ରେମୁଣା-ପାଳସିଆ ପୋଲ ମରାମତି ନିମନ୍ତେ ଦାବୀ
ବାଲେଶ୍ୱର, ((ଯୁଗାବ୍ଦ ନ୍ୟୁ୍ଜ୍)): ମଇ ୨ ତାରିଖରେ ହୋଇଥିବା ଫୋନୀ ବାତ୍ୟାରେ ବାଲେଶ୍ୱର ଓ ମୟୁରଭଞ୍ଜକୁ ସଂଯୋଗ କରୁଥିବା ରେମୁଣା-ପାଳସିଆ ପୋଲ ସମ୍ପୂର୍ଣ୍ଣ ରୂପେ ଭୁସୁଡି ପଡିଥିଲା । ଗୋଟିଏ ସ୍କାନ୍ ସ୍ଲାପ୍ ଭାଙ୍ଗି ଯିବା ଯୋଗୁଁ କଲ୍ୟାଣପୁର ପଞ୍ଚାୟତ, ଗୁଡୁଦା, ଶାଳଗାଁ, ପତ୍ରିପାଳ, ଗଣ୍ଡର୍ଦ୍ଦା ପଞ୍ଚାୟତରୁ ପାଖାପାଖି ୧୦ ହଜାର ଲୋକ ଦୈନନ୍ଦିନ କାମ କରିବା ପାଇଁ ସେହି ପୋଲ ଦେଇ ଯିବାଆସିବା କରନ୍ତି । ପୋଲଟି ଭାଙ୍ଗି ଯିବା ଫଳରେ ଉକ୍ତ ଅଞ୍ଚଳର ହଜାର ହଜାର ଲୋକଙ୍କର ଯାତାୟତରେ ବହୁ ଅସୁବିଧା ଦେଖାଦେଇଛି । ଏହା ମଧ୍ୟରେ ୪୨ ଦିନ ବିତିଯାଇଥିଲେ ମଧ୍ୟ ପୋଲକାର୍ଯ୍ୟ କରିବାରେ ସରକାରଙ୍କର ନିଦ ଭାଙ୍ଗୁନାହିଁ । ଏହି ପୋଲ ନିର୍ମାଣ ନିମ୍ନମାନର ହୋଇଥିବା ଯୋଗୁଁ ଏହା ଭୁଷୁଡି ପଡିଛି ବୋଲି ଜନସାଧାରଣ ମତ ଦେଇଛନ୍ତି । ବାଲେଶ୍ୱରରେ ଜେଇ ରବି ମିଶ୍ର ଦୀର୍ଘ ୨୦ ବର୍ଷ ଧରି ଏଠାରେ ରହିଲେଣି । ସେହିପରି ଅଶ୍ୱନୀ ଦଣ୍ଡପାଟ ୧୭ ବର୍ଷ ଓ ନନ୍ଦଦୁଲାଲ ଘଡେଇ ଦୀର୍ଘ ୯ ବର୍ଷ ଧରି ଏଠାରେ ରହି କିପରି କାର୍ଯ୍ୟ କରୁଛନ୍ତି ତାହା ଜଣାପଡିଛି । ଜିଲ୍ଲା ପ୍ରଶାସନ ସବୁ ଜାଣି ମଧ୍ୟ ପୋଲ ମରାମତି କରାଯାଉନଥିବାକୁ ନେଇ ଦିନକୁ ଦିନ ଜନଅସନ୍ତୋଷ ବୃଦ୍ଧି ପାଉଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ପୋଲ କାର୍ଯ୍ୟ ଖୁବ୍ ଶୀଘ୍ର ମରାମତି କରିବା ପାଇଁ ବିଭିନ୍ନ ମହଲରୁ ଦାବୀ କରାଯାଇଛି ।