ଲକଡାଉନର ଫାଇଦା ନେଉଛନ୍ତି ବାଲି ମାଫିଆ, ୨ଟି ଟ୍ରାକ୍ଟର ଜବତ

ହାଟଡିହି (ଓ୍ବାଇଏନ୍ଏସ୍) ; ଲକଡାଉନରେ ପ୍ରଶାସନ କରୋନା ନିୟନ୍ତ୍ରଣ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ବାଲି ମାଫିଆଙ୍କର କଚେ ପୁଅ ବାର ହୋଇଛି । କିଛି ଅସାଧୁ କର୍ମଚାରୀ ବାଲି ମାଫିଆଙ୍କ ସହ ସାମିଲ ହୋଇ ବେ ଆଇନ ବାଲି ଉଠାଣ ଓ ଚୋରା ଚାଲାଣ କରୁଛନ୍ତି । ଯେଉଁ ବାଲିଘାଟ ନିଲାମ ଦିଆଯାଇଛି ତାକୁ ଜଗିବାକୁ କେହିନଥିବା ବେଳେ କେଉଁ ସ୍ଥାନରୁ ବାଲି ଉତୋଳନ ହେବ ତାର ମଧ୍ୟ ସଠିକ ଚିହ୍ନଟ ପ୍ରକ୍ରିୟା କରାଯାଇନାହିଁ । ଆଉକିଛି ସ୍ଥାନରେ ଗାଁର ଯୁବକମାନେ ମିଶି ବାଲିକୁ ଚୋରାଚାଲାଣ କରୁଛନ୍ତି । ଏଭଳି ଚୋରାଚାଲାଣ ଓ ନିଲାମ ନାମରେ ପ୍ରଶାସନକୁ ଭକୁଆ ବନାଉଥିବା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ହାଟଡିହି ବ୍ଲକରେ । ସମଣା ପଂଚାୟତର ବୈତରଣୀ ନଦୀ କୂଳରୁ ବେଆଇନ ବାଲି ଉଠାଣ କରାଯାଉଥିବାରୁ ପ୍ରଶାସନ ଗତ କିଛିଦିନ ତଳେ ୨୦ରୁ ଉର୍ଦ୍ଧ୍ୱ ଗାଡ଼ି ଜବତ କରିବା ସହ ଟ୍ରକ ଡ୍ରାଇଭର ଓ ମାଲିକ ନାମରେ କେସ କରି ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ହାବଳେଶ୍ୱର ପଂଚାୟତର ଜମ୍ଭରା ବୈତରଣୀ ନଦୀ ଘାଟରୁ ଦୈନିକ ୫୦ରୁ ଉର୍ଦ୍ଧ୍ୱ ଟ୍ରାକ୍ଟର ଗାଡ଼ି ଚୋରାଚାଲାଣ କରୁଥିବା ଦେଖିବାକୁ ମିଳିଛି । । ସେଥିପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁନଥିବା ବେଳେ ହାବଳେଶ୍ୱର ପଂଚାୟତର ଆଉ ଏକ ବାଲିଘାଟକୁ ତହସିଲ ପକ୍ଷରୁ ନିଲାମ ଦିଆଯାଇଛି । କିନ୍ତୁ ସେଠାରୁ ଦୈନିକ ଏକଶହରୁ ଉର୍ଦ୍ଧ୍ୱ ହାଇୱା ଗାଡ଼ି ବୋଝେଇ ହେବା ସହ ଟ୍ରକ, ଟ୍ରାକ୍ଟର ମଧ୍ୟ ବୋଝେଇ ହୋଇ ବାଲି ଚାଲାଣ କରାଯାଉଛି । ଯାହାକି ଦୈନିକ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ବାଲି ଚାଲାଣ ହେଉଥିବା ବେଳେ ଅଳ୍ପ କିଛି ଟଙ୍କା ରୟାଲିଟି ବାବଦ ଜମା କରି ପ୍ରଶାସନ ତାର କାମ ସାରିଦେଇଛି ଚୁପ । ତାଛଡ଼ା ଯେଉଁ ରୟାଲିଟି ବହି ଦିଆଯାଉଛି ତାକୁ କାଁଭାଁ ବ୍ୟବହାର କରୁଥିବା ବେଳେ ଅବଶିଷ୍ଟ ଗାଁ କମିଟି ଦ୍ୱାରା ପ୍ରିଣ୍ଟ କରାଯାଉଥିବା ରସିଦ ବ୍ୟବହୃତ କରାଯାଉଥିôବା ଆଲୋଚିତ ହେଉଛି । ନିଲାମ ସ୍ଥାନ ଗୁଡ଼ିକ ପରବର୍ତୀ ସମୟରେ ତଦନ୍ତ ମଧ୍ୟ କରାଯାଉନଥିବାରୁ ନିଲାମ ଧାରୀ କିଛି ଅସାଧୁ କର୍ମଚାରୀଙ୍କୁ ଧରି ରାଜସ୍ୱ ହାନି କରି ମାଲେ ମାଲ ହେଉଛନ୍ତି । କରୋନା ସମୟରେ ଅଧିକାରୀମାନେ ବ୍ୟସ୍ତ ରହୁଥିବାରୁ ନିଲାମଧାରୀ ଓ କିଛି କର୍ମଚାରୀ ସାମିଲ ହୋଇ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି କରି ମାଲେମାଲେ ହେଉଛନ୍ତି । ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବା ସହ ଚୋରାଚାଲାଣକୁ ରୋକ ଲଗାଇବା ଏବଂ ନିଲାମ ନାମରେ ଲୁଟୁଥିବା ବାଲିକୁ ଦୃଷ୍ଟି ଦେଇ ରାଜସ୍ୱ ଆୟ ବୃଦ୍ଧି କରାଯିବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ