‘ଲାଇଟ ଏଣ୍ଡ ସାଉଣ୍ଡ ଓନର୍ସ ଆସୋସିଏସନ’ର ବାର୍ଷିକ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଲାଇଟ ଏଣ୍ଡ ସାଉଣ୍ଡ ଓନର୍ସ ଆସୋସିଏସନର ବାର୍ଷିକ ଉତ୍ସବ ସହର ଉପକଣ୍ଠ ‘ପବିତ୍ର ରିସ୍ତା’ କଲ୍ୟାଣମଣ୍ଡପରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ ସହ ସଂଗଠନର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । କରୋନା ସଂକ୍ରମଣ ଜନିତ କଟକଣା ଯୋଗୁଁ ଲାଇଟ ଓ ସାଉଣ୍ଡ ବ୍ୟବସାୟୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁଣି ସେମାନଙ୍କୁ ମୁଖ୍ୟଧାରାକୁ ଫେରାଇ ଆଣିବା ଦିଗରେ ରାଜ୍ୟ ସରକାର ପ୍ରଚେଷ୍ଟା ଚଳାଇଥିବା ସେ କହିଥିଲେ । ସଙ୍ଗଠନର ଉପଦେଷ୍ଟା ରଞ୍ଜନ ବାଗ ଏଥିରେ ସଭାପତିତ୍ୱ କରିବା ସହିତ ସାମ୍ପ୍ରତିକ ସ୍ଥିତିରେ ଲାଇଟ୍ ଓ ସାଉଣ୍ଡ ବ୍ୟବସାୟୀମାନେ ସମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ତାର ନିରାକରଣ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ସଭାପତି ସତ୍ୟନାଥ ମାଝୀ, ଉପ-ସଭାପତି ଦେବନାଥ ସେନ, ସମ୍ପାଦକ ମନ୍ମଥ ଦାସ, ଆଇନ ପରାମର୍ଶଦାତା ସୁଶାନ୍ତ ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ ସରକାରଙ୍କ ନିର୍ଦ୍ଦେଶ ପାଳନ ଓ ପୁଲିସ ପ୍ରଶାସନର ସହଯୋଗରେ କାର୍ଯ୍ୟ କରିବାକୁ ସମସ୍ତ ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ । ଦୀର୍ଘ କୋଡ଼ିଏ ମାସ ଧରି ବ୍ୟବସାୟ ବନ୍ଦ ଥିବା ବେଳେ ସେମାନଙ୍କ ଜୀବିକର ସୁରକ୍ଷା ପାଇଁ ଜିଲା ପ୍ରଶାସନ ଲାଇଟ ଓ ସାଉଣ୍ଡ ଉପରେ ରହିଥିବା କଟକଣାକୁ କୋହଳ ପାଇଁ ଏହି କାର୍ଯ୍ୟକ୍ରମରେ ସଦସ୍ୟମାନେ ଦାବି କରିଥିଲେ । ଏନେଇ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ପାଇଁ ଉପସ୍ଥିତ କର୍ମକର୍ତ୍ତାମାନେ ନିଷତ୍ତି ନେଇଥିଲେ । ସଙ୍ଗଠନର ପୂର୍ବତନ ଚେୟାରମ୍ୟାନ ବରିଷ୍ଠ ରାଜନୀତିଜ୍ଞ ସ୍ୱର୍ଗତ ଅରୁଣ ଦେଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଉପଦେଷ୍ଟା ରାଜେନ୍ଦ୍ର ଚାଟାର୍ଜୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।