ଲୁଟ୍ ଘଟଣାର ଖୁଲାସା କଲା ବ୍ରହ୍ମପୁର ପୋଲିସ
ବ୍ରହ୍ମପୁର:- ବଡ଼ବଜାର ଥାନା ପୋଲିସ ବଡ଼ଧରଣ ଡକାୟତି ଘଟଣାର ଖୁଲାସା କରିଛି । ୩ ଜଣ ଅପରାଧୀ ଓ ୨ ଜଣ ଲୁଟ୍ ଟଙ୍କା ରଖିଥିବା ଅଭିଯୋଗରେ ବୁଧବାର ବିଳମ୍ବିତ ରାତିରେ ସେମାନଙ୍କୁ ପୋଲିସ ଗିରଫ କରିଥିବା ସୂଚନାଦେଇଛନ୍ତି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଅଭିଯୁକ୍ତମାନେ ହେଲେ ଲାଞ୍ଜିପଲ୍ଲୀ ଢିପସାହିର ସୁନିଲ ବିଷୋୟୀ, ବଡ଼ବଜାର ଶ୍ରୀରାମନଗରର ମୁନା ମହାରଣା, ମଥୁରା ନଗରର ପ୍ରତୀକ ଦଳାଇ ଓ ଲୁଟ୍ ଟଙ୍କା ରଖିଥିବା ପାଟପୁର ଥାନା କଙ୍କରଡ଼ାର ରାଜା ଚୌଧୁରୀ, ଭାବିନିପୁର ଗ୍ରାମର ନିରଞ୍ଜନ ଗୌଡ଼ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୩୬, ୭୭,୦୦୦ ଟଙ୍କା, ୪୭,୦୦୦ ଟଙ୍କା ମୂଲ୍ୟର ସୁନା ଅଳଙ୍କାର, ୬ଟି ମୋବାଇଲ୍ ଫୋନ୍ ଜବତ ହୋଇଥିବା ଜଣାପଡିଛି । ଏଥିରେ ସଂପୃକ୍ତ ୨ଦୁର୍ଦ୍ଦାନ୍ତ ଅପରାଧୀ ଫେରାର ଥିବା ବେଳେ ସେମାନଙ୍କ ନିକଟରେ ବନ୍ଧୁକ ଓ ବଳକା ଟଙ୍କା ରହିଛି। ଖୁବ୍ ଅନ୍ୟମାନଙ୍କୁ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍ପି କହିଛନ୍ତି। ଅନ୍ୟପକ୍ଷରେ ଘଟଣା ପରଠାରୁ ଭୟଭୀତ ହୋଇ ଲୁଚି ରହିଥିବା ଏଜେଣ୍ଟ ଚକାଡୋଳା ମାଝୀଙ୍କୁ ପୋଲିସ ଜରଡ଼ା ଥାନା ଅନ୍ତର୍ଗତ ପାତ୍ରପୁର ଅଞ୍ଚଳରୁ ଉଦ୍ଧାର କରି କୋର୍ଟରେ ଗୁରୁବାର ତାଙ୍କ ବୟାନ ରେକର୍ଡ କରିଛି । ସୂଚନାଯୋଗ୍ୟ, କଲିକତାର ଖୁସି ଟ୍ରେଡିଂ ନାମକ ଏକ ଗାର୍ମେଣ୍ଟ କମ୍ପାନୀ ବ୍ରହ୍ମପୁରରେ ବ୍ୟବସାୟ ଚଳାଇଥିଲା । କଲିକତାରୁ ବ୍ରହ୍ମପର ସହରକୁ ଏକ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟ ଜରିଆରେ ସାମଗ୍ରୀ ଆସୁଥିଲା । ଉକ୍ତ କମ୍ପାନୀର ଏଜେଣ୍ଟ ଚକାଡୋଳା ବହ୍ମପୁରର ବିଭିନ୍ନ ବ୍ୟବସାୟୀଙ୍କ ଠାରୁ ସଂଗ୍ରହ କରିଥିବା ୫୦ ଲକ୍ଷ ଟଙ୍କା ନେଇ ଗତ ଜାନୁୟାରୀ ୨୩ ତାରିଖରେ ବସ୍ ଯୋଗେ ଭୁବନେଶ୍ୱର ଯାଉଥିଲେ। ବାଲୁଗାଁଠାରେ ୩ ଜଣ ଦୁର୍ବୃତ୍ତ ବନ୍ଧୁକମୁନରେ ଚକାଡୋଳାଙ୍କୁ ଭୟଭୀତ କରି ସେ ଧରିଥିବା ଟଙ୍କା ଭର୍ତ୍ତି ବ୍ୟାଗ ଓ ମୋବାଇଲ ଲୁଟି ନେଇଥିଲେ । ଟଙ୍କା ନ ପାଇ କମ୍ପାନୀ ମାଲିକ ଅଶୋକ ବୃନ୍ଦା ବ୍ରହ୍ମପୁର ଆସି ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ ।


