ଲଘୁଚାପ ଜନିତ ବର୍ଷାର ପ୍ରାକ୍ ପ୍ରସ୍ତୁତି ବୈଠକ : ବର୍ତ୍ତମାନ ସ୍ଥିତିରେ ଜିଲ୍ଲାର ସମସ୍ତ ଅଞ୍ଚଳ ଆୟତ୍ତରେ ରହିଛି

ଛତ୍ରପୁର (ଦେବଦତ୍ତ ମହାରଣା):ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ଚେତାବନୀ ପ୍ରକାରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଅହରହ ଚାଲିଛି ଏବଂ ଏହା ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପୂର୍ବାନୁମାନ କରାଯାଇଅଛି । ଏହାକୁ ଦୃଷ୍ଟିରେ ରଖି ରବିବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଜୁମ୍ ଆଭାସୀ ବୈଠକରେ ଜିଲ୍ଲାର ସମସ୍ତ ଗୋଷ୍ଠା ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ଠାରୁ ବର୍ତ୍ତମାନ ବର୍ଷାର ସ୍ଥିତି ସମ୍ପର୍କରେ ପଚାରି ବୁଝିବା ସହିତ ଆଗୁଆ ପ୍ରସ୍ତୁତ ରହିବାକୁ କହିଛନ୍ତି । ସମସ୍ତ ଅଧିକାରୀଗଣ ଝିପିଝିପି ବର୍ଷା ଚାଲିଥିବା ଜଣାଇଥିଲେ । ଏଭଳି ବର୍ଷା ହେଲେ କୌଣସି ଅସୁବିଧା ଦେଖାଯିବ ନାହିଁ , କିନ୍ତୁ ବର୍ଷାର ପରିମାଣ ବୃଦ୍ଧି ହେଲେ ପ୍ରଶାସନିକ କଳକୁ ପରବର୍ତ୍ତି କାର୍ଯ୍ୟପନ୍ଥା ସ୍ଥିର କରିବାକୁ ପଡିବ । ବିଶେଷ କରି ନଦୀ ଏବଂ ଡ୍ୟାମ୍ ଗୁଡିକରେ ଜଳର ସ୍ତର ବର୍ତ୍ତମାନ ଠିକ୍ ରହିଛି । କୌଣସି ଠାରେ ଅପ୍ରିତିକର ପରିସ୍ଥିତି ଦେଖାଯାଇନାହିଁ । ସମସ୍ତ ନଦୀ ଏବଂ ଡ୍ୟାମ୍ ଗୁଡିକରେ ଅଧିକାରୀଗଣ ଉପସ୍ଥିତ ରହି ଜଳସ୍ତର ପ୍ରତି ନଜର ରଖୁଛନ୍ତି । ବିଶେଷକରି ଗ୍ରାମାଞ୍ଚଳକୁ ଗମନାଗମନ ପଥ ଠିକ୍ ରହିଛି । ଯାତାୟତର ଅସୁବିଧା ନାହିଁ । ବର୍ଷାର ପରିମାଣ ବୃଦ୍ଧି ହେଲେ ବହୁ ପୂରାତନ କୋଠା ବା ଘରର କାନ୍ଥ ଭୁଷୁଡିବାର ସମ୍ଭାବନା ରହିଛି । ଏଣୁ ପୂରାତନ କୋଠା ଚିହ୍ନଟ କରି ସେଠାରେ ରହୁଥିବା ଲୋକଙ୍କୁ ସତର୍କ ଏବଂ ଆବଶ୍ୟକ ହେଲେ ସ୍ଥାନାନ୍ତର କରିବାକୁ କୁହାଯାଇଛି । ଭୂମିର ଜଳ ଧାରଣ କ୍ଷମତା ପୂରଣ ହୋଇଗଲେ ପାଣି ନିଷ୍କାସନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ ଟିମ୍ ପ୍ରସ୍ତୁତ ରହିଥିବା ଜଣା ପଡିଛି । ଜଳପୂର୍ଣ୍ଣ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ସକାଶେ ରବର ବୋଟ୍ଏବଂ ପାଣି ନିଷ୍କାସନ ଯନ୍ତ୍ର ପ୍ରସ୍ତୁତ ହୋଇ ରହିଥିବା ସମ୍ପୃକ୍ତ ଅଧିକାରୀ ମାନେ ଜଣାଇଥିଲେ । ଏହି ଲଘୁଚାପ ଜନିତ ବର୍ଷା ଯୋଗୁଁ ମରୁଡି ପରିସ୍ଥିତି ଦେଖାଦେଇଥିବା ଚାଷ ଜମି ଗୁଡିକର ସୁଧାର ଆସିଛି । ଜିଲ୍ଲାର ଆସ୍କା, ବେଗୁନିଆପଡା, ଭଞ୍ଜନଗର, ବୁଗୁଡା, ଚିକିଟି, ପୁରୁଷୋତ୍ତମପୁର ପ୍ରଭୃତି ଅନ୍ୟାନ୍ୟ ବ୍ଲକ୍ ଅଧିକାରୀ ମାନଙ୍କ ସହ ଜିଲ୍ଲାପାଳ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । କୌଣସିଠାରେ ଅପ୍ରିତିକର ପରିସ୍ଥିତି ଦେଖାଦେଲେ ତୁରନ୍ତ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିବାକୁ ଜିଲ୍ଲାପାଳ ଜଣାଇଛନ୍ତି । ଲୋକଙ୍କ ଧନଜୀବନକୁ ପ୍ରାଥମିକତା ଭିତ୍ତିରେ ସୁରକ୍ଷା ଦେବା ସକାଶେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ ।
ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ବଳୀରାମ ବୋନ୍ଦାର, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କୀର୍ତ୍ତିଓ୍ବାସନ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, କୃଷି ବିଭାଗ, ଜଳସେଚନ ବିଭାଗ, ରାସ୍ତା ଓ କୋଠାବାଡି ର ମୁଖ୍ୟଯନ୍ତ୍ରୀ, ସମସ୍ତ ବିଡିଓ ଓ ତହସିଲଦାରଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ