ଲଘୁଚାପ ଛଡାଇନେଲା ଚାଷୀଙ୍କ ଖୁସି

ହାଟଡ଼ିହି, (ବିକାଶ ବିଶ୍ୱାଳ):ଲଗୁଚାପ ବର୍ଷା ଚାଷୀଙ୍କ ଖୁସିକୁ ଛଡାଇ ନେଇଛି । ଅଗଷ୍ଟ ୨ତାରିଖରେ ହୋଇଥିବା ଲଘୁଚାପ ବର୍ଷା ଓ ପରେ ଆସିଥିବା ବନ୍ୟା ପରେ ଚାଷୀମାନେ ଯାହା କ୍ଷତିଗ୍ରସ୍ଥ ହୋଇଥିଲେ ତାକୁ ଭୁଲିଯାଇ ପୁଣି ରୁଆପୋତା କରି ଚାଷକାର୍ଯ୍ୟକୁ ଆଗେଇ ନେଇଥିଲେ । ଏପରିକି ୮୦ଭାଗ ଚାଷଜମିରେ ରୁଆପୋତା ସରିଯାଇଥିଲା । କିନ୍ତୁ ଗତ ଦୁଇଦିନ ହେଲା ଲାଗି ରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀଙ୍କ ଖୁସିକୁ ଛଡାଇ ନେଇଛି । ଶହଶହ ଏକର ଚାଷଜମି ପାଣିରେ ବୁଡି ନଷ୍ଟ ହୋଇଯାଇଛି । କାହାର ସାର, ବିଷ ଧୋଇଗଲା ତ ଆଉ କାହାର ରୁଆ ଯାଇଥିବା ବିଲରୁ ଧାନଗଛ ସବୁ ଭାଷି ଗଲା । ସବୁଠାରୁ ବଡ ଅସୁବିଧା ଯେ ଯେଉଁଠି ବର୍ଷାଜଳ ନିସ୍କାସନର ସୁବିଧା ନାହିଁ ସେହି ସବୁ ଅଞ୍ଚଳରେ ଏପରି ଅବସ୍ଥା ସୃଷ୍ଟି ହୋଇଛି । ବଡରମ୍ପାସ ପଞ୍ଚାୟତରେ ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି । ଗୋଟିଏ ପଟରୁ ଅନାଇଲେ ସମୁଦ୍ର ଭଳି ଦେଖା ଯାଉଛି । ଧାନକିଆରୀ ଗୁଡିକ ବୁଡି ରହିଥିବାରୁ ଧାନଗଛ ଗୁଡିକ ପଚି ନଷ୍ଟ ହେବା ଆଶଙ୍କା କରିଛନ୍ତି ଚାଷୀ । ଚାଷୀ ନାରାୟଣ ଚନ୍ଦ୍ର ବେହେରାଙ୍କ କହିବାନୁଯାଇ ସେ ୪ଏକର ଜମିରେ ଚାଷ କରିଥିବାବେଳେ ରୁଆପୋତା ସାରି ସାରବିଷ ପକାଇଥିଲେ । ଗତକାଲି ଠାରୁ ବିଲ ଗୁଡିକ ପାଣିରେ ବୁଡି ରହିଛି ଯେ ଏହା ଆହୁରି ଦୁଇତିନି ଦିନ ରହିବ । ଜଳ ନିସ୍କାସନର ବାଟ ନାହିଁ । ଜଳସମ୍ପଦ ବିଭାଗର କେନାଲରେ ସେପରି ପୋଲିଆ ନଥିବାରୁ ଜଳ ନିସ୍କାସନ ହୋଇପାରୁନି । ସେହିପରି ସନ୍ତୋଷ କୁମାର ଜେନା, କ୍ଷେତ୍ରବାସୀ ସାହୁ, ଗୋଲେଖ ସାହୁ, ଧନେଶ୍ୱର ସାହୁ, ମଦନ ମୋହନ ସାହୁ, ରଥଧ୍ୱଜ ସାହୁ, ଯୁଦ୍ଧିଷ୍ଠିର ସାହୁ,ସଞ୍ଜୟ ସାହୁ, ବୃନ୍ଦାବନ ସାହୁ, ମୀନହରି ସେନାପତି, ଶଙ୍କର୍ଷଣ ବେହେରା, ଜଗବନ୍ଧୁ ଦାସ ପ୍ରମୁଖଙ୍କ ଏକର ଏକର ଜମି ପାଣିରେ ବୁଡି ରହିଥିବାରୁ ସେମାନେ କଣ କରିବେ ବୋଲି ଚିନ୍ତାରେ ପଡି ଯାଇଛନ୍ତି । ଆଉ ଧାନତଳି ମିଳିବା ସମ୍ଭବ ନଥିବାରୁ ଆଉ ଚାଷ କରିବା ତ ସମ୍ଭବ ହେବନି ଯାହା ଖର୍ଚ୍ଚ କରିଥିଲେ ତାହା ପାଣିରେ ଗଲା ବୋଲି କହିଛନ୍ତି । ସରପଞ୍ଚ ରବିନ୍ଦ୍ର ଜେନାଙ୍କ କହିବାକଥା ଯେ ଏହି ଜଳ ନିସ୍କାସନ ହୋଇପାରୁ ନଥିବାରୁ ରମ୍ପାସ ଗ୍ରାମର ଶହଶହ ଚାଷୀ ପ୍ରତିବର୍ଷ ଏପରି କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏନେଇ ବାରମ୍ବାର ଜଳସମ୍ପଦ ବିଭାଗକୁ ଜଣାଇ ଆଉ କିଛି ପୋଲ ନିର୍ମାଣ ପାଇଁ ଦାବି କରିଥିଲେବି ଜଳସମ୍ପଦ ବିଭାଗର ଅଧିକାରୀ ମାନେ ସମୟ ଗଡାଇ ଚାଲିଛନ୍ତି ବୋଲି କହିଛନ୍ତି । ସେହିପରି ହାଟଡିହି, ଶାସଙ୍ଗ, ବଞ୍ଚୋ, ଇଞ୍ଚୋଳ, ସୁଲଣ, ପଞ୍ଚୁଗୋଛିଆ, ଆମ୍ବୋ, ଶାଳଣିଆଁ, କଳିଗାଁ, ସମଣା, ମରୈଗାଁ ଆଦି ପଞ୍ଚାୟତରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ବଞ୍ଚୋ ଗ୍ରାମରେ ଏକର ଏକର ଜମି ଜଳମଗ୍ନ ହୋଇଯିବାରୁ ଚାଷୀମାନେ ନାନା କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଚାଷୀ ବିନୟ ନାୟକଙ୍କ କହିବାନୁଯାଇ ସେ ଗତ ଦୁଇଦିନ ତଳେ ରୁଆପୋତା ସାରି ୧୫ହଜାର ଟଙ୍କାର ସାର ବିଷ ପକାଇଥିବାବେଳେ ତାହା ସବୁ ଧୋଇ ଯାଇଛି । ଧାନ ଗଛ ଗୁଡିକ ବୁଡି ରହିଥିବାରୁ ୫୦ଭାଗ ଧାନ ଗଛ ପଚି ଯିବାର ଆଶଙ୍କା କରାଯାଉଛି ବୋଲି ସେ କହିଛନ୍ତି । ସେହିପରି ଶାସଙ୍ଗ ପଞ୍ଚାୟତର ଛେନାପଦି, ଗଳିଗୋପାଳପୁର, ବଡତୀରା ଆଦି ଗ୍ରାମର ହେକ୍ଟର ହେକ୍ଟର ଜମି ପାଣିରେ ବୁଡି ରହିଛି । ଫଳରେ ଚାଷୀମାନେ ନାନା ଦୁଶ୍ଚିନ୍ତାରେ ବୁଡି ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ