ଲକଡାଉନ ୪.୦, କଟକଣାକୁ ଆବଶ୍ୟକ ସ୍ଥଳେ ଅଧିକ କଠୋର କରିପାରିବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର

ନୂଆଦିଲ୍ଲୀ : କୋଭିଡ-୧୯ର ମୁକାବିଲା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ କଟକଣା ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଏକ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏଥି ସହିତ ଚତୁର୍ଥ ପର‌୍ୟ୍ୟାୟ ଲକଡାଉନକୁ ଲାଗୁ କରାଯିବା ସହ ଏହା ଆସନ୍ତା ୩୧ ତାରିଖ ପର‌୍ୟ୍ୟନ୍ତ ବଳବତ୍ତର ରହିବ । ଏହି ପର‌୍ୟ୍ୟାୟରେ ପୂର୍ବରୁ ଜାରି ବ୍ୟାପକ ଓ କଠୋର କଟକଣା ଆଦିକୁ ଯଥେଷ୍ଟ କୋହଳ କରାଯାଇଛି । ଆଜିଠାରୁ କାର‌୍ୟ୍ୟକାରୀ ହୋଇଥିବା ନୂଆ ଗାଇଡ ଲାଇନ (ନିର୍ଦ୍ଦେଶାବଳୀ) ଅନୁସାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଂଶୋଧିତ ନିର୍ଦ୍ଦେଶାବଳୀ (୧୭/୫/୨୦୨୦) ଅନୁସାରେ ଏବେ ନିଜ ନିଜର ରେଡ, ଅରେଞ୍ଜ ଓ ଗ୍ରୀନ ଜୋନଗୁଡିକର ଚିହ୍ନଟ ଓ ନିର୍ଦ୍ଧାରଣ କରିପାରିବେ । ଏହିସବୁ ଜୋନ ମଧ୍ୟରେ ଥିବା କଣ୍ଟେନମେଣ୍ଟ ଓ ବଫର ଜୋନର ଚିହ୍ନଟକରଣ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ପୃକ୍ତ ଇଲାକାର ବୈଷୟିକ ପରିସ୍ଥିତିକୁ ବିଚାରକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଅନୁସାରେ ନିର୍ଦ୍ଧାରଣ କିମ୍ବା ପୁନଃ ନିର୍ଦ୍ଧାରଣ ହେବ । କଣ୍ଟେନମେଣ୍ଟ ଜୋନ ଭିତରେ ପୂର୍ବଭଳି କଡା କଟକଣା ଜାରି ରହିବ । ସେସବୁ ଅଞ୍ଚଳରେ କେବଳ ଅତ୍ୟାବଶ୍ୟକ କାର‌୍ୟ୍ୟ ସହ ଅନ୍ୟ କିଛି ହେବ ନାହିଁ । ରାଜ୍ୟ ସରକାରମାନେ ଏସବୁ ଅଞ୍ଚଳରେ ମନଇଚ୍ଛା କୌଣସି କୋହଳ ପଦକ୍ଷେପ ନେଇପାରିବେ ନାହିଁ ବୋଲି ଏହି ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରି ଦିଆଯାଇଛି । ଦେଶବ୍ୟାପୀ ଏହି ବ୍ୟବସ୍ଥା ଅନ୍ୟାଦେଶ ପର‌୍ୟ୍ୟନ୍ତ ବଳବତ୍ତର ରହିବ । ଯେଉଁସବୁ କାର‌୍ୟ୍ୟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ନିଷିଦ୍ଧ କରାଯାଇଛି, ତା ବାହାରେ ଥିବା ଅନ୍ୟାନ୍ୟ କାର‌୍ୟ୍ୟ ଚାଲିପାରିବ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସଂଶୋଧିତ ନିର୍ଦ୍ଦେଶାବଳୀରେ ଲକଡାଉନ କଟକଣାକୁ ଯଥେଷ୍ଟ କୋହଳ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାରମାନେ ମନଇଚ୍ଛା ତାହାକୁ ଅଧିକ କୋହଳ ଓ ଏପଟସେପଟ କରିପାରିବେ ନାହିଁ । ଆବଶ୍ୟକ ପଡିଲେ ରାଜ୍ୟ ସରକାର ସମୂହ ସ୍ଥାନୀୟ ଆବଶ୍ୟକତା, ସ୍ଥିତି ଓ ବାସ୍ତବତାକୁ ବିଚାରକୁ ନେଇ କଟକଣାକୁ ଅଧିକ କଠୋର ଏବଂ କେତେକ କାମ ଉପରେ ନିଷେଧାଜ୍ଞା ଜାରି କରିପାରିବେ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ସ୍ଥାନୀୟ ଭାବେ କୌଣସି ଜୋନ ନିର୍ଦ୍ଧାରଣ କରିବା ବେଳେ ରାଜ୍ୟ ସରକାରମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ କାମ କରିବାକୁ ପଡିବ । ଏ କ୍ଷେତ୍ରରେ ଧାର‌୍ୟ୍ୟ ମାନଦଣ୍ଡ ଓ ନୀତିନିୟମ ଅବଶ୍ୟ ପାଳନୀୟ । ଏ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ସ୍ଥାନୀୟ ଭାବେ ବ୍ୟାପକ ପ୍ରଚାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ