ଲୋକଙ୍କ ସମସ୍ୟା ବୁଝିବାକୁ ୫ କିମି ଚାଲିଲେ ମନ୍ତ୍ରୀ, ବିଧାୟକ

ଗୁଣପୁର : ଲୋକଙ୍କ ସମସ୍ୟା ବୁଝିବା ଲାଗି ୫ କି.ମି ଚାଲିଚାଲି ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗର ଉପଦେଷ୍ଟା ସୁଧୀର ଦାଶ ଗାଁରେ ପହଞ୍ଚିଥିଲେ । ଆଜି ସେମାନେ ଦୁର୍ଗମ ମାଓପ୍ରବଣ ଅଞ୍ଚଳ ଗୁଡାରୀ ବ୍ଲକର ପେଣ୍ଡିଲି ପଞ୍ଚାୟତର ଲଦ୍ରି ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି । ବିଧାୟକ ଶ୍ରୀ ଗମାଙ୍ଗ ଓ ତାଙ୍କ ସମର୍ଥକ ଗୁଡ଼ାରୀ ବ୍ଲକର ମାଓପ୍ରବଣ ଲଦ୍ରି ଗାଁ ଗସ୍ତ କରି ସାଧାରଣ ଲୋକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ପର୍ଯ୍ୟାୟକ୍ରମେ ସମସ୍ୟାର ସମାଧାନ କରିବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
ସୂଚନା ଥାଉ କି, ଗତ ଶୁକ୍ରବାର ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା (ରାଷ୍ଟ୍ରପାହ୍ୟା) ଶ୍ରୀ ଦାଶ, ଗୁଣପୁର ବିଧାୟକ ଶ୍ରୀ ଗମାଙ୍ଗ ପ୍ରମୁଖ ଗଜପତି-ରାୟଗଡ଼ା ସୀମାନ୍ତ କୁଲିସିଂ ପଞ୍ଚାୟତ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିଥିଲେ । ଏହି ଅବସରରେ କୁଲିସିଂ ଆଶ୍ରମ ସ୍କୁଲର ଅନ୍ତେଃବାସୀଙ୍କ ସହ ଖାଦ୍ୟପେୟ ଓ ଶିକ୍ଷାଦାନ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଗାଁରେ ସ୍ୱାସ୍ଥ୍ୟ ବିଭାଗର ଏକ ସବ ସେଣ୍ଟରକୁ ଉଦଘାଟନ କରିଥିଲେ । ଏହି ଗାଁକୁ ଯିବା ଲାଗି ରାସ୍ତା ନଥିବାରୁ ପାହାଡ଼ିଆ ୫ କିମି ରାସ୍ତା ପାଦରେ ଚାଲି ଗାଁରେ ପହଞ୍ଚିଥିଲେ । ଗାଁରେ ଲୋକଙ୍କ ସହ ବିଭିନ୍ନ ସମସ୍ୟା ସହ ଆଲୋଚନା କରିଥିଲେ । ମୁଖ୍ୟତଃ ରାସ୍ତା ନଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ସାଧାରଣ ବଣ୍ଟନ ସାମଗ୍ରୀ ଆଣିବାରେ ସମସ୍ୟା ସମ୍ପର୍କରେ ଅକଥନୀୟ ଦୁର୍ଦ୍ଦଶା ସମ୍ପର୍କରେ ଗ୍ରାମବାସୀ, ଲୋକ ପ୍ରତିନିଧିଙ୍କୁ ଅବଗତ କରିଥିଲେ । ସ୍ୱାଧୀନତା ପରେ କୌଣସି ବିଧାୟକ, ସାଂସଦ, ମନ୍ତ୍ରୀଙ୍କ ପାଦ ଏହି ଗାଁରେ ପଡ଼ିନଥିଲା । ଆଜି ପ୍ରଥମ ଥର ପାଇଁ ଏହି ନେତାମାନଙ୍କ ପାଦ ପଡ଼ିଥିବା ଗ୍ରାମବାସୀମାନେ କହିଥିଲେ । ଏହି ଗସ୍ତ ବେଳେ ବିଜେଡିର ବରିଷ୍ଠ ନେତା ଗଗନ ଆଚାର୍ଯ୍ୟ, ଗୋଦାବରୀ ରାଉତ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସମ୍ପାଦକ ପିଙ୍କୁ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ଅଶ୍ୱିନୀ ଗମାଙ୍ଗ, ବ୍ଲକ ଅଧ୍ୟକ୍ଷା ଦେବକୀ ଗମାଙ୍ଗ, ମାର୍କ ଦଳବେହେରା, ଇସମାଇଲ୍ଲି ଶବର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ