ରିଲିଫ୍ ବାଣ୍ଟିଲା ରିଲାଏନ୍ସ
ପିପିଲି(ଜୁଗାବ୍ଦ ନ୍ୟୁଜ୍): ସାମୁଦ୍ରିକ ଝଡ଼ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଭିନ୍ନକ୍ଷମଙ୍କୁ ଭାରତୀୟ ଘରୋଇ ଟେଲିକମ୍ ସଂସ୍ଥା ଏବଂ ଖୁଚୁରା ବିକ୍ରୟ ସଂସ୍ଥା ରିଲାଏନ୍ସ କମ୍ପାନୀ ପକ୍ଷରୁ ଶୁକ୍ରବାର ପିପିଲି ବ୍ଲକରେ ରିଲିଫ ବଣ୍ଟନ କରାଯାଇଛି । ପିପିଲି ବ୍ଲକର ୨୫ଟି ପଞ୍ଚାୟତର ଭତ୍ତା ପାଉଥିବା ୧୧୦୧ ଜଣଙ୍କୁ ରିଲିଫ ବଣ୍ଟନ କରାଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମକୁ ପିପିଲି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଆର୍ତ୍ତବନ୍ଧୁ ସାମନ୍ତରାୟ, ବିଡିଓ ଆଦିକନ୍ଦ ବେହେରା ଶୁଭାରମ୍ଭ କରିଥିଲେ । ପିପିଲି ବ୍ଲକ ସେବା ସମବାୟ ସମିତିର ସୁପରାଭଇଜର ସୁରେନ୍ଦ୍ର ଚନ୍ଦ୍ର ମିଶ୍ର, କଣ୍ଟି ସରପଞ୍ଚ ପ୍ରକାଶ ଧଳ ପ୍ରମୁଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ । ରିଲାଏନ୍ସ କମ୍ପାନୀ ପକ୍ଷରୁ ଦୁଇ ପ୍ରକାରର କିଟ୍ ବଣ୍ଟନ କରାଯାଇଥିଲା । ଫୁଡ଼୍ କିଟ୍ ଏବଂ ନନ୍ ଫୁଡ଼୍ କିଟ୍ । ଫୁଡ଼୍ କିଟ୍ରେ ୫ କିଲୋ ଅଟା, ୫କିଲୋ ଚୁଡ଼ା, ୧କିଲୋ ଚିନି, ୧କିଲୋ ମୁଗ ଡାଲି, ୧ କିଲୋ ହରଡ ଡାଲି, ୧କିଲୋ ରିଫାଇନ୍ ତେଲ, ୨୫୦ଗ୍ରାମ ଚା ପତି ସହିତ ହଳଦିଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, କରି ପାଉଡ଼ର, ସମ୍ବର ମସଲା ଆଦି ଥିଲା । ସେହିଭଳି ନନ୍କିଟ୍ରେ ବ୍ରସ୍, ପେଷ୍ଟ, ଦେହଲଗା ଓ ଲୁଗା ସଫା ସାବୁନ, ଫିନାଇଲ, ସାନିଟାରୀ ନାପ୍କିନ୍, ପ୍ଳାଷ୍ଟିକ୍ ବାଲ୍ଟି, ମଗ, ମଶାଧୂପ, ମହମବତୀ, ଡିଆସିଲ ଆଦି ବଣ୍ଟନ କରାଯାଇଥିଲା । ବାତ୍ୟା ଫନାି ଯିବାପରେ ରିଲାଏନ୍ସ କମ୍ପାନୀ ପକ୍ଷରୁ ପୁରୀ ଜିଲ୍ଲାର ୬ଟି ବ୍ଳକ ବ୍ରହ୍ମଗିରି, ପୁରୀ ମୁନିସିପାଲିଟି, ସତ୍ୟବାଦୀ, କଣାସ, ଡେଲାଙ୍ଗ, ପିପିଲି ବ୍ଲକ ଏବଂ ଏନ୍ଏସିରେ ମୋଟ୍ ୧୨ ହଜାର ତିନି ଶହ ଦିବ୍ୟାଙ୍ଗ ପରିବାରକୁ ଏହି ସହାୟତା ଯୋଗାଇ ଦିଆଯାଇଥିବା ରିଲାଏନ୍ସ ପକ୍ଷରୁ କୁହାଯାଇଛି ।