ଲଦାଖ ସୀମା ପରିସ୍ଥିତି ନେଇ ମିଳିତ ପ୍ରତିରକ୍ଷା ସେବା ମୁଖ୍ୟ ଓ ତିନି ସେନା ମୁଖ୍ୟଙ୍କ ସହ ରକ୍ଷାମନ୍ତ୍ରୀଙ୍କ ସମୀକ୍ଷା
ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ଲଦାଖ ସୀମା ପରିସ୍ଥିତି ନେଇ ନୂଆଦିଲ୍ଲୀଠାରେ ଏକ ବୈଠକରେ ସମୀକ୍ଷା କରିଛନ୍ତି । ବୈଠକରେ ପ୍ରତିରକ୍ଷା ସେବା ମୁଖ୍ୟ ତଥା ସାମରିକ ବ୍ୟାପାର ବିଭାଗ ସଚିବ ଜେନେରାଲ ବିପିନ ରାୱତ, ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ଏମ ଏମ ନରବଣେ, ନୌସେନା ଅଧ୍ୟକ୍ଷ ଆଡମିରାଲ କରମବିର ସିଂହ ଓ ବାୟୁ ସେନାଧ୍ୟକ୍ଷ ଏୟାର ଚିଫ ମାର୍ଶାଲ ଆର. କେ. ଏସ. ଭାଦୌରିଆ ଉପସ୍ଥିତ ଥିଲେ । ପ୍ରତିରକ୍ଷା ମନ୍ତ୍ରୀ ପରେ ଏକ ଟ୍ଵିଟ ଯୋଗେ ସୀମା ସଂଘର୍ଷରେ ପ୍ରାଣବଳି ଦେଇଥିବା ଜବାନମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶୋକ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, “ଗଲୱାନରେ ସୈନିକମାନଙ୍କ ପ୍ରାଣବଳି ଖୁବ ହୃଦୟ ବିଦାରକ ଓ ଯନ୍ତ୍ରଣା ଦାୟକ । ଆମର ବୀର ଜବାନମାନେ ଦୃଷ୍ଟାନ୍ତମୂଳକ ସାହସିକତା ଓ ଅସାଧାରଣ କର୍ତ୍ତବ୍ୟନିଷ୍ଠା ପ୍ରଦର୍ଶନ କରି ଭାରତୀୟ ସେନାର ପରମ୍ପରା ଅନୁସାରେ ସେମାନଙ୍କର ପ୍ରାଣ ଉତ୍ସର୍ଗ କରିଛନ୍ତି । ସେମାନଙ୍କର ଏହି ସାହସ ଓ ତ୍ୟାଗକୁ ଦେଶ କେବେ ଭୁଲିପାରିବ ନାହିଁ । ପ୍ରାଣବଳି ଦେଇଥିବା ଏହି ସୈନିକମାନଙ୍କ ପରିବାର ବର୍ଗଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି । ଏଭଳି କଠିନ ପରିସ୍ଥିତିରେ ସମଗ୍ର ଦେଶ ସେମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଛି । ଭାରତର ଏହି ବୀର ସୈନିକମାନଙ୍କ ଅସୀମ ସାହସ ପାଇଁ ଆମେ ଗର୍ବିତ,” ବୋଲି ସେ କହିଛନ୍ତି ।