ଲଣ୍ଡନରେ କୋଭିଡ ଟିକାର ମାନବ ପରୀକ୍ଷଣ
ଲଣ୍ଡନରେ ପ୍ରସ୍ତୁତ ହୋଇଥିବା କରୋନା ଭାଇରସ ଟିକାର ମାନବ ପରୀକ୍ଷଣ ଆରମ୍ଭ ହୋଇଛି । ଆଗାମୀ ସପ୍ତାହ ମଧ୍ୟରେ ଇମ୍ପିରିଆଲ କଲେଜ ଣ୍ଡନର ଗବେଷକ ରବିନ ଶାଟକ ଓ ତାଙ୍କ ସହକର୍ମୀଙ୍କ ନେତୃତ୍ୱରେ ପରିକ୍ଷାମୂଳକ ଭାବେ ପ୍ରାୟ ୩ ଶହ ସ୍ୱେଚ୍ଚାସେବୀଙ୍କଠାରେ ଏହି ଟିକା ପ୍ରୟୋଗ କରାଯିବ । ପଶୁଙ୍କ ଠାରେ ପରୀକ୍ଷଣ ପରେ ଏହି ଟିକା ମଣିଷଙ୍କ ପାଇଁ ସୁରକ୍ଷିତ ଏବଂ ରୋଗ ପ୍ରତିରୋଧ ପ୍ରଣାଳୀକୁ ବିଶେଷ ଭାବେ ପ୍ରୋତ୍ସାହିତ କରୁଛି ବୋଲି ଗବେଷକମାନେ କହୁଛନ୍ତି । ଏହା ପୂର୍ବରୁ ଅକ୍ସଫୋର୍ଡ ୟୁନିଭରସିଟିର ବିଶେଷଜ୍ଞମାନେ କରୋନା ଟିକାର ମାନବ ପରିକ୍ଷଣ ଆରମ୍ଭ କରିଛନ୍ତି । ସମଗ୍ର ବିଶ୍ୱରେ କରୋନା ଟିକାର ପରୀକ୍ଷଣ ଚାଲିଥିବା ବେଳେ ପ୍ରାୟ ୧୨୦ ଟିକା ବିକାଶ କାର୍ଯ୍ୟକ୍ରମଚାଲିଛି । ଲଣ୍ଡନର ସଦ୍ୟ ଇମ୍ପିରିଆଲ ପରୀକ୍ଷଣରେ ପ୍ରଥମ ସ୍ୱେଚ୍ଛାସେବୀ ଭାବେ ୩୯ ବର୍ଷୀୟା କାଥି ଟିକା ପରୀକ୍ଷରେ ଭାଗ ନେଇଛନ୍ତି । କରୋନା ଭାଇରସ ଲଢେ଼ଇରେ ସାମିଲ ହେବା ଉଦେ୍ଧଶ୍ୟରେ ସ୍ୱେଚ୍ଛାକୃତ ଭାବେ କରୋନା ଟିକାର ମାନବ ପରୀକ୍ଷଣରେ ଭାଗ ନେଇଥିବା ସେ କହିଛନ୍ତି । ପ୍ରଥମ ପର୍ଯ୍ୟାୟ ପରେ ଆସନ୍ତା ଅକ୍ଟୋବରରେ ଏହି ଟିକାର ଆଉ ଏକ ପରିକ୍ଷା ହେବ, ଯେଉଁଥିରେ ୬ ହଜାର ଲୋକ ଭାଗ ନେବେ । ୨୦୧୧ ମସିହା ଆରମ୍ଭରୁ ଏହି ଟିକା ଲଣ୍ଡନ ସମେତ ଅନ୍ୟ ରାଷ୍ଟ୍ରରେ ଉପଲବ୍ଧ ହେବ ବୋଲି ଇମ୍ପିରିଆଲ ଟିମ୍ରଲ ଗବେଷକମାନେ ଆଶା କରୁଛନ୍ତି । ଅନେକ ପାରମ୍ପରିକ ଟିକା ଭୂତାଣରୁ ଦୁର୍ବଳ ଓ ପରିବର୍ତ୍ତିତ ରୂପ କିମ୍ବା ତା’ର ଏକ ଅଂଶ ଉପରେ ଆଧାରିତ । କିନ୍ତୁ ଇମ୍ପିରିଆଲ ଟିକା ଏକ ନୂଆ ଅବଧାରଣା ଉପରେ ଆଧାରିତ । ଏହା ଜିନଗତ କୋଡର ସିନ୍ଥେଟିକ ଷ୍ଟ୍ରାଣ୍ଡର ବ୍ୟବହାର କରେ, ଯାହାକୁ ଆରଏନଏ କୁହାଯାଏ । ଏହା ଭାଇରସର ନକଲ କରେ । ଏହାକୁ ଥରେ ମାଂସପେଶୀରେ ଇଞ୍ଜେକ୍ଟ କରିବା ପରେ ଆରଏନଏ ନିଜର ନକର ପ୍ରସ୍ତୁତ କରେ ଏବଂ ଭାଇରସ ବାହାରେ ଥିବା ସ୍ପାଇକ ପ୍ରୋଟିନର ନକଲ ଗଠନ କରିବା ପାଇଁ ଶରୀରର ନିଜସ୍ୱ କୋଷିକାକୁ ନିର୍ଦ୍ଦେଶ ଦିଏ । ଏହା କୋଭିଡ-୧୯ର ବିକାଶ ବିନା କରୋନା ଭାଇରସ ବିରୁଦ୍ଧରେ ଲଢ଼ିବା ପାଇଁ ପ୍ରତିରୋଧ ପ୍ରଣାଳୀକୁ ସଶକ୍ତ କରାଏ ।