ର‌୍ୟାଗିଂ ରୋକିବାରେ ରାଜ୍ୟ ସରକାର ବିଫଳ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ର‌୍ୟାଗିଂ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଯାହାଦ୍ୱାରା ନିରୀହ ଛାତ୍ର ର‌୍ୟାଗିଂର ଶିକାର ହୋଇ ମୁଣ୍ଡ ଗଡୁଛି । କେତେବେଳେ ଅକଥନୀୟ ଅତ୍ୟାଚାରର ଶିକାର ହୋଇ ମାନସିକ ଭାରସାମ୍ୟ ହରାଉଛନ୍ତି । ରୁଚିକା ମହାନ୍ତି ର‌୍ୟାଗିଂ ଜନିତ ହତ୍ୟା ମାମଲାରେ ଆନ୍ଦୋଳନ ହୋଇ ୭ଖଣ୍ଡ ମହାଭାରତ ହେଲା ପରେ ବି ସରକାର ଚେତିଲେ ନାହିଁ । ରୁଚିକା ମହାନ୍ତି ଆନ୍ଦୋଳନରେ ସରକାର ସତ୍ୟ ଚପାଇ ଦେବାକୁ ବରଂ ଉଦ୍ୟମ କଲେ । କିନ୍ତୁ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନହେଉ ଏହା ଚାହିଁଲେ ନାହିଁ । ଯାହାର ପରିଣତି ସ୍ୱରୂପ ପୁଣି ବ୍ରହ୍ମପୁର, ବୁର୍ଲାରେ ର‌୍ୟାଗିଂ ହେଲା । ନବନିର୍ମାଣ ଯୁବଛାତ୍ର ସଂଗଠନର ଅଭିଯୋଗ ରୁଚିକା ମହାନ୍ତି ହତ୍ୟା ଘଟଣାକୁ ଯଦି ରାଜ୍ୟ ସରକାର ଓ ଶିକ୍ଷା ବିଭାଗ ଗମ୍ଭିରତାର ସହ ନେଇଥାନ୍ତେ ତେବେ ଆଜିର ବିକଟସ୍ଥିତି ଉପୁଜି ନଥାନ୍ତା । ର‌୍ୟାଗିଂ ଭଳି ମାନସିକ ବିକୃତିର ସମାଧାନ ପାଇଁ ରାଜ୍ୟ ସରକାର ସମାଧାନ ସୂତ୍ର ନ ଦେଖାଇ ଯେଭଳି ବିଫଳତା ଲୁଚାଉଛନ୍ତି ଏହା ଅତ୍ୟନ୍ତ ସାଙ୍ଘାତିକ ଓ ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ଜୁଲାଇ ୨ରୁ ରୁଚିକା ମହାନ୍ତି ହତ୍ୟା ଘଟଣାର ତଦନ୍ତ ପାଇଁ ମାସ ମାସ ଧରି ତାଙ୍କ ମୋବାଇଲ ସିଙ୍ଗାପୁର, ଦୁବାଇ ପଠାଯାଇଛି ବୋଲି କୁହାଗଲା । ଜୁଲାଇ ୨ ହତ୍ୟା ଘଟଣାରେ ଜୁଲାଇ ୧୨ରେ ମୋବାଇଲ ଅନ୍ ହୋଇଛି । ରୁଚିକାଙ୍କ ମା’ ଅଭିଯୋଗ କରିଛନ୍ତି ଯେ, ମୋ ଝିଅକୁ ସମ୍ପୂର୍ଣ୍ଣ ଭାବେ ହତ୍ୟା କରାଯାଇଛି । ଏବେ ବିନାୟକରେ ଯେଭଳି ବର୍ବର ଓ ଲଜ୍ଜାଜନକ ଭାବେ ର‌୍ୟାଗିଂ ଘଟଣା ଘଟିଛି ଓ ଯେଉଁଥିରେ ଛାତ୍ର ବିଜେଡ଼ି ନେତା ସମ୍ପୃକ୍ତ ଅଛନ୍ତି, ସେହିଭଳି ମା’ମାନଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ଭୋଟ ହାତେଇବାକୁ ନବୀନ ସରକାର ବ୍ୟାକୁଳ ହେଲାବେଳେ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ସାମାନ୍ୟ ତତ୍ପର ନାହାଁନ୍ତି । ଗାଁକୁ କାମ, ମା’ଙ୍କୁ ସମ୍ମାନ ସ୍ଲୋଗାନ ଦେଉଥିବା ସରକାର ମହିଳାମାନଙ୍କ ସୁରକ୍ଷା ପାଇଁ କେତେ ତତ୍ପର ତାହା ରୁଚିକା ମହାନ୍ତି ଘଟଣାରୁ ସ୍ପଷ୍ଟ ହେଲା । ର‌୍ୟାଗିଂ ନହିଁ ବୋଲି ଶିକ୍ଷା ସଚିବ ବାରମ୍ବାର କହି ଆସୁଥିବା ବେଳେ ଏବେ ର‌୍ୟାଗିଂ ବିସଙ୍ଗତିକୁ ମୁଣ୍ଡାନ୍ତୁ ବୋଲି ନବନିର୍ମାଣ ଛାତ୍ରଯୁବ ସଂଗଠନର ରାଜ୍ୟ ସଂଯୋଜକ ମନୱାର ଅଲ୍ଲୀ ଅଭିଯୋଗ କରିଛନ୍ତି । ଯଦି ସରକାର ର‌୍ୟାଗିଂ ଘଟଣାରେ ସନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି, ତେବେ ଆଗାମୀ ୩୦ ତାରିଖରେ ବିଧାନସଭା ସମ୍ମୁଖରେ ସଂଗଠନର କର୍ମକର୍ତ୍ତାମାନେ ଆନ୍ଦୋଳନ କରିବେ । ସରକାରଙ୍କୁ ଏହି ଘଟଣା ପରେ ର‌୍ୟାଗିଂର ମୂଳୋତ୍ପାଟନ ପାଇଁ ବାଧ୍ୟ କରାଯିବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଯୁବଛାତ୍ର ସଂଯୋଜକ ମନୱାର ଅଲ୍ଲୀ, ରୁଚିକା ମହାନ୍ତିଙ୍କ ମା’ ବିଦ୍ୟୁତପ୍ରଭା ମହାନ୍ତି, ଭୁବନେଶ୍ୱର ଛାତ୍ର ସଂଯୋଜକ ଅମିତ ଜେନା, କାଜଲ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ