ଲକ୍ଡାଉନରେ ବି ବିବାହ: ଅନ୍ଲାଇନରେ ୨ ଶହ ଅତିଥି ସାମିଲ
ଟେକ୍ସାସ: ଚୀନରୁ ଆରମ୍ଭ ହୋଇଥିବା କୋରୋନା ଭାଇରସ ସଂକ୍ରମଣ ଏବେ ୨ ଶହରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପି ସାରିଲାଣି। ଏବେ ଏଥିରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି ବିଶ୍ୱର ବିକାଶଶୀଳ ଦେଶ ଆମେରିକା । ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ବେଳେ ହଜାର ହଜାର ନୂଆ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଉଛି। ନ୍ୟୁୟର୍କ ଏହାର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ଲୋକେ ଆବଶ୍ୟକ ନ ଥିଲେ ଘରୁ ବାହାରୁ ନାହାନ୍ତି। ଏମିତିକି ବିବାହ ପାଇଁ ପୂର୍ବରୁ ତାରିଖ ସ୍ଥିର ହୋଇଥିଲେ ମଧ୍ୟ ଲୋକେ ଏହାକୁ ଘୁଞ୍ଚାଇ ଦେଉଛନ୍ତି।
ଏପରିସ୍ଥଳେ ଟେକ୍ସାସର ଅଷ୍ଟିନ ସହରରେ ଦେଖିବାକୁ ମିଳିଛି ଏକ ବ୍ୟତିକ୍ରମ। ଏଠାରେ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଏକ ନବଦମ୍ପତି ବିବାହ କରିଛନ୍ତି। ଅବଶ୍ୟ ଏମାନେ ଅନ୍ଲାଇନରେ ବିବାହ କରିଥିବା ବେଳେ ଅନ୍ଲାଇନରେ ମଧ୍ୟ ପାଖାପାଖି ୨ ଶହ ଅତିଥି ଏହି ବିବାହ ଉତ୍ସବରେ ଯୋଗ ଦେଇଥିବା ଜଣାପଡିଛି। ଇଥାନ ପୋଲକ ଓ କୈଟିଲିନ ଦିଲଓ୍ବର୍ଥ ନାମକ ଏହି ବର ଓ କନ୍ୟା ମାର୍ଚ୍ଚ ୨୮ ତାରିଖରେ ବିବାହ କରିଥିବା ଜଣାପଡିଛି। ତେବେ ଲକ୍ଡାଉନ ପାଇଁ ଏମାନେ ବିବାହ ଘୁଞ୍ଚାଇବାକୁ ଚାହୁଁ ନ ଥିବା ବେଳେ ସେମାନେ ତାଙ୍କର ସମସ୍ତ ଅତିଥିଙ୍କୁ ଇମେଲ ଯୋଗେ ପୂର୍ବରୁ ଏକଥା ଜଣାଇ ଦେଇଥିଲେ। ଆଉ ଅତିଥିମାନେ ଲକ୍ଡାଉନ ନିୟମକୁ ମାନି ବିବାହ ଉତ୍ସବରେ ଯୋଗଦେବା ଭଳି ସଜେଇ ହୋଇ ଏହି ଅନ୍ଲାଇନ ବିବାହରେ ଯୋଗଦେଇ ଥିଲେ।


