ଲେମ୍ବୁ-ଲଙ୍କା ମାଳରେ ରଖନ୍ତୁନି ପାଦ
ତନ୍ତ୍ରଶାସ୍ତ୍ରରେ ଗୁଣିଗାରେଡ଼ିର ବିଶେଷ ମହତ୍ୱ ରହିଛି । ଭଲ କାର୍ଯ୍ୟ ପାଇଁ ଏହାର ପ୍ରୟୋଗ କରାଯାଇଥାଏ । ହେଲେ କିଛି ଖଳ ପ୍ରକୃତିର ଲୋକେ ଏହାକୁ ଅନ୍ୟକୁ ସମସ୍ୟାରେ ପକାଇବାକୁ ବ୍ୟବହାର କରିଥାନ୍ତି । ଗୁଣିଗାରେଡ଼ି ପାଇଁ ବିଭିନ୍ନ ପ୍ରକାର ଦ୍ରବ୍ୟର ବ୍ୟବହାର ହୋଇଥାଏ । ଯେପରି ଲବଙ୍ଗ, ଗୁଜୁରାତି, ଲୁଣ, ଲଙ୍କା ଓ ଲେମ୍ବୁ । ଏଥିମଧ୍ୟରୁ ଲଙ୍କା ଓ ଲେମ୍ବୁର ପ୍ରୟୋଗ ଅଧିକ ହୋଇଥାଏ । କାରଣ ଲଙ୍କା ରାଗ ହୋଇଥିବାବେଳେ ଲେମ୍ବୁ ଖଟା । ଏହି ଦୁଇଟି ଗୁଣର ପ୍ରୟୋଗରେ କୌଣସି ବ୍ୟକ୍ତିର ଧ୍ୟାନ ଓ ଏକାଗ୍ରତାକୁ ଭଙ୍ଗ କରିବାର କ୍ଷମତା ରହିଛି । ଅଧିକାଂଶ ଲୋକ ନିଜ ଘରେ ଓ ଦୋକାନ ବାହାରେ ଲେମ୍ବୁ ଲଙ୍କା ଏକ ସୂତାରେ ଟାଙ୍ଗିଥାନ୍ତି । ଏଥିଯୋଗୁଁ ନକାରାତ୍ମକ ଶକ୍ତିଙ୍କ ପ୍ରଭାବ ପଡିନଥାଏ । ଏହି ଲେମ୍ବୁ ଲଙ୍କାର ମାଳକୁ କିଛିଦିନ ଟାଙ୍ଗିବା ପରେ ବାହାରକୁ ଫିଙ୍ଗି ଦେଇଥାନ୍ତି । ବାହାରେ ପଡିଥିବା ଏହି ଲେମ୍ବୁ ଲଙ୍କା ମାଳ ପାଦରେ ପଡିଲେ କ’ଣ ହୋଇଥାଏ ଆସନ୍ତୁ ଜାଣିବା ।
ଲେମ୍ବୁ ଓ ଲଙ୍କାର ମାଳ ଖରାପ ଦୃଷ୍ଟିରୁ ଦୋକାନ ଏବଂ ଘର ଉପରେ ପଡିବାକୁ ଦେଇନଥାଏ । ସବୁ ନକାରାତ୍ମକ ଶକ୍ତିକୁ ଗ୍ରହଣ କରିଥାଏ । ବ୍ୟବହାରକାରୀ ଏହାକୁ ରାସ୍ତାରେ ଫିଙ୍ଗିଦେବା ପରେ ତାଙ୍କ ଘର ଓ ଦୋକାନ ନକାରାତ୍ମକ ଶକ୍ତିରୁ ରକ୍ଷା ପାଇଥାଏ । ହେଲେ ରାସ୍ତାରେ ପଡିଥିବା ଏହି ମାଳ ଉପରେ ଆପଣଙ୍କ ଗୋଡ ପଡିଗଲେ ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନକୁ ଆସିଯାଇଥାନ୍ତି । ଫଳରେ ଆପଣଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ରାସ୍ତାରେ ଯିବା ବେଳେ ଯଦି ଲେମ୍ବୁ ଓ ଲଙ୍କା ମାଳ ଉପରେ ନଜର ପଡିବ, ତେବେ ଏହା ଉପରେ ପାଦ ଦେଇ ଯାଆନ୍ତୁନାହିଁ ।


