ଲୁଟେରାକୁ କାବୁ କଲା ହିଞ୍ଜିଳି ପୁଲିସ, ଚୋରୀ ସାମଗ୍ରୀ କିଣିବା ଅଭିଯୋଗରେ ୨ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୁଲିସକୁ ମିଳିଛି ବଡ ଧରଣର ସଫଳତା । ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରୀ ଘଟଣାର ତଦନ୍ତ ବେଳେ ହିଞ୍ଜିଳି ପୁଲିସ ହାତେଇଛି ଆନ୍ତରାଜ୍ୟ ଲୁଟେରାକୁ । ଚୋରୀ ସାମଗ୍ରୀ ବିକ୍ରି କରୁଥିବା ବେଳେ ହିଞ୍ଜିଳି ପୁଲିସ ହାତରେ ଧରା ପଡିଥିଲା ଲୁଟେରା । ତଦନ୍ତ ବେଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ସମେତ ବ୍ରହ୍ମପୁର, ପାଟପୁର, ଦିଗପହଣ୍ଡି, ଆସିକା ଥାନା ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ସିକାକୁଲମ ଜିଲ୍ଲା କାଭିଟି ଥାନା ଅଞ୍ଚଳର ୧୪ଟି ସ୍ଥାନରୁ ଲୁଟ୍ କରିଥିବା ନେଇ ଲୁଟେରା ଜଣଙ୍କ ପୁଲିସ ନିକଟରେ ସ୍ୱୀକାର କରିଛି । ଗିରଫ ଲୁଟେରା ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ଜରଡା ଥାନା ପାତ୍ରପୁର ପାଣ୍ଡରା ସାହିର ଚନ୍ଦ୍ରଶେଖର ବାଡତ୍ୟା (୨୯) । ଏଥି ସହ ଚୋରୀ ସାମଗ୍ରୀ କିଣିବା ଅଭିଯୋଗରେ ପୁଲିସ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ବାଘମୁଣ୍ଡା ଗ୍ରାମର ବ୍ରହ୍ମଚାରୀ ପ୍ରଧାନ (୩୫) ଓ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ସୁମନ୍ତପୁର ଗ୍ରାମର ଶ୍ରୀକାନ୍ତ ସାବତ(୩୦) । ଗିରଫ ମାନଙ୍କ ଠାରୁ ୫ଟି ଲାପଟପ୍, ୨ଟି ସିପିୟୁ, ୨ଟି ମନିଟର, ଗୋଟିଏ ପ୍ରିଣ୍ଟର, ଗୋଟିଏ ଏସି କମ୍ପ୍ରେସର, ୨ଟି ଟିଭି, ୬ଟି ଆହୁଜା ଏମ୍ଳିଫାୟାର, ୬ଟି ପାଣିପମ୍ପ ମୋଟର, ଗୋଟିଏ ମୋବାଇଲ ଫୋନ୍, ଏକ ବଜାଜ ପଲସର ମୋଟର ସାଇକେଲ (ଓଆର୦୭ ଡବ୍ଳ୍ୟୁ ୮୩୦୭), ଗୋଟିଏ କ୍ୟାମେରା, ୨ଟି ସିସିଟିଭି ହାଡ୍ ଡିସ୍କ, ଲୁହା କଟର୍, ସ୍ଳାଇଡ୍ ରେଞ୍ଚି ଓ ସ୍କୃ ଡ୍ରାଇଭରକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୫୨୮/୨୨ରେ ଏକ ମାମଲା ରୁଜୁ କରି ଗିରଫ ୩ ଜଣଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ନେଇ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଦୀପ କୁମାର ଦଳାଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ଉମାଶଙ୍କର ସିଂ, ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାସ, ଶେରଗଡ ଆଇଆଇସି ମନୋଜ କୁମାର ପ୍ରଧାନ, ପାଟପୁର ଆଇଆଇସି ସବ୍ୟସାଚି ମଲ୍ଲ, ହିଞ୍ଜିଳି ଥାନା ତଦନ୍ତକାରୀ ଅଧିକାରୀ ତଥା ଏସ.ଆଇ. ଗୋପାଳକୃଷ୍ଣ ଆଗୁପାତ୍ର, ରାଘବ ପ୍ରଧାନ, ସିର୍ଦ୍ଧାଥ ଶଙ୍କର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯେ, ଗତ ସେପ୍ଟମ୍ବର ୨୯ ତାରିଖ ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ପୋଚିଲିମା ପଞ୍ଚାୟତ କାର୍ଯ୍ୟାଳୟରୁ ଲୁଟେରା ଜଣଙ୍କ କାର୍ଯ୍ୟାଳୟ କବାଟ ତାଲା ଭାଙ୍ଗି ଲାପଟପ୍, ଏକ୍ୱାଗାର୍ଡ, ମୋବାଇଲ ଫୋନ ସମେତ ବହୁ ବୈଦ୍ୟୁତିକ ଯନ୍ତ୍ରାଂଶ ଲୁଟ୍ କରି ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ । ୩୦ ତାରିଖରେ ଚୋରୀ ଘଟଣା ନେଇ ପଞ୍ଚ।।ୟତ ନିର୍ବାହୀ ଅଧିକାରୀ ଏସ. ଗମାଙ୍ଗୋ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ସନ୍ଧାନୀ କୁକୁର ସହାୟତାରେ ପୁଲିସ ଘଟଣାର ଛାନଭିନ ତଦନ୍ତ ଆରମ୍ଭ କରିଥିଲା । ତେବେ ଗୁରୁବାର ଲୁଟେରା ଜଣଙ୍କ ଚୋରୀ ସାମଗ୍ରୀକୁ ଆଡପଡା ଗ୍ରାମରେ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଖବର ପାଇ ହିଞ୍ଜିଳି ପୁଲିସର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଲୁଟେରାଙ୍କ ସମେତ ଲୁଟ୍ ସାମଗ୍ରୀ କିଣୁଥିବା ୨ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଗିରଫଙ୍କ ଠାରୁ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଚୋରୀ ସାମଗ୍ରୀ ଜବତ କରିଥିଲେ । ଗିରଫ ଲୁଟେରା ଜଣଙ୍କ ହିଞ୍ଜିଳି ଥାନା ଅଞ୍ଚଳର ପୋଚିଲିମା ପଞ୍ଚାୟତ କାର୍ଯ୍ୟାଳୟ ସମେତ ସମରଝୋଳ ଦଣ୍ଡକାଳୀ ମନ୍ଦିର ଓ ପୌରାଞ୍ଚଳ ମୁଖ୍ୟ ସଡକ ସ୍ଥିତ ଅମ୍ବିକା ଡ୍ରେସ ଦୋକାନ, ବ୍ରହ୍ମପୁର ସଦର ଥାନା ଅଲାରିଗଡ ମେଡିକାଲ, ହାଇସ୍କୁଲ, ବାଳକୃଷ୍ଣପୁର ଓ ଟିକରପଡା ମନ୍ଦିରରୁ ଲୁଟ୍, ଦିଗପହଣ୍ଡି ଥାନା ଶୁଣ୍ଢିପଲ୍ଲୀ ହାଇସ୍କୁଲ, ଆସିକା ଥାନା ନଳବଣ୍ଟା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଚୋରୀ, ପାଟପୁର ଥାନା ଏରେଣ୍ଡ୍ରା, ଖୋଲଡି, ବଉଳଝୋଳି ମନ୍ଦିର ସମେତ ବାଙ୍ଗରଡା ଆରଆଇ ଅଫିସ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ସିକାକୁଲମ ଜିଲ୍ଲା କାଭିଟି ଥାନା ଖଜୁରିଆ ହାଇସ୍କୁଲରୁ ଲାପଟପ୍, ପାଣିପମ୍ପ ମୋଟର, ଏମ୍ଳିଫାୟାର, ପ୍ରିଣ୍ଟର, କମ୍ପ୍ୟୁଟର, ମନିଟର, ଟିଭି, ଏସି ଭଳି ବହୁ ବୈଦ୍ୟୁତିକ ସାମଗ୍ରୀ ଚୋରୀ କରିଥିବା ନେଇ ପୁଲିସ ନିକଟରେ ସ୍ୱୀକାର କରିଛି । ପ୍ରକାଶ ଥାଉକି, ଲୁଟେରା ଚନ୍ଦ୍ରଶେଖର ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସମୟରେ ପ୍ରଥମେ ପରିବାର ଓ ସର୍ମ୍ପକୀୟଙ୍କ ଘରୁ ଚୋରୀ ଆରମ୍ଭ କରିବା ପରେ ପରିବାର ସଦସ୍ୟ ତାଙ୍କୁ ଘରୁ ବାହାର କରି ଦେଇଥିଲେ । ପରେ ବ୍ରହ୍ମପୁର ଠାରେ ଏକ ଘରକୁ ଭଡା ସୁତ୍ରରେ ନେଇ ଛୋଟମୋଟ ଚୋରୀ କରି ଏକ ମୋଟର ସାଇକେଲ କିଣିବା ପରେ ଦିନ ସରା ବିଭିନ୍ନ ବିଦ୍ୟାଳୟ, କାର୍ଯ୍ୟାଳୟ ଓ ଦେବାଳୟ ବୁଲି ଚୋରୀର ଟାର୍ଗେଟ କରିବା ପରେ ରାତିରେ ସଂପୃକ୍ତ ସ୍ଥାନରୁ ଚୋରୀ କରି ବାଇକ ଯୋଗେ ଲୁଟ୍ ସାମଗ୍ରୀ ବୋହି ଆଣି ଭଡା ଘରେ ରଖୁଥିଲା । ଏଭଳି ଭାବେ ଏକାକୀ ହିଁ ଗଞ୍ଜାମ ଜିଲ୍ଲା ସମେତ ପଡୋଶୀ ଅନ୍ଧ୍ରପ୍ରଦେଶ ଅଞ୍ଚଳରୁ ଚୋରୀ କରି ଆନ୍ତରାଜ୍ୟ ଲୁଟେରା ବନିଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦଳାଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଚଢାଉରେ ହାବିଲଦାର ପ୍ରମୋଦ ଗନ୍ତାୟତ,କନେଷ୍ଟବଳ ସରୋଜ ରଣସିଂ, ଜିତେନ୍ଦ୍ର ଗୌଡ, ସନ୍ତୋଷ ରେଡ୍ଡି, ସୁଜିତ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ


