ଲକଡାଉନ ୩.୦ : ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ୱର : ଆଜି ଠାରୁ ଚଉଦ ଦିନିଆ ଲକଡାଉନ ୩.୦ ଆରମ୍ଭ ହେଉଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର କେତେକ କ୍ଷେତ୍ରରେ କୋହଳ କରିବା ନେଇ ଘୋଷଣା କରିସାରିଛନ୍ତି । ଅପରପକ୍ଷରେ ରାଜ୍ୟର କରୋନା ସ୍ଥିତିକୁ ଅନୁଶୀଳନ କରି ରାଜ୍ୟ ସରକାର ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି । କଂଟେନମେଂଟ ଜୋନରେ ସବୁ ପ୍ରକାର କଟକଣା ଥିବାବେଳେ ରେଡ଼ ଜୋନ, ଅରେଂଜ ଜୋନ ଓ ଗ୍ରୀନ ଜୋନରେ କଟକଣା କୋହଳ କରାଯାଇଛି ।
ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ, ବିମାନ ଓ ଟ୍ରେନ ସେବା ବନ୍ଦ ରହିବ । ତେବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଗାଇଡ଼ଲାଇନ ଅନୁଯାୟୀ ସ୍ୱାସ୍ଥ୍ୟ ଓ ସୁରକ୍ଷା ଭଳି କେତେକ କ୍ଷେତ୍ରରେ ଏହି ସେବା ଜାରି ରହିବ । ଆନ୍ତଃ ରାଜ୍ୟ ଓ ଆନ୍ତଃ ଜିଲ୍ଲା ବସ ସେବା ମଧ୍ୟ ବନ୍ଦ ରହିବ ବୋଲି ଗାଇଡ଼ଲାଇନରେ ଉଲ୍ଳେଖ ରହିଛି । ସେହିପରି ଚିକିତ୍ସା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ନିମନ୍ତେ ବ୍ୟକ୍ତିଙ୍କୁ ଆନ୍ତଃ ରାଜ୍ୟ ଗମନାଗମନ ପାଇଁ ଅନୁମତି ମିଳିବ ନାହିଁ । ସ୍କୁଲ, କଲେଜ ସମେତ ସବୁ ଶିକ୍ଷା ପ୍ରତିଷ୍ଠାନ ବନ୍ଦ ରହିବ । ତେବେ ଅନଲାଇନ ଓ ଦୂର ଶିକ୍ଷା କାର୍ଯ୍ୟକ୍ରମକୁ ଅନୁମତି ମିଳିବ । ସିନେମା ହଲ, ସପିଂ ମଲ, ଜିମ୍ନାସିୟମ, ସ୍ପୋର୍ଟସ କମ୍ପ୍ଲେକ୍ସ, ସ୍ୱିମିଂ ପୁଲ, ଥିଏଟର, ବାର ବନ୍ଦ ରହିବ । କୌଣସି ପ୍ରକାର ସାମାଜିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ । ଅପରପକ୍ଷରେ ଧର୍ମପୀଠ ମଧ୍ୟ ପୂର୍ବଭଳି ବନ୍ଦ ରହିବ ବୋଲି ଗାଇଡ଼ଲାଇନରେ ଉଲ୍ଲେଖ ରହିଛି । ସମସ୍ତ ରେଡ଼, ଅରେଂଜ ଓ ଗ୍ରୀନ ଜୋନରେ ଏହା ଲାଗୁ ହେବ ।
ଅପରପକ୍ଷରେ ସାଇକେଲ ରିକ୍ସା ଓ ଅଟୋ ରିକ୍ସା କେବଳ ଅରେଂଜ ଓ ଗ୍ରୀନ ଜୋନରେ ହିଁ ଚାଲିପାରିବ । ଟାକ୍ସି ଓ କାବଗୁଡ଼ିକ ଅରେଂଜ ଜେନରେ ମାତ୍ର ୨ଜଣ ଯାତ୍ରୀଙ୍କୁ ନେଇ ଯାଇପାରିବ । ରେଡ଼ ଜୋନରେ କେବଳ ସ୍ୱାସ୍ଥ୍ୟ କର୍ମଚାରୀ ଓ ରୋଗୀଙ୍କୁ ନେଇ କାବ ଓ ଟାକ୍ସି ଯାଇପାରିବ । ସେଲୁନ ଓ ସ୍ପା ଭଳି ଦୋକାନଗୁଡ଼ିକ କେବଳ ଅରେଂଜ ଜୋନ ଓ ଗ୍ରୀନ ଜୋନରେ ହିଁ ଖୋଲିପାରିବ ବୋଲି ଗାଇଡ଼ଲାଇନରେ ସ୍ପଷ୍ଟ ଭାବେ ଉଲ୍ଳେଖ ରହିଛି ।
ବ୍ୟକ୍ତିଗତ ଭାବେ ଗାଡ଼ିରେ ଯିବା ଆସିବା ନେଇ କଂଟେନମେଂଟ ଜୋନରେ ପ୍ରତିବନ୍ଧକ ଲାଗିଥିବାବେଳେ ରେଡ଼ ଜୋନରେ ୨ ଜଣ ଯାତ୍ରୀଙ୍କୁ ନେଇ ଚାରିଚକିଆ ଯାଇପାରିବ । ହେଲେ ବାଇକରେ ପଛରେ କେହି ବସିବେ ନାହିଁ । ଅରେଂଜ ଓ ଗ୍ରୀନ ଜୋନରେ ସେଭଳି ପ୍ରତିବନ୍ଧକ ନାହିଁ । ବାଇକରେ ଦୁଇଜଣ ଓ ଚାରିଚକିଆରେ ଡ୍ରାଇଭରଙ୍କ ବ୍ୟତୀତ ଆଉ ୨ ଜଣ ଯାଇପାରିବେ । ସେମାନେ ଆନ୍ତଃ ଜିଲ୍ଲା ଗମନାଗମନ କରିପାରିବେ ।
ସହରାଂଚଳର ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ କଟେଂନମେଂଟ ଜୋନରେ ଖୋଲିପାରିବ ନାହିଁ । ରେଡ଼ ଜୋନରେ ଏସଇଜେଡ଼, ରପ୍ତାନୀ, ମାନୁଫାକଚରିଂ, ଫାର୍ମା ଭଳି କ୍ଷେତ୍ରରେ ଖୋଲିପାରିବ । କିନ୍ତୁ ଅରେଂଜ ଓ ରେଡ଼ ଜୋନରେ କୌଣସି କଟକଣା ନାହିଁ । ଗ୍ରାମାଂଚଳରେ କଂଟେନମେଂଟ ଜୋନକୁ ଛାଡ଼ିଦେଲେ ବାକି ସମସ୍ତ ଅଂଚଳରେ ଶିଳ୍ପ ପ୍ରତିଷ୍ଠାନ ଚାଲିପାରିବ । ନିର୍ମାଣ କାର୍ଯ୍ୟ ପାଇଁ ରେଡ଼ ଜୋନରେ ବାହାରୁ ଶ୍ରମିକ ଆସିପାରିବେ ନାହିଁ । କିନ୍ତୁ ଅରେଂଜ ଓ ଗ୍ରୀନ ଜୋନରେ ପ୍ରତିବନ୍ଧକ ରହିନାହିଁ । ଗ୍ରାମାଂଚଳରେ କଂଟେନମେଂଟ ଜୋନକୁ ଛାଡ଼ି ଅବଶିଷ୍ଟ ଜୋନରେ ନିର୍ମାଣ କାର୍ଯ୍ୟ କରାଯାଇପାରିବ ।
ରେଡ଼ ଜୋନରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବ । କିନ୍ତୁ ଅରେଂଜ ଓ ଗ୍ରୀନ ଜୋନରେ ସବୁ ଦୋକାନ ଖୋଲିପାରିବ । ସିଙ୍ଗଲ ସପ, କଲୋନୀ ବା ଆବାସିକ କମ୍ପ୍ଲେକ୍ସରେ ଥିବା ଦୋକାନ ସବୁ ଜୋନରେ ଖୋଲିପାରିବ । କିନ୍ତୁ ମଲକୁ ଅନୁମତି ମିଳିବ ନାହିଁ । ଗ୍ରାମାଂଚଳରେ ମଧ୍ୟ ମଲ ବ୍ୟତୀତ ସବୁ ଦୋକାନ ଖୋଲିବ । ଇ-କମର୍ସ କ୍ଷେତ୍ରରେ ରେଡ଼ ଜୋନରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଅନୁମତି ମିଳିବ । କିନ୍ତୁ ଅନ୍ୟ ଦୁଇ ଜୋନ ପାଇଁ କଟକଣା ରହିନାହିଁ । ରେଡ଼ ଜୋନରେ ବେସରକାରୀ ଅଫିସ ୩୦% କର୍ମଚାରୀଙ୍କୁ ନେଇ ଚାଲିପାରିବ । କିନ୍ତୁ ଅନ୍ୟ ଦୁଇ ଜୋନ ପାଇଁ କଟକଣା ରଖାଯାଇନାହିଁ । ରାଜ୍ୟ ସରକାରଙ୍କ ଅଫିସଗୁଡ଼ିକ ସରକାରଙ୍କ ନିର୍ଦ୍ଦେଶାନାମା ଆଧାରରେ ଖୋଲିପାରିବ । ଦ୍ରବ୍ୟ ଓ କାର୍ଗୋ ଆନ୍ତଃ ରାଜ୍ୟ ଓ ଆନ୍ତଃ ଜିଲ୍ଲା ଗମନାଗମନ, ବ୍ୟାଙ୍କ ଭଳି ଆର୍ଥିକ ସେବା ପାଇଁ କୌଣସି ଜୋନରେ କଟକଣା ରହିନାହିଁ । ମନରେଗା, ଜଳସେଚନ, ପାନୀୟ ଜଳଯୋଗାଣ କାର୍ଯ୍ୟ ପାଇଁ କୌଣସି ପ୍ରତିବନ୍ଧକ ନାହିଁ ।


