍ତା କାଲି ବିତରଣ କେନ୍ଦ୍ରରେ ଉପସ୍ଥିତ ନ ହେଲେ ଲୋକ ପ୍ରତିନିଧିତ୍ୱ ଅଧିନିୟମ-୧୯୫୧ ଅନୁଯାୟୀ ଗାଡି ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।


