ବନ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର, (ୱାଇଏନ୍‌ଏସ୍ ):ରାଜ୍ୟର ଜଙ୍ଗଲ ଗୁଡିକରେ ନିଆଁ ଲାଗିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ କ୍ଷେତ୍ରୀୟ ବନ କର୍ମଚାରୀଙ୍କ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଡ. ମୋନା ଶର୍ମା ପିସିସିଏଫ (ଭାରାପ୍ରାପ୍ତ) ଏବଂ ପିସିସିଏଫ୍ (ବନ୍ୟପ୍ରାଣୀ)ଙ୍କୁ ଚିଠି ଲେଖିଛନ୍ତି । ତେବେ ସ୍ୱତନ୍ତ୍ର ସ୍ଥିତିରେ ଛୁଟି ଆବଶ୍ୟକ ହେଲେ ସେମାନେ ଡିଏଫଓ କିମ୍ବା ତାଙ୍କର ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ ଛୁଟିରେ ରହିପାରିବେ ଏବଂ ଏ ନେଇ ପିସିସିଏଫକୁ ଅବଗତ କରାଯିବ । ଚିଠିରେ ଉଲ୍ଲେଖ କରାଯାଇଛି ଯେ ଏବେ ତାପମାତ୍ରା ବଢିବା ସହ ପାଗ ଶୁଖିଲା ଥିବାରୁ ନିଆଁ ବ୍ୟାପିବାର ଆଶଙ୍କା ରହିଛି । ବନ କର୍ମଚାରୀଙ୍କୁ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତକୁ ଆଣିବା ଏବଂ ଏହା ଯେମିତି ଅଧିକ ନ ବ୍ୟାପେ ସେ ଦିଗ ପ୍ରତି ଧ୍ୟାନ ଦେବାକୁ ୨୪ଘଂଟା କାମ କରିବାକୁ କୁହାଯାଇଛି । ତେଣୁ କ୍ଷେତ୍ର ସ୍ତରରେ କାର୍ଯ୍ୟ କରୁଥିବା କୌଣସି କର୍ମଚାରୀଙ୍କୁ ଛୁଟି ନଦେବାକୁ କୁହାଯାଇଛି । ଯଦି କୌଣସି ଅଧିକାରୀଙ୍କର କିଛି ଅତ୍ୟାବଶ୍ୟକ କାମ ପାଇଁ ଛୁଟି ଆବଶ୍ୟକ ହୁଏ, ତେବେ ସେମାନେ ଡିଏଫଓ କିମ୍ବା ତାଙ୍କର ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ ଛୁଟିରେ ରହିପାରିବେ । ଏହା ସହ ନିର୍ଦ୍ଦେଶକୁ ସଠିକ ଭାବେ ପାଳନ କରା ନଗଲେ ଏହାକୁ ଗମ୍ଭୀର ଭାବରେ ଗ୍ରହଣ କରାଯିବ ବୋଲି ଚିଠିରେ ଲେଖିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ