ଶନିଦେବଙ୍କ ବାର୍ଷିକ ଉତ୍ସବ ଉଦ୍ଯାପିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଘରପଦାସ୍ଥିତ ଶ୍ରୀ ଶ୍ରୀ ଶନିଦେବ ମନ୍ଦିରର ୭ମ ବାର୍ଷିକ ଉତ୍ସବ ଉଦ୍ଯାପିତ ହୋଇଯାଇଛି । ସୋମବାର ଅଧିବାସ, ଅଙ୍କୁରାରୋପଣ, ଜଳଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମର ଧନି ସା ପୁଷ୍କରିଣୀରୁ ୫୪ଟି କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । କୈଳାସ ଚନ୍ଦ୍ର ଚଢେଇ, ଉର୍ମିଳା ଚଢେଇ, ନିହାର ରଞ୍ଜନ ଚଢେଇ ମୁଖ୍ୟ କଳସ ଧାରଣ କରିଥିବା ବେଳେ ଗ୍ରାମବାସୀ ମାନେ ପାଶ୍ୱର୍ କଳସ ଧାରଣ କରିଥିଲେ । ମଙ୍ଗଳବାର ଯଜ୍ଞାରମ୍ଭ, ଗ୍ରହ ଉପଚାର ପୂଜା, ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବସନ୍ତ କୁମାର ମିଶ୍ର ପୂଜା କାର୍ଯ୍ୟ ଓ ଶାନ୍ତନୁ କୁମାର ପଣ୍ଡା, ଦୀଲିପ କୁମାର ଦାଶ, କମଳାକାନ୍ତ ପାଢୀ, ଦୀପ୍ତିକାନ୍ତ ଉପାଧ୍ୟାୟ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ସୋମବାର ମାନସୀ ପାତ୍ର ଓ ସାଥୀଙ୍କ ଦ୍ୱାରା ଭଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୨ ଦିନ ବ୍ୟାପୀ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।