ଲକ ଡାଉନ ନିୟମକୁ ନାଉଗାଁରେ ମାନୁ ନାହାନ୍ତି

ନାଉଗାଁ:କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶର ପ୍ରଧାନମନ୍ତ୍ରୀ ଲକ ଡାଉନ ଘୋଷଣା କରିଛନ୍ତି । ଏହାକୁ ଜନସାଧାରଣମାନେ ମାନିବା ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଅନୁରୋଧ କରିବା ସହିତ ସଚେତନ କରୁଛନ୍ତି ।ଏପରିକି ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ଓ ଡାକ ବାଜି ଯନ୍ତ୍ର ସହାୟତାରେ ସଚେତନତା କରାଯାଉଛି । ହେଲେ ଲୋକମାନେ ଏହାକୁ କର୍ଣ୍ଣପାତ ନକରି ନିଜେ ଓ ନିଜ ପରିବାର ସହିତ ସାରା ଦେଶକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି । ଯାହା ଦେଖିବାକୁ ମିଳୁଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କ୍ଷେତ୍ରରେ । ସରକାରଙ୍କ ଦ୍ୱାରା ଅତ୍ୟାବଶ୍ୟକୟ ସାମଗ୍ରୀ ଦୋକାନ ଖୋଲା ହେବା ପାଇଁ ନିର୍ଦ୍ଦେଶ ରହିଛି । ଗ୍ରାହକମାନେ କିପରି ସାମାଜିକ ଦୂରତା ଅବଲମ୍ବନ କରିବେ, ଏଥିପ୍ରତି ଦୃଷ୍ଟି ଦେବାକୁ ଦୋକାନୀମାନଙ୍କୁ ନିଦ୍ଦେର୍ଶ ଦିଆଯାଇଛି । କିନ୍ତୁ ଉକ୍ତ ନିର୍ଦ୍ଦେଶକୁ ଉକ୍ତ ଦୋକାନୀମାନେ ସଠିକ ଭାବେ ପାଳନ କରୁ ନଥିବା ଦେଖାଯାଉଛି । ଏପରିକି ବଜାର ମାନଙ୍କରେ ଚା ଓ ପାନ ଦୋକାନ ଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିବା ପାଇଁ ସରକାର ପକ୍ଷରୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଗଂଗଦାହାଟ, ନାଉଗାଁହାଟ, ଅଲଣାହାଟ, ମୁଣ୍ଡାଳୋ, କଂଟୁଣିଆ ଆଦି ସ୍ଥାନରେ ଦୋକାନ ଗୁଡିକ ଅଧା ଖୋଲା ରଖା ଯାଇ ସକାଳ ଓ ସଂଧ୍ୟାରେ ବେପାର କରାଯାଉଥିବା ଦେଖାଯାଉଛି । ଲୋକମାନେ ସଉଦା କିଣିବା ବାହାନାରେ କୌଣସି କାମ ନ ଥାଇ ବଜାରରେ ଚା ଓ ପାନ ଖାଇ ଖୁଲମଖୁଲା ବୁଲୁଛନ୍ତି । ଅନ୍ୟପଟରେ ଲକ ଡାଉନ ପାଇଁ ବ୍ଲକ ଓ ପୁଲିସ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଦିନ ଡାକବାଜି ଯନ୍ତ୍ର ମାଧ୍ୟମରେ ବାରମ୍ବାର ଲୋକମାନଙ୍କୁ ସଚେତନ କରାଯାଉଛି । ହେଲେ ଲୋକମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁଥିବା ଦେଖିବାକୁ ମିଳୁନାହିଁ । ଅନ୍ୟପଟରେ ବ୍ଲକ ପ୍ରଶାସନର କିଛି କର୍ମଚାରୀ ଲଡ ଡାଉନକୁ ମାନି ନଥିବା ଦେଖାଯାଇଛି । ନାଉଗାଁ ବ୍ଳକ ପକ୍ଷରୁ ଆଜି ସମସ୍ତ ପଂଚାୟତରେ ଭତା ବଂଟନ କାର୍ଯ୍ୟକ୍ରମ କରାଯାଇଥିଲା । କିନ୍ତୁ ଗଳଦାରୀ ପଂଚାୟତ କାର୍ଯ୍ୟାଳୟରେ ଭତା ନେବା ପାଇଁ ଲୋକମାନଙ୍କର ଭିଡ ଜମି ରହି ଥିଲା । ଏଠାରେ କୌଣସି ସାମାଜିକ ଦୂରତା ଅବଲମ୍ବନ କରାଯାଇ ନଥିବାରୁ ବୁଦ୍ଧିଜୀବି ମହଲରେ ଏହାକୁ ନିନ୍ଦା କରାଯିବା ସହିତ ବିଡିଓଙ୍କୁ ଅବଗତ କରାଯାଇଥିଲା । ଏ ସମ୍ପର୍କରେ ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ପଚାରିବାରୁ ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି । କିନ୍ତୁ ଲୋକମାନେ ସଚେତନ ନ ହୋଇ ସଉଦା ନାଁରେ ବାହାରେ ବୁଲୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଠି ହେଉଛି । ଭତା ଟଙ୍କା ବଂଟନ ସଂର୍ପକରେ ପଚାରିବାରୁ ହିତାଧିକାରୀଙ୍କ ଘରେ ଭତା ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହିତାଧିକାରୀମାନେ ଘରେ ରହି ଭତା ଟଙ୍କା ପାଇବେ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ