ଲକ ଡାଉନର ପ୍ରଭାବ: ଫଳ ଓ ପନିପରିବା ବେପାର ମାନ୍ଦା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ୱରେ ଲକ ଡାଉନ ପରିସ୍ଥିତି ଉପୁଜିଛି,ଯାହା ଫଳରେ ଚଳିତ ବର୍ଷ ଫଳ ଓ ପନିପରିବା ବେପାର ସଂପୂର୍ଣ୍ଣ ମାନ୍ଦା। ନା ବଜାରରେ ପର୍ଯ୍ୟାପ୍ତ ମାତ୍ରାରେ ଫଳ ଅଛି ନା ଲୋକ କିଣିବା ପାଇଁ ଦୋକାନକୁ ଆସୁଛନ୍ତି। ଋତୁ ବ୍ୟବସାୟୀଙ୍କ ବ୍ୟବସାୟ ମଧ୍ୟ ଠପ୍ ହୋଇଯାଇଛି। ୪ ମାସ ବେପାର କରି ବର୍ଷେ ଚଳୁଥିବା ଏହି ବ୍ୟବସାୟୀମାନେ ଏବେ ବେପାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ରାଜ୍ୟ ବାହାରୁ ଆସୁଥିବା ଗାଡ଼ିଚାଳକମାନେ କରୋନା ପାଇଁ ବାଟରେ ଆସିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାଟରେ ଯିବା ସମୟରେ ହୋଟେଲ ବନ୍ଦ ରହୁଥିବାରୁ ଅନେକ ଗାଡ଼ି ଚାଳକ ଆସିବାକୁ ରାଜି ହେଉ ନାହାନ୍ତି। ଯେଉଁମାନେ ବି ଆସିବାକୁ ଚାହୁଁଛନ୍ତି ପୂର୍ବାପେକ୍ଷା ଟ୍ରିପ୍ ପିଛା ଦରକୁ ଦୁଇଗୁଣ ବଢ଼ାଇ ଦେଉଛନ୍ତି। ତେଣୁ କେଜି ପିଛା ଦରରେ ୨ ରୁ ୧୦ ଟଙ୍କା ବୃଦ୍ଧି ଘଟିଥିବା ଫଳ ଓ ପନିପରିବା ବ୍ୟବସାୟୀ ମାନେ କହିଛନ୍ତି।ଜନୈକ ବ୍ୟବସାୟୀଙ୍କ କହିବାନୁଯାୟୀ, ଗଲା ଋତୁରେ ବଜାରକୁ ଯେଉଁ ପରିମାଣରେ ଫଳ ଓ ପନିପରିବା ଆସୁଥିଲା ଲକ ଡାଉନ ଯୋଗୁଁ ବର୍ତ୍ତମାନ ଉନ୍ନତମାନର ଫଳ ଓ ପନିପରିବା ଆସୁନାହିଁ। ଯେଉଁ କିଛି ଲୋକ ଫଳ କିଣିବାକୁ ଆସୁଛନ୍ତି ଭଲ ଫଳ ନ ପାଇ ଫେରିଯାଉଛନ୍ତି। ତାଙ୍କ କହିବା କଥା ହେଉଛି, ବାହାର ରାଜ୍ୟରୁ ଅର୍ଥାତ ପ୍ରାୟତଃ ଆନ୍ଧ୍ରପ୍ରଦେଶରୁ ବ୍ରହ୍ମପୁରକୁ ଆସୁଥିଲା, ସେଠାରୁ ବାଲିଗୁଡାକୁ ଆସୁଥିଲା l ଏଥର କିନ୍ତୁ କରୋନା ଯୋଗୁଁ ଫଳ ପରିବହନରେ ଅସୁବିଧା ହେଉଛି। ଏଠାକୁ ଆସୁଥିବା ଫଳ ଦର ମଧ୍ୟ ଅଧିକ ରହୁଛି। ତେଣୁ ବ୍ୟବସାୟୀମାନେ ଅଧିକ ଦାମ୍ ଦେଇ ଫଳ କିଣୁଛନ୍ତି, କିନ୍ତୁ ତାକୁ ନେବାକୁ ଗ୍ରାହକ ନାହାନ୍ତି। ପନିପରିବା ଅବସ୍ଥା ମଧ୍ୟ ତହୁଁ ତଦୃପ l କରୋନା ପାଇଁ ବାଲିଗୁଡା ବଜ଼ାର ସକାଳ 7ଟା ରୁ 11ଟା ପର୍ଯ୍ୟନ୍ତ ଖୋଲା ଯାଉଛି, ସେହି ସମୟ ସୀମା ମଧ୍ୟରେ ବ୍ୟବସାୟୀକ ସ୍ଥିତି ଯାହା ରହିବ, ସେଥିରୁ ଅନୁମେୟ l ଫଳ ଓ ପନିପରିବା ବଜାରରେ ଉପୁଜିଥିବା ପରିସ୍ଥିତିରେ କେବେ ସୁଧାର ଆସିବ ତାହା ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ