ଲୋପ ପାଇବାକୁ ବସିଲାଣି ବସନ୍ତ ପଂଚମୀରେ ଶ୍ରୀଫଳ ଓ ଗୁରୁପୂଜନ ପରମ୍ପରା
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ଗୁରୁବାର ସାରା ଓଡ଼ିଶାର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ମହାଆଡ଼ମ୍ବର ସହକାରେ ପାଳନ ହେବ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ପୂଜାତ୍ସୋବ । ପୂର୍ବେ ସରସ୍ୱତୀ ପୂଜାତ୍ସେବରେ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ପୂଜା ପାଳନ କରାଯିବା ସହ ବସନ୍ତ ପଂଚମୀରେ ଶ୍ରୀଫଳ ଧରିବା ଓ ଗୁରୁପୂଜନ ପରମ୍ପରା ରହି ଆସିଥିଲା । ହେଲେ ଗତ କିଛି ବର୍ଷ ହେବ ଗ୍ରାମାଂଚଳ କିମ୍ବା ସହରାଂଚଳରେ ଶ୍ରୀପଂଚମୀ ତିଥିରେ ଶ୍ରୀଫଳ ଧରିବା ଓ ଗୁରୁପୂଜନ ଉତ୍ସବ ପରମ୍ପରା ସମ୍ପୁର୍ଣ୍ଣ ଭାବେ ଲୋପ ପାଇବାକୁ ବସିଲାଣି । ଆଜିକାଲି ଆଉ ଶ୍ରୀପଂଚମୀ ତିଥିରେ ଗାଁ ଦାଣ୍ଡରେ ଜମୁନି ଶିକ୍ଷାର୍ଥୀଙ୍କ ଭିଡ଼ । କେଉଁ ଆବାହମାନ କାଳରୁ ଚଳି ଆସୁଥିବା ଶ୍ରୀଫଳ ଧରା ଓ ଗୁରୁପୂଜନ ପରମ୍ପରା ଏବେ ଏକପ୍ରକାର ଆପଣାଛାଏଁ ବନ୍ଦ ହୋଇଯାଇଛି । ବର୍ଷ ବର୍ଷ ଧରି ଶ୍ରୀପଂଚମୀ ତିଥିର ପୂର୍ବ ଦିବସରେ ବାଦ୍ୟ ବାଜଣାର ତାଳେ ତାଳେ ଫୋଖରୀ କୂଳରେ ଶ୍ରୀଫଳ (ନଡ଼ିଆ) ଲୁଚାଇ ରଖାଯାଉଥିଲା । ଶ୍ରୀପଂଚମୀ ଦିନ ବଡ଼ି ଭୋରରୁ ଫୋଖରୀ କୂଳରେ ଲୁଚାଇ ରଖାଯାଇଥିବା ନଡ଼ିଆକୁ ୫ମ ଶ୍ରେଣୀର ଶିକ୍ଷାର୍ଥୀ ମାନେ ବୁଡ଼ ପକାଇ ଖୋଜୁଥିଲେ । ଫୋଖରୀରେ ବୁଡ଼ ପକାଇ ଯିଏ ଯେଉଁ ଶ୍ରୀଫଳ ପାଇଲା ତାକୁ ପୂଜା ବିଧି ପୂର୍ବକ ଶ୍ରୀଫଳଧାରୀ ମାନଙ୍କ ସହ ୫ମ ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀ ଘରକୁ ଘର ବୁଲି ଗୀତ ଗାଇଥାନ୍ତି । ଶିକ୍ଷାର୍ଥୀଙ୍କ ଘରେ ପଂହଚିବା ପରେ ଶିକ୍ଷାର୍ଥୀଙ୍କ ସମେତ ଅଭିଭାବକ ଗୁରୁଙ୍କ ପାଦ ଛୁଇଁ ପ୍ରଣାମ କରିବା ସହ ଗୁରୁବନ୍ଦନା ଗାଇ ଦକ୍ଷିଣା ପ୍ରଦାନ କରିଥାନ୍ତି । ତେବେ ବିଗତ କିଛି ବର୍ଷ ହେଲା ଏହି ପରମ୍ପରା ଲୋପ ପାଇବାକୁ ବସିଲାଣି ।