ଶରଧାବାଲିରେ ଲାଗିଲା ତିନିରଥ
ପୁରୀ: ବହୁ ଦିନରୁ ଚାଲିଥିବା ହଁ, ନାହିଁର ଖେଳ ପରେ ଶେଷରେ ପୁରୀ ବଡ଼ଦାଣ୍ଡରେ ଗଡ଼ିଛି ରଥ। ବିନା ଭକ୍ତରେ ଭାଇ ଭଉଣୀଙ୍କୁ ଧରି ଘୋଷଯାତ୍ରାରେ ଗଲେ କାଳିଆ ସାଆନ୍ତ। ଯାହା କେବେ ହୋଇ ନ ଥିଲା କୋରୋନା ମହାମାରୀ ପାଇଁ ଶାନ୍ତିଶୃଙ୍ଖଳାର ସହିତ ନୂଆ ଇତିହାସ ରଚିଲା ଶ୍ରୀକ୍ଷେତ୍ର। ନିର୍ଦ୍ଧାରିତ ସମୟ ଭିତରେ ରଥଟଣା ହୋଇ ସନ୍ଧ୍ୟାର ଢେର ଆଗରୁ ଗୁଣ୍ଡିଚା ମନ୍ଦିରରେ ଲାଗିଗଲା ତିନିରଥ। ଆଗପଛ ହୋଇ ପ୍ରଥମେ ତାଳଧ୍ବଜ, ଦର୍ପଦଳନ ଏବଂ ଶେଷରେ ଗୁଣ୍ଡିଚା ମନ୍ଦିର ପହଞ୍ଚିଥିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ଆଉ ୩ ଥର ଶରଧାବାଲିରେ ପହଞ୍ଚିବା ପରେ ସେବାୟତଙ୍କ ଗୀତଗୋବିନ୍ଦ ଗାନରେ ପ୍ରକମ୍ପିତ ହୋଇଯାଇଥିଲା ପରିବେଶ। ଚାରିଆଡ଼େ ଖେଳିଯାଇଥିଲା ଆଧ୍ୟାତ୍ମିକତାର ଶୀହରଣ। ଅନ୍ୟପଟେ ଆଜି ରଥ ଉପରେ ରହିବା ପରେ ଆସନ୍ତାକାଲି ଆଡ଼ପମଣ୍ଡପକୁ ବିଜେ କରିବେ ୩ ଠାକୁର।
ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଭକ୍ତଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଛି। କୋଭିଡ୍ କଟକଣା କାରଣରୁ ଘଣ୍ଟଘଣ୍ଟାର ଶବ୍ଦ କମ ଥିଲେ ମଧ୍ୟ ସେବାୟତମାନେ ନିଜ ପ୍ରଭୁଙ୍କୁ ନେଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଯାଇଛନ୍ତି। ଆଜି କୋଭିଡ୍ କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରାଯାଉଛି। ଯେଉଁଥିରେ ଭକ୍ତମାନଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ମିଳିନାହିଁ। କେବଳ ସେବାୟତମାନଙ୍କୁ ନେଇ ମହାପ୍ରଭୁ ନିଜର ନବଦିନାତ୍ମକ ଯାତ୍ରା ଆରମ୍ଭ କରିଛନ୍ତି। କୋରୋନା ମହାମାରୀ ଯୋଗୁ ଭକ୍ତଙ୍କୁ ବଡ଼ ଦାଣ୍ଡ ମନା। ତେଣୁ ନିଜ ସ୍ୱଚକ୍ଷୁରେ ପ୍ରିୟ ଠାକୁରଙ୍କୁ ଦେଖିବାର ସୌଭାଗ୍ୟରୁ ବଞ୍ଚିତ ହୋଇଛନ୍ତି କୋଟି କୋଟି ଶ୍ରଦ୍ଧାଳୁ। ଚଳିତ ବର୍ଷ ରଥ ଉପରେ ପୂର୍ବଭଳି ସେବକ ନ ଥିଲେ କିମ୍ବା ବଡ଼ଦାଣ୍ଡରେ ଭକ୍ତମାନଙ୍କ ଭିଡ଼ ନ ଥିଲା । ଜଣେ ଘଣ୍ଟୁଆ, ଜଣେ ଡାହୁକ ଓ ହାତଗଣତି କେଇଜଣ ସେବକଙ୍କୁ ରଥ ଉପରେ ଦେଖିବାକୁ ମିଳିଥିଲା। ଅଧିକାଂଶ ସେବକ ତଳେ ରହି ପୋଲିସ୍ମାନଙ୍କ ସହିତ ରଥ ଟାଣୁଥିଲେ। ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ତିନିଟାରୁ ମଙ୍ଗଳ ଆଳତୀ ହୋଇଥିବାବେଳେ ସାତଟା ପୂର୍ବରୁ ତିନିଠାକୁର ରତ୍ନସିଂହାସନରୁ ପହଣ୍ଡିରେ ବାହାରିଥିଲେ। ଧାର୍ଯ୍ୟ ସମୟ ଅନୁଯାୟୀ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଟାହିଆ ହଲାଇ ଝୁଲି ଝୁଲି ବାଇସି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର। ପରେ ପରେ ରଥାରୁଢ଼ ହୋଇଥିଲେ ଦେବୀ ସୁଭଦ୍ରା। ଆଉ ଶେଷରେ ଟାହିଆର ଅପୂର୍ବ ଦୋଳନରେ ନନ୍ଦିଘୋଷ ଉପରକୁ ଆସିଥିଲେ ଜଗତଠାକୁର। ରଥ ଉପରେ ୩ ଠାକୁର ବିଜେ ହେବାପରେ ଛେରାପହଁରା ଲାଗି ଗଜପତି ମହାରାଜା ଦିବ୍ୟସିଂହ ଦେବ ଆସିଥିଲେ। ତେବେ ପୂର୍ବବର୍ଷ ଭଳି ଶ୍ରୀନଅରରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଭିଡ଼ ନ ଥିଲା। ରାଜନଅରର ହାତଗଣତି ସେବକଙ୍କ ଗହଣରେ ପାଲିଙ୍କିରେ ବସି ଗଜପତି ଆସିବାପରେ ତିନି ରଥରେ ଛେରାପହଁରା ଓ ଆଳତୀ କରିଥିଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରୁ ତାମଯାନରେ ଆସି ୧୦ଟା ୩୫ରୁ ୧୧ଟା ୪୦ ପର୍ଯ୍ୟନ୍ତ କରିଥିଲେ ଛେରା ପହଁରା। ଏହାପରେ ରଥଗୁଡ଼ିକର ଚାରମାଳ ଫିଟା ଯାଇଥିଲା। ପ୍ରଶାସନର ସବୁଜ ସଙ୍କେତ ପାଇବାପରେ ପୋଲିସ୍ ଓ ସେବାୟତମାନେ ରଥଗୁଡ଼ିକୁ ଟାଣି ନେଇଥିଲେ। ପ୍ରଥମେ ଅପରାହ୍ନ ୩ଟା ୫୨ ମିନିଟ୍ରେ ଗୁଣ୍ଡିଚା ମନ୍ଦିରରେ ଲାଗିଲା ତାଳଧ୍ବଜ ରଥ। ତା’ ପଛକୁ ଅପରାହ୍ନ ୪ଟା ୧୧ରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲେ ଦେବୀ ସୁଭଦ୍ରା। ଶେଷରେ ୫ଟା ୧୦ ମିନିଟ୍ରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିରେ ସମ୍ମୁଖରେ ପହଞ୍ଚିଥିଲା। ରଥ ଶରଧାବାଲିରେ ଲାଗିଲା ପରେ ଦେଖିବାକୁ ମିଳିଥିଲା ଏକ ଭାବବିହ୍ବଳ ଦୃଶ୍ୟ। ସମସ୍ତ ସେବାୟତ ରଥ ସାମ୍ନାରେ ଛିଡ଼ା ହୋଇ ଏକ ସ୍ୱରରେ ଶ୍ରୀଜଗନ୍ନାଥଙ୍କ ଗୀତଗୋବିନ୍ଦ ଗାନ କରିଥିଲେ। ହାତରେ ତାଳି ଦେଇ ବରିଷ୍ଠ ସେବାୟତ ରାମକୃଷ୍ଣ ଦାଶମହାପାତ୍ରଙ୍କ ନେତୃତ୍ବରେ ପିଲାରୁ ବୁଢ଼ା ଯାଏଁ ସବୁ ବୟସର ସେବାୟତ ଅତ୍ୟନ୍ତ ଭାବପୂର୍ଣ୍ଣ ଭାବେ ଗାନ କରିଥିଲେ। କେବଳ ସେବାୟତ ନୁହେଁ, ସେମାନଙ୍କ ସହ ଏହି ଭାବପୂର୍ଣ୍ଣ ମୁହୂର୍ତ୍ତରେ ସାମିଲ୍ ହୋଇଥିଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ.କ୍ରିଷନ୍ କୁମାର।