ଲୋ ଭୋଲ୍ଟେଜ ଯୋଗୁଁ ଜମିକୁ ମାଡିପାରୁନି ପାଣି ବିଭାଗ ଶୁଣୁନଥିବାରୁ ଚାଷୀଙ୍କ ରାଜରାସ୍ତା ଅବରୋଧ

ନବରଙ୍ଗପୁର,(ୱାଇଏନଏସ): ଲୋଭଲ୍ଟେଜ ସମସ୍ୟା କୁ ନେଇ ରାଜରାସ୍ତାରେ ଚାଷୀଙ୍କ ଆନ୍ଦୋଳନ । ମକା ଚାଷଜମିକୁ ପାଣି ମାଡୁନଥିବା ଯୋଗୁଁ ମକା ଫସଲ ନଷ୍ଟ ହେଇଗଲାଣି। ଲୋ ଭୋଲ୍ଟେଜ ସମସ୍ୟା ଯୋଗୁଁ ମଟର ଚାଲୁନାହିଁ। ଏହାକୁ ନେଇ ଟାଟା ପାୱାର କୁ ଅଭିଯୋଗ କଲେ କେହି ଶୁଣୁ ନାହାଁନ୍ତି ।ଏଭଳି ଅଭିଯୋଗ କରି ନଷ୍ଟ ହୋଇଯାଇଥିବା ମକା ଗଛ ଧରି ରାଜରାସ୍ତା ରେ ବସିଛନ୍ତି ଚାଷୀ।ଘଟଣା ଦେଖିବାକୁ ମିଳିଛି ରାଇଘର ବ୍ଲକ ଅଞ୍ଚଳରେ।ଚାଷୀମାନେ ରାଇଘର ଉମରକୋଟ ରାସ୍ତା ଅବରୋଧ କରି ଟେଣ୍ଟ ମାରି ବସିଥିଲେ ରାସ୍ତା ଉପରେ । ଶତାଧିକ ଚାଷୀ ମକା ଗଛ ଧରି ରାଇଘର ବ୍ଲକର ସରଗୁଲି ନର୍ସରୀ ଛକ ଠାରେ ଏହି ଆନ୍ଦୋଳନ କରିଥିଲେ। ଚାଷୀ ମାନଙ୍କ ଅଭିଯୋଗ ଅନୁସାରେ ଜଳ ସେଚନ ଅଭାବ ଯୋଗୁଁ ବୋରୱେଲ ଉପରେ ଭରସା କରି ମକା ଚାଷ କରିଆସୁଛନ୍ତି ଚାଷୀମାନେ । ତେବେ ଚଳିତ ବର୍ଷ ଏହି ଅଂଚଳରେ ଲୋ ଭୋଲ୍ଟେଜ ଯୋଗୁଁ ଜମିକୁ ପାଣି ମାଡ଼ି ପାରିଲା ନାହିଁ ଯାହା ଫଳରେ ସବୁ ମକା ଗଛ ନଷ୍ଟ ହେବ ସହ ଶୁଖିଗଲାଣି ।କିଛିଦିନ ହବ ରାଇଘର ବ୍ଲକର ବିଭିନ୍ନ ପଂଚାୟତର ଗ୍ରାମ ଗୁଡିକରେ ଲୋ ଭୋଲ୍ଟେଜ ରହିବା ସହ ଅଘୋଷିତ ବିଦ୍ୟୁତ କାଟ ଲାଗି ରହିଛି। ମକା ଚାଷ ସହ ଅନ୍ୟ ଚାଷ କ୍ଷେତକୁ ପାଣି ନ ଦେଇନପାରିବାରୁ ଖରାରେ ଚାଷ ପୋଡି ନଷ୍ଟ ହେବାକୁ ଲାଗିଲାଣି । ଫସଲ ନଷ୍ଟ ହେବା ଦେଖି ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।ରାସ୍ତା ଅବରୋଧ ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକ ରହିଥିଲା।ଯେତେବେଳେ ପର୍ଯ୍ୟନ୍ତ ସମସ୍ୟା ର ସାମଧାନ ହୋଇ ନାହିଁ ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ ଚାଷୀମାନେ।ଏହି ସବୁ ସମସ୍ୟାକୁ ନେଇ ଚାରିଟି ପଞ୍ଚାୟତ ଛେଲିଡ଼ଙ୍ଗରୀ ,କୁମୁଲି ,କଚରାପାରା ,ପାରୁଆ ର ଗ୍ରାମବାସୀ ଏକଜୁଟ ହୋଇ ସରଗୁଲି ନର୍ସରୀ ନିକଟ ଛକ ଠାରେ ଏହାପରେ ସକାଳ ୮ଟା ସମୟରୁ ଆରମ୍ଭ କରିଥିଲେ ରାସ୍ତା ଅବରୋଧ। ଉକ୍ତ ସ୍ଥାନରେ ସକାଳୁ ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀ ଉପସ୍ଥିତ ରହିବା ସହ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଏକ ପ୍ଲାଟୁନ ଫୋର୍ସ ମୁତୟନ କରିଥିଲେ |ସ୍ଥାନୀୟ ତହସିଲଦାର ରିତୁ ସିଂ ଏବଂ ସହକାରୀ ଯନ୍ତ୍ରୀ ସ୍ୱରୂପ କୁମାର ପାତ୍ର ଦିନ ୨ଟା ସମୟରେ ଘଟଣା ସ୍ଥଳରେ ପହଞ୍ଚି ଚାଷୀ ମାନଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ଚାଷୀମାନେ ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନ ହେବ ସେମାନେ ଆନ୍ଦୋଳନ ରୁ ଓହରିବେ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ |ଏହା ମଧ୍ୟରେ ତହସିଲଦାର ସିଂ କହିଥିଲେ ଏମିତି ବସିଲେ କଣ ସମାଧାନ ହୋଇଯିବ ଯାହାକୁ ନେଇ ଚାଷୀ ଭାଇମାନେ ଉତ୍ୟକ୍ତ ହୋଇ ତହସିଲଦାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ । ଚାଷୀ ମାନେ ସନ୍ଧ୍ୟା ପର୍ଯ୍ୟନ୍ତ ନ ଉଠିବାରୁ ପୁନର୍ବାର ଘଟଣା ସ୍ଥଳକୁ ତହସିଲଦାର ଙ୍କ ସହ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଏବଂ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ରାଉତ ପହଞ୍ଚି ଚାଷୀଙ୍କୁ ଆସନ୍ତା କାଲି ସୁଦ୍ଧା ୧୦ ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି ଦିଆଯିବ ବୋଲି ଲିଖିତ ପ୍ରତିଶୃତି ଦେଇଥିବା ସତ୍ୱେ ଚାଷୀ ବିଶ୍ଵାସ କୁ ନେଉନାହାନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଚାଷୀମାନେ ରାସ୍ତା ଅବରୋଧ ହଟାଇ ନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ