ଲଘୁଚାପ ଜନିତ ବର୍ଷାରେ କ୍ଷତିଗ୍ରସ୍ତ : ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ ପାଇଁ ତହସିଲଦାରଙ୍କୁ ସ୍ମାରକପତ୍ର
ନାଉଗାଁ, (ୱାଇଏନ୍ଏସ୍ ): ନାଉଗାଁ ବ୍ଲକରେ ଲଘୁଚାପକୁ ନେଇ ୪ଦିନ ଧରି ପ୍ରବଳ ବର୍ଷା ଲାଗି ରହିଥିଲା । ଏହି ବର୍ଷାରେ ବ୍ଲକର ଅନେକ କଚ୍ଚାଘର ଭାଙ୍ଗି ଥିବା ବେଳେ ଧାନ ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହି ବର୍ଷାରେ ଜନସାଧାରଣଙ୍କର ଉପୁଜିଥିବା ସମସ୍ୟାକୁ ସମାଧାନ କରିବା ପାଇଁ ଏସୟୁସିଆଇ ନାଉଗାଁ ଶାଖା ପକ୍ଷରୁ ତହିସଲଦାର ଜେ.କଳ୍ପନାଙ୍କୁ ଏକ ସ୍ମାରକ ପତ୍ର ଗୁରୁବାର ପ୍ରଦାନ କରାଯାଇଛି । ଏହି ସ୍ମାରକ ପତ୍ରରେ ୮ଦଫା ଦାବି ରହିଛି । ଦାବି ଗୁଡିକ ମଧ୍ୟରେ ଜଳ ଘେରରେ ଥିବା ପରିବାରକୁ ଔଷଧ, ଶୁଖିଲା ଖାଦ୍ୟ ଆଦି ଯୁଦ୍ଧକାଳିନ ଭିତିରେ ପ୍ରଦାନ, ଭାଙ୍ଗି ଯାଇଥିବା ଚାଳ ଘର ପାଇଁ ୧୦ହଜାର ଓ ଅନ୍ୟାନ୍ୟ ଗୃହ ପାଇଁ ୨୦ ହଜାର ସହାୟତା ପ୍ରଦାନ, ଫସଲ କ୍ଷତିର ନିରପେକ୍ଷ ତଦନ୍ତ କରି ଉଭୟ ଚାଷୀ ଓ ଭାଗ ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ, ରବି ଫସଲ ପାଇଁ ସାର, କୀଟନାଶକ ଔଷଧ ମାଗାଣରେ ପ୍ରଦାନ, ଜଳସେଚନ ଓ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା , ଭାଙ୍ଗି ଯାଇଥିବା ରାସ୍ତା ଓ ବନ୍ଧକୁ ତୁରନ୍ତ ମରାମତି, ଗୃହପାଳିତ ପଶୁଙ୍କ ପାଇଁ ଗୋଖାଦ୍ୟ ପ୍ରଦାନ ଆଦି ଉଲ୍ଲେଖ କରାଯାଇଛି । ଏହି ଦାବିପତ୍ରକୁ ଜିଲ୍ଲା ସଂପାଦକ ସୁବାସ ସ୍ୱାଇଁ, ରଘୁନାଥ ଦାସ, ବାବାଜୀ କାଣ୍ଡି, ନାଉଗାଁ ଶାଖା ସଂପାଦକ ମହେଶ୍ୱର ଦାସ, ଆର୍ତ ଦାସ ଆଦି ପ୍ରଦାନ କରିଛନ୍ତି ।