ଲକ୍ଡାଉନ୍୧୪ ଦିନରେ ପହଞ୍ଚିଲା ଗଜପତି ଜିଲ୍ଲାର ସବୁ ସୀମା ସିଲ୍,୧୦ଟା ପରେ ସାରା ଜିଲ୍ଲା ଶୁନ୍ଶାନ୍
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଲକ୍ଡାଉନ୍ ଆଜି ୧୪ ଦିନରେ ପହଞ୍ଚିଲା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଲକ୍ଡାଉନ୍କୁ ଗଜପତି ଜିଲ୍ଲାରେ ବେଶ କଡାକଡି କରାଯାଇଛି । ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରାଯାଇଛି । ଆଜି ଠାରୁ ସକାଳ ୧୦ଘଣ୍ଟା ପରେ ଜିଲ୍ଲା ସାରା ଶୁନ୍ଶାନ୍ ଦେଖାଦେଇଛି । ପୋଲିସ ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାରେ ପଇଁତରାକୁ କଠୋର କରିଛି । କୌଣସି ବ୍ୟକ୍ତି ବାହାରକୁ ବାହାରି ନ ଥିବା ଯୋଗୁଁ ଜିଲ୍ଲା ସାରା ଖାଁ ଖାଁ ଦେଖାଦେଇଛି । ଆଜି ସକାଳ ୧୦ଘଣ୍ଟା ପର ଠାରୁ ସମଗ୍ର ଜିଲ୍ଲାରେ ପ୍ରାୟତଃ ସମସ୍ତ ପ୍ରକାର ଯାନବାହନ ଚଳାଚଳ ବନ୍ଦ ରହିଛି । ଆଜି ଠାରୁ ଅପରାହ୍ନ ୫ଘଣ୍ଟା ଠାରୁ ପୁଣି ରାତ୍ର ୭ଘଣ୍ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ପନିପରିବା ଆଦି ଦୋକାନ ଖୋଲା ରହିବ । ଏହି ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ୫୪ଜଣ ବିଦେଶରୁ ଏବଂ ରାଜ୍ୟ ବାହାରୁ ୪୬୫୫ଜଣ ଗତକାଲି ସୋମବାର ରାତ୍ର ସୁଦ୍ଧା ପହଞ୍ଚି ଛନ୍ତି । ଏମାନଙ୍କ ପ୍ରତି ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ସମ୍ପୁର୍ଣ୍ଣ ସଜାଗ ରହି ସମସ୍ତ ଅନୁଧ୍ୟାନ ଜାରି ରଖିଛନ୍ତି । ଏ ନେଇ ଆଜି ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୁଚନା ଦେଇ କହିଛନ୍ତି, ସମଗ୍ର ଜିଲ୍ଲାରେ କରୋନାରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସଚେତନ କରାଯିବା ସହ ଲକ୍ଡାଉନ୍କୁ ଆଜି ଠାରୁ କଡାକଡି କରାଯାଇଛି । ସକାଳ ୬ଘଣ୍ଟାରୁ ୧୦ଘଣ୍ଟା ଏବଂ ଅପରାହ୍ନ ୫ଘଣ୍ଟା ଠାରୁ ପୁଣି ରାତ୍ର ୭ଘଣ୍ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ । ଆବଶ୍ୟକ ଥିବା ଲୋକେ କେବଳ ପାଦ ଚଲାରେ ସାମାଜିକ ଦୁରତା ରକ୍ଷା କରି ଦୋକାନରୁ କିଣି ପାରିବେ । ଯେ କୌଣସି ପ୍ରକାର ଯାନବାହନ ଚଳାଚଳ ନିଷେଧ କରାଯାଇଛି । ଏହାକୁ ଭଙ୍ଗ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲାରେ କରୋନାକୁ ପ୍ରତିହତ କରିବା ପାଇଁ ପାରଳାଖେମୁଣ୍ଡି ସହର ଉପକଣ୍ଠରେ କୋଭିଡ୍-୧୯ ସ୍ୱତନ୍ତ୍ର ଡାକ୍ତରଖାନା ଅତି ଚଞ୍ଚଳ କାର୍ଯ୍ୟାରମ୍ଭ କରିବ । ଏହାଛଡା ଜିଲ୍ଲାର ସମସ୍ତ ଡାକ୍ତରଖାନା ଗୁଡିକରେ ଆବଶ୍ୟକ କରୋନା କକ୍ଷ ପ୍ରସ୍ତୁତ ରହିଥିବା ବେଳେ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ଲୋକଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଦ୍ୱାରା ସମସ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆ ଯିବ । ତେଣୁ କୌଣସି ବ୍ୟକ୍ତି ଭୟଭୀତ ନ ହୋଇ ସରକାରଙ୍କ ଲକ୍ଡାଉନ୍ ନିୟମକୁ ମାନି ନିଜନିଜ ଘରେ ସୁରକ୍ଷାରେ ରୁହନ୍ତୁ ।


