ଲକଡାଉନ ଉଠିବା ସହ ବୃଦ୍ଧି ପାଉଛି ରେଳ ମାଲ ପରିବହନ

ନୂଆଦିଲ୍ଲୀ : କୋଭିଡ-୧୯ ଯୋଗୁଁ ଦେଶବ୍ୟାପୀ ଲକଡାଉନ କାଳରେ ଭାରତୀୟ ରେଳ ଏହାର ମାଲ ଓ ପାର୍ସଲ ସେବା ଜରିଆରେ ଦେଶର ବିଭିନ୍ନ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ ଲାଗିଛି । ଭିତ୍ତିଭୂମି କ୍ଷେତ୍ର ଓ ସାଧାରଣ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଉଦ୍ଦେଶ୍ୟରେ ଲକଡାଉନ ସତ୍ଵେ ମଧ୍ୟ ରେଳବାଇ ମାଲ ପରିବହନ କରି ଉଭୟ ଜନସାଧାରଣ ଓ କଳକାରଖାନାଗୁଡିକର ଆବଶ୍ୟକତା ପୂରଣ କରିଛି । ମେ’ ମାସରେ ଭାରତୀୟ ରେଳ୮୨.୨୭ ନିୟୁତ ଟନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରିଛି, ଯାହାକି ଏପ୍ରିଲ ମାସର ପରିବହନ ହୋଇଥିବା ୬୫.୧୪ ନିୟୁତ ଟନ ତୁଳନାରେ ଶତକଡା ୨୫ ଭାଗ ଅଧିକ । ଏପ୍ରିଲ ପହିଲାରୁ ଆଜି ପର୍ଯ୍ୟନ୍ତ ଭାରତୀୟ ରେଳ ୧୭୫.୪୬ ନିୟୁତ ଟନ ଅତ୍ୟାବଶ୍ୟକ ସାମଗ୍ରୀ ନୀରବଚ୍ଛିନ୍ନ ଭାବେ ଯୋଗାଣ କରିଛି । ମାର୍ଚ୍ଚ ୨୪ଠାରୁ ଯୋଗାଣ ବ୍ୟବସ୍ଥାକୁ ସକ୍ରିୟ ରଖିବା ପାଇଁ ଭାରତୀୟ ରେଳ ୩୧.୯୦ ଲକ୍ଷ ୱାଗନ ମାଲ ଯୋଗାଇଛି । ସେଥିରୁ ୧୭.୮୧ ଲକ୍ଷ ୱାଗନ ଖାଦ୍ୟ ଶସ୍ୟ, ଲୁଣ, ଚିନି, କ୍ଷୀର, ଖାଇବା ତେଲ, ପିଆଜ, ଫଳ, ପନିପରିବା, ପେଟ୍ରୋଲ ଜାତ ସାମଗ୍ରୀ, କୋଇଲା ଓ ସାର ଭଳି ଅତ୍ୟାବଶ୍ୟକ ଜିନିଷ । ଏପ୍ରିଲ ପହିଲାରୁ ଆଜି ପର୍ଯ୍ୟନ୍ତ ରେଳବାଇ ୧୨.୫୬ ଲକ୍ଷ ଟନ ଖାଦ୍ୟ ଶସ୍ୟ ପରିବହନ କରିଛି ଯାହାକି ଗତ ବର୍ଷର ୬.୭ ଲକ୍ଷ ଟନ ଅଧିକ । ଏହା ବ୍ୟତୀତ ୨୨ ମାର୍ଚ୍ଚ ଠାରୁ ଆଜି ପର୍ଯ୍ୟନ୍ତ ଭାରତୀୟ ରେଳ ୩,୮୬୧ଟି ପାର୍ସଲ ଟ୍ରେନ ଚଳାଇଛି । ସେଥିରୁ ୩,୭୫୫ଟି ନିୟମିତ ଟ୍ରେନ ଶ୍ରେଣୀର ଅନ୍ତର୍ଭୁକ୍ତ । ପାର୍ସଲ ଟ୍ରେନଗୁଡିକରେ ୧,୩୭,୦୩୦ ଟନ ସାମଗ୍ରୀ ପଠାଯାଇଛି । କୋଭିଡ-19 କାଳରେ ଔଷଧପତ୍ର ସାମଗ୍ରୀର ଗୁରୁତ୍ଵ ଦୃଷ୍ଟିରୁ ସେଗୁଡିକ ମଧ୍ୟ ପରିବହନ କରାଯାଇଛି । କେତେକ ବଛା ବଛା ରାସ୍ତାରେ ସ୍ଵତନ୍ତ୍ର ପାର୍ସଲ ଟ୍ରେନ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଅବ୍ୟାହତ ରଖିବା ପାଇଁ ଚଳାଯାଇଛି । ପାର୍ସଲ ସ୍ଵତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଆଞ୍ଚଳିକ ରେଳବାଇ ମଣ୍ଡଳଗୁଡିକ ବିଭିନ୍ନ ରୁଟ ପରିଚାଳନା ଭାର ନେଇଥିଲେ । ବର୍ତ୍ତମାନ ୯୬ଟିରୁଟରେ ଏହି ଟ୍ରେନଗୁଡିକ ଚଳାଚଳ କରୁଛି । ଯେଉଁ ରୁଟଗୁଡିକ ଏଥିପାଇଁ ଚିହ୍ନଟ ହୋଇଛି ସେଗୁଡିକ ହେଲା, ଦେଶର ପ୍ରମୁଖ ସହରଗୁଡିକ ସହ ନିୟମିତ ସଂଯୋଗ, ତାହା ହେଉଛି ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ, ରାଜ୍ୟ ରାଜଧାନୀରୁ ଦେଶର ସମସ୍ତ ପ୍ରମୁଖ ମହାନଗରୀ ସହ ଯୋଗାଯୋଗ, ଦେଶର ଉତ୍ତରପୂର୍ବାଞ୍ଚଳ ସହ ସଂଯୋଗୀକରଣର ସୁନିଶ୍ଚିତତା, ବଳକା ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥ ସ୍ଥାନ (ଗୁଜରାଟ, ଆନ୍ଧ୍ରପ୍ରଦେଶ)ରୁ ଚାହିଦା ଥିବା ଅଞ୍ଚଳକୁ ଯୋଗାଣ, ଅତ୍ୟାବଶ୍ୟକ ସାମଗ୍ରୀ (କୃଷିଜାତ ଦ୍ରବ୍ୟ, ଔଷଧପତ୍ର ଓ ମେଡିକାଲ ଯନ୍ତ୍ରାଂଶ)ଗୁଡିକର ଉତ୍ପାଦିତ ଅଞ୍ଚଳରୁ ଦେଶର ଅନ୍ୟଭାଗକୁ ଯୋଗାଣ ଦେଶର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣରେ ଯେପରି ବ୍ୟାହତ ନହୁଏ ସେଥିପାଇଁ ବିଭିନ୍ନ ରେଳବାଇ ଗୋଦାମ, ଷ୍ଟେସନ ଓ ନିୟନ୍ତ୍ରଣ କାର୍ଯ୍ୟାଳୟରେ କର୍ମଚାରୀମାନେ ଅହୋରାତ୍ର କାର୍ଯ୍ୟ କରୁଛନ୍ତି । ବାହାନ ଚାଳକ ଏବଂ ସୁରକ୍ଷା କର୍ମୀମାନେ ଦକ୍ଷତା ସହ ଟ୍ରେନ ଚଳାଇଛନ୍ତି । ଟ୍ରାକ, ସିଗନାଲ ଓ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କର୍ମଚାରୀ ରେଳଗୁଡିକର ନିରବଚ୍ଛିନ୍ନ ଯାତ୍ରାକୁ ସୁନିଶ୍ଚିତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ