ଲକ୍ଡାଉନ୍ ଯୋଗୁଁ ଦୁଃସ୍ଥ ଥିବା ପରିବାରଙ୍କୁ ଗଜପତି ପ୍ରଶାସନର ସହାୟତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଲକ୍ଡାଉନ୍ ଯୋଗୁଁ ବିଭିନ୍ନ ଅଭାବ ଅସୁବିଧା ମଧ୍ୟରେ ଗତି କରୁଥିବା ଲୋକଙ୍କୁ ଗଜପତି ପ୍ରଶାସନ ସହାୟତା ପ୍ରଦାନ କରିଛି । ଗରିବରୁ ଅତି ଗରିବଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଛି । ଗଜପତି ଜିଲ୍ଲାର ମୋଟର ଚାଳକ ସଙ୍ଗଠନ ତରଫରୁ କିଛି ସହାୟତା ପ୍ରଦାନ ନିମନ୍ତେ ଜିଲ୍ଲାପାଳ ଗଜପତିଙ୍କ ଠାରେ ଆବେଦନ କରିଥିଲେ । ଏହି ଆବେଦନକୁ କେନ୍ଦ୍ର କରି ଜିଲ୍ଲାପାଳ ସେମାନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତାପରେ ଉକ୍ତ ସଙ୍ଗଠନକୁ ପତ୍ର ମାଧ୍ୟମରେ ତାଙ୍କ ସଙ୍ଗଠନରେ ଅନ୍ତର୍ଭୁକ୍ତ ବିିଭିନ୍ନ ପରିବାରଙ୍କ ସମୁହ ବିବରଣୀ ଗୋଟିଏ ଫର୍ମାଟରେ ମଗାଗଲା । ସେହି ପତ୍ର ପାଇବାପରେ ଉକ୍ତ ସଙ୍ଗଠନ ୯୭ଗୋଟି ପରିବାରର ସମୂହ ବିବରଣୀ ପ୍ରଦାନ କରିଥିଲେ । ସେମାନଙ୍କ ମଧ୍ୟରୁ ୬୯ ପରିବାର ଏ ପାଖରେ ଖାଉଟି କାର୍ଡ ଥିବା ବେଳେ ଅନ୍ୟ ୨୮ଗୋଟି ପରିବାରର ଆର୍ଥିକ ସ୍ଥିତି ସଂଗ୍ରହ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ଗୋଟି ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ଜଣାପଡିଥିଲା । ସେହି ୬ଗୋଟି ପରିବାରକୁ ମୁଣ୍ଡପିଛା ୫କେଜି ଚାଉଳ ଓ ପ୍ରତି ପରିବାରକୁ ୧କେଜି ଡାଲି ୩ମାସ ପାଇଁ ଦିଆଯାଇଥିବା ଜଣାପଡିଛି । ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁସ୍ଥ ପରିବାରରୁ ସହାୟତାରୁ ଦୂରରେ ଥିବେ ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୂଚନା ଦେବାକୁ କୁହା ଯାଇଛି ।


