ଲଗାଣ ବର୍ଷାରେ ପୋଲର ଉଭୟ ପାର୍ଶ୍ଵରେ ଦୁଇ ବଡ଼ ଗର୍ତ୍ତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଅନ୍ତର୍ଗତ କରସିଙ୍ଗ ଗ୍ରାମର ବଜାର ଛକ ନିକଟରେ ରହିଥିବା କାଣିଆ ଗହିର ନାଳ ପୋଲର ଉଭୟ ପାର୍ଶ୍ବରେ କୂଅ ସଦୁର୍ଶ୍ୱ ଦୁଇଟି ବଡ଼ ଗଭୀର ଗାତ ହୋଇଯାଇଛି। ୧୯୬୦ ମସିହାରେ ନିର୍ମାଣ ହୋଇଥିବା ଏହି ପୋଲ ବହୁ ପୁରାତନ ହୋଇଥିବା ବେଳେ ଗତ ଲଗାଣ ବର୍ଷାରେ ଦୁଇ ପାର୍ଶ୍ୱରେ ବଡବଡ ଗାତ ହୋଇଯାଇଛି । ଉକ୍ତ ରାସ୍ତା ଦେଇ ଭଞ୍ଜନଗର, ବୁଗୁଡା, ଜଗନ୍ନାଥ ପ୍ରସାଦ ଓ ଫୁଲବାଣୀ ପ୍ରଭୃତି ସହରରୁ ଭୁବନେଶ୍ୱରକୁ ଦୈନିକ ଶହ ଶହ ଯାନବାହାନ ଚଳାଚଳ କରୁଅଛି । ଲଗାଣ ବର୍ଷାରେ ପୋଲର ଦୁଇ ପାଶ୍ୱର୍ରେ କିଛି ଅଂଶ ଭାଙ୍ଗିବା ସହ ଗର୍ତ୍ତ ହୋଇଥିବା ବେଳେ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ତ୍ତ ବିଭାଗର ଦ୍ୱାରା ଏହି ରାଜ୍ୟ ରାଜପଥ ରାସ୍ତାର ରକ୍ଷଣାବେକ୍ଷଣ ହେଉଥିବା ବେଳେ ଏହା ଗଞ୍ଜାମ ଜିଲ୍ଲାର ସୀମାନ୍ତ ଗ୍ରାମ କରସିଙ୍ଗ ନିକଟ ପୋଲର ଏହି ଅବସ୍ଥା ଦେଖାଦେଇଛି। ଜନସାଧାରଣ ଅଭିଯୋଗ କରିଥିଲେ ମଧ୍ୟ ପୂର୍ତ୍ତ ବିଭାଗ କିଛି ପଦକ୍ଷେପ ଗ୍ରହଣ ନକରିବା ଯୋଗୁଁ ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଗ୍ରାମର ଲୋକମାନେ ମିଶି ଦୁଇ ଗାତ ଭିତରେ ମୋରମ ପକାଇ ମାନବିକତାର ପରିଚୟ ଦେଇଛନ୍ତି। ତଥାପି ବିପଦ ଟଳି ନଥିବା ବେଳେ ଯଦି ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହୁଏ ତେବେ ସେଥିପାଇଁ ପୂର୍ତ୍ତବିଭାଗ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଜନସାଧାରଣ ଚେତାବନୀ ଦେଇଛନ୍ତି। କଣିଆ ଗହିର ନାଳ ପୋଲ ଦେଇ ବହୁ ଭାରିଜାନ ଚଳାଚଳ କରୁଥିବା ବେଳେ ଗଭୀର ଗର୍ତ୍ତ ହୋଇଥିବା ଯୋଗୁଁ ପୋଲ ନିକଟରେ ରାସ୍ତା ତଳେ ମାଟି ଧୋଇ ହୋଇଥିବା ଆଶଙ୍କା କରାଯାଉଛି। ଧନଜୀବନ ସୁରକ୍ଷା ପାଇଁ ପ୍ରଶାସନ ଓ ପୂର୍ତ୍ତବିଭାଗ ବିଭାଗ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦୃଢ଼ ଦାବୀ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ