ଲିଙ୍ଗରାଜଙ୍କ ପୀଠରେ ଦୀପ ଜାଳି ପାରିବେ ଭକ୍ତ
ଭୁବନେଶ୍ୱର, (ୱାଇଏନ୍ଏସ୍ ): ଭୁବନେଶ୍ୱରର ପ୍ରଭୂ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ଜାଗରରେ ଭକ୍ତ ଜାଳିପାରିବେ ଦୀପ । କୋଭିଡ୍ ଗାଇଲାଇନ୍ ମାନି ମନ୍ଦିର ବେଢ଼ା ଭିତରେ ଭକ୍ତ ମାନେ ଦୀପ ଜାଳିପାରିବେ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସନତ୍ କୁମାର ମହାନ୍ତି ସୂଚନା ଦେଇଛନ୍ତି । ଅପରପକ୍ଷରେ ବୁଧବାର ସକାଳୁ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ଥିବା ବେଳେ ପ୍ରଶାସନ ଓ ସେବାୟତଙ୍କ ଆଲୋଚନା ପରେ ସ୍ଥିତି ସ୍ୱାଭାବିକ ହୋଇଛି । ଆସନ୍ତାକାଲି ପ୍ରଭୂରଙ୍କର ଜାଗର ନୀତି ଯଥା ବିଧି ହେବ ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସଂପାଦକ ବିରଂଚି ପତି ।ସୂଚନାଯୋଗ୍ୟ ଯେ ବୁଧବାର ଦିନ କପିଳନାଥ ସେବାୟତ ଓ ଶ୍ରୀଲିଙ୍ଗରାଜଙ୍କ ସେବାୟତଙ୍କ ଭିତରେ ଲାଗି ରହିଥିବା ବିବାଦକୁ ନେଇ ନୀତିକାନ୍ତି ବନ୍ଦ ରହିଥିଲା । ପରେ ସେବାୟତ, ଜିଲ୍ଲାପାଳ ଓ ଦେବୋତର କମିଶନଙ୍କ ମିଟିଂ ପରେ ନୀତି ଆରମ୍ଭ ହୋଇଛି ।
ଏନେଇ ବ୍ରାହ୍ମଣ ନିଯୋଗ ସଂପାଦକ ବିରଂଚି ପତି କହିଛନ୍ତି, ଆସନ୍ତାକାଲି ଠିକ୍ ସମୟରେ ଜାଗର ମହାଦୀପ ଉଠିବ । ଲିଙ୍ଗରାଜ ମନ୍ଦିରରେ ଦୀର୍ଘ ଦିନ ଧରି ବନ୍ଦ ଥିବା ହାଣ୍ଡିଭଂଗା ଯାତ୍ରା ସୁରୁଖୁରୁରେ ହେବ । ସେଥିପାଇଁ ୧୦ରୁ ୧୫ ଦିନ ସମୟ ମାଗିଛନ୍ତି ଦେବୋତର କମିଶନ । ହାଇକୋର୍ଟ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯିବ । ଆସନ୍ତା କାଲି ମନ୍ଦିର ପରିସରରେ କୋଭିଡ଼ କଟକଣା ମାନି ଦୀପ ଜାଳିପାରିବେ ଭକ୍ତ । ପୂର୍ବ ନିଷ୍ପତି ଅନୁଯାୟୀ ଧାଡ଼ିରେ ଦର୍ଶନ କରିହେବ ।
ଏହାବ୍ୟତୀତ ଲିଙ୍ଗରାଜ ମନ୍ଦିର ବାହାରେ ୨ ଶହ ମିଟର ଯାଏଁ ଲମ୍ବା ବ୍ୟାରିକେଡ୍ କରାଯାଇଛି । ଭିତରେ ଭକ୍ତଙ୍କ ଭିଡ ଏଡାଇବାକୁ ସ୍ୱତନ୍ତ୍ର ବ୍ୟାରିକେଡ୍ କରାଯାଇଛି । ମନ୍ଦିର ପରିସର ଓ ବାହାରେ ଟେଂଟ ବି ଲଗାଯାଇଛି ।