ଶନୀ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିଥିବା ଅଭିଯୋଗରେ ୩ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସକୁ ସଫଳତା ମିଳିପାରିଛି । ସ୍ଥାନିୟ ଶନୀ ମନ୍ଦିରରୁ ହୁଣ୍ଡିଭାଙ୍ଗି ଲୁଟିଥବା ୩ଜଣ ଲୁଟେରାଙ୍କୁ ପାରଳା ପୋଲିସ ଗିରଫ କରିବାରେ ସକ୍ଷମ ହୋଇପାରିଛନ୍ତି । ଘଟଣାରୁ ପ୍ରକାଶ,ଗତ ୧୪ତାରିଖ ରାତ୍ରରେ ଗଜପତି ଷ୍ଟାଡିୟମ ନିକଟରେ ମୁଖ୍ୟ ରାସ୍ତା କଡରେ ରହିଥିବା ଶ୍ରୀ ଶ୍ରୀ ଶ୍ରୀ ରାମେଶ୍ୱର ଶନୀଦେବ ମନ୍ଦିରର ହୁଣ୍ଡି ଭାଙ୍ଗି ଲୁଟ ହୋଇଥିଲା । ଏହି ଘଟଣା ନେଇ ପାରଳା ଆଦର୍ଶ ଥାନାରେ ଲିଖିତ ଆଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ପାରଳା ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଘଟଣା ନେଇ ଅନୁସନ୍ଧାନ କରା ଯାଇ ୩ଜଣଙ୍କୁ ପୋଲିସ ଗତକାଲି ଗିରଫ କରିପାରିଛନ୍ତି । ଏହି ୩ଜଣ ହେଲେ ପାରଳାଖେମୁଣ୍ଡି ରେଲି ସାହିର ରୋହିତ ଶ୍ରୀରାମ(୨୨),କିରଣ ବାଦ୍(୨୫)ଏବଂ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜିରାଙ୍ଗର ବିଶ୍ୱନାଥ ପାଇକ । ପୋଲିସ ଏହି ୩ଜଣ ଲୁଟେରାଙ୍କ ଠାରୁ ହୁଣ୍ଡି ଭାଙ୍ଗି ଲୁଟି ନେଇଥିବା କିଛି ଟଙ୍କା ସହ ମନ୍ଦିରରେ ବ୍ୟବହୃତ କିଛି ପୂଜା ସାମଗ୍ରୀକୁ ମଧ୍ୟ ଜବତ କରିଛନ୍ତି । ଲୁଟେରା ୩ଜଣଙ୍କୁ ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରାଯାଇଛି ।