ରୟାଲ କପ୍ ଉଦ୍ଯାପିତ
ଭୁବନେଶ୍ୱର : ରୋଟାରୀ ରୟାଲ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୟୁନିଟ୍-୨ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟକୁ କେନ୍ଦ୍ରୀୟ ରାଜସ୍ୱ ପରିଷଦ ଆୟୋଗ ଅନିଲ୍ ସାମଲ ଉଦ୍ଘାଟନ କରିଥିଲେ । ୬ ଓଭର ବିଶିଷ୍ଟ ଟେନିସ୍ ବଲ୍ରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ରୋଟାରୀ ଏକ୍ସଲେନ୍ସି, ରୋଟାରୀ ସେଣ୍ଟିନିଆଲ ଓ ରୋଟାରୀ ରୟାଲ ଭାଗ ନେଇ ଉଚ୍ଚ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଏକ୍ସଲେନ୍ସି ଓ ସେଣ୍ଟିନିଆଲ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଲିଗ୍ ମ୍ୟାଚ୍ରେ ସେଣ୍ଟିନିଆଲ ଦଳ ୮୦ ରନ୍ କରିଥିବା ବେଳେ ଏକ୍ସଲେନ୍ସି ମାତ୍ର ୨୩ ରନ୍ କରି ଅଲ୍ଆଉଟ୍ ହୋଇଥିଲେ । ପରବର୍ତ୍ତୀ ଲିଗ୍ ମ୍ୟାଚ୍ରେ ରୋଟାରୀ ରୟାଲ ଟିମ୍ ପ୍ରଥମ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୪୮ ରନ୍ କରିଥିବା ବେଳେ ଏକ୍ସଲେନ୍ସି ଦଳକୁ ରୟାଲ ଦଳ ୩ ୱିକେଟ ବିନିମୟରେ ୫୦ ରନ୍ ସଂଗ୍ରହ କରି ପରାସ୍ତ କରିଥିଲା । ଶେଷରେ ସେଣ୍ଟିନିଆଲ ଓ ରୟାଲ ଦଳ ମଧ୍ୟରେ ଆୟୋଜିତ ଫାଇନାଲ ମ୍ୟାଚ୍ରେ ସେଣ୍ଟିନିଆଲ ଦଳ ନିର୍ଦ୍ଧାରିତ ୬ ଓଭରରେ ୬ ୱିକେଟ ହରାଇ ୬୭ ରନ୍ କରିଥିଲା । ଜବାବରେ ରୟାଲ ଦଳ ୪ ଓଭର ୫ଟି ବଲ୍ରେ ୧ ୱିକେଟ ବିନିମୟରେ ୭୦ ରନ୍ ସଂଗ୍ରହ କରି ଚମ୍ପିୟାନ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ ଆରଡ଼ିସି ଅନିଲ୍ ସାମଲ ଯୋଗଦେଇ ମ୍ୟାନ୍ ଅଫ୍ ଦି ସିରିଜ ଭାବେ ବିଶ୍ୱଜିତ୍ ମିଶ୍ର, ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ଅର୍ଜୁନ ସାହୁ, ଶ୍ରେଷ୍ଠ ଫିଲ୍ଡ଼ର ଭାବେ ବିଭୂତି ଭୂଷଣକର, ଶ୍ରେଷ୍ଠ ବୋଲର ଭାବେ ଶୁଭେନ୍ଦୁ ବରାଳ ଓ ପ୍ରଶାନ୍ତ ସାହୁ, ରନର୍ସ ଅପ୍ ଦଳ ସେଣ୍ଟିନିଆଲ ଦଳ ଓ ଚମ୍ପିୟାନ ଦଳ ଭାବେ ରୋଟାରୀ ରୟାଲକୁ କପ୍ ଓ ସିଲ୍ ପ୍ରଦାନ କରିଥିଲେ । ଏହି ମ୍ୟାଚ୍କୁ ରୟାଲ କ୍ଲବ ସଭାପତି ମନମୋହନ ପଣ୍ଡା, ଆଶିଷ ସାହୁ, ଧର୍ମେନ୍ଦ୍ର ବେହେରା, ଆଶିଷ ପରିଡ଼ା, ନନ୍ଦ ପରିଚାଳନା କରିଥିବା ବେଳେ ବରିଷ୍ଠ ରୋଟାରୀୟାନ ଦେବ ପଟ୍ଟନାୟକ, ରବି ନନ୍ଦ, ସ୍ମରଣ ମିଶ୍ର, ବିଭୂତି ଭୂଷଣ କର, ସମରେନ୍ଦ୍ର ପରିଡ଼ା, ଆଜାଦହିନ୍ଦ ପାଣିଗ୍ରାହୀ, ପ୍ରତିଭା ପଣ୍ଡା ଓ ଅଶୋକା ପ୍ରମୁଖ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ସଫଳ କରିଥିଲେ ।


