ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କଲେ ପ୍ରଶାସନିକ ଅଧିକାରୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଲଘୁଚାପ ଜନିତ ବର୍ଷାରେ ଭଦ୍ରକ ଜିଲା ବନ୍ତ ବ୍ଲକ ବହୁ ପଞ୍ଚାୟତର ଶତାଧିକ ଗ୍ରାମ ଜଳବନ୍ଦୀ ହେବା ସହିତ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି । ଫଳରେ ଚାଷ ଜମିରେ ରୁଆ ଧାନ ପଚି ନଷ୍ଟ ହେବାର ଆଶାଙ୍କା ପ୍ରକାଶ ପାଇଛି । ଏନେଇ ଚାଷୀ ମାନେ ମୁଣ୍ଡରେ ହାତ ଦେଇବସିଛନ୍ତି । ପ୍ରଭାବିତ ଲୋକ ମାନଙ୍କର ବିପତ୍ତି ସମୟରେ ସ୍ଥିତି ଅନୁଧ୍ୟାନ ସହ କ୍ଷୟକ୍ଷତି ଆକଳନ ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ବିଡିଓ ରେବେକା ବିଲୁଙ୍ଗ କେନ୍ଦୁଆପଦା ଓ ଗୋବିନ୍ଦପୁର ପଞ୍ଚାୟତର ଜଳମଗ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହିତ ଚାଷ ଜମିର କ୍ଷୟକ୍ଷତି ଆକଳନ କରିଥିଲେ । ସେହିପରି ତହସିଲଦାର ଇନ୍ଦିରା ସାହୁ କେନ୍ଦୁଆପଦା ପଞ୍ଚାୟତର ଜଳମଗ୍ନ ହୋଇଥିବା ଆମ୍ପୋର ଗ୍ରାମ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି । ଉଭୟ ପ୍ରଶାସନିକ ଅଧିକାରୀ ଜଳମଗ୍ନ ଅଞ୍ଚଳର ସ୍ଥିତି ଓ କ୍ଷୟକ୍ଷତି ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବା ଜଣାଯାଇଛି ।