ଶାନ୍ତିସ୍ତୁପଠାରେ ରାଜ୍ୟସ୍ତରୀୟ ଚିତ୍ରକଳା ଶିବିରସମ୍ବର୍ଦ୍ଧିତ ହେଲେ ୯ଜଣ ବରିଷ୍ଠ ଶିଳ୍ପୀ

ଭୁବନେଶ୍ୱର,(ୱାଇଏନ୍ଏସ୍): ଧଉଳି ଚାରୁକଳା ମହାବିଦ୍ୟାଳୟ ଓ ଅନିଲା ଆର୍ଟ ଫାଉଣ୍ଡେସନ ମିଳିତ ସହଯୋଗରେ ଶାନ୍ତିସ୍ତୁପଠାରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ଜଳରଙ୍ଗ ଚିତ୍ର ଶିବିର ‘ସ୍ୟାଡ଼ୋ ଅଫ୍ ହେରିଟେଜ୍‌’ ଓ ଶିଳ୍ପୀ ସମ୍ବର୍ଦ୍ଧନା ଉତ୍ସବ । ସୁନାମଧନ୍ୟ ସାହିତ୍ୟିକା ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀର କାର୍ଯ୍ୟକାରୀ ସଦସ୍ୟା ଡ. ଶୁଭଶ୍ରୀ ଲେଙ୍କା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ମହାବିଦ୍ୟାଳୟର କାର୍ଯ୍ୟକାରୀ ସଭାପତି ଡ଼. ହୃଷିକେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରାରମ୍ଭରେ ଅଧ୍ୟକ୍ଷ ପଞ୍ଚାନନ ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ମିହିରକାନ୍ତ ପ୍ରହରାଜ ସ୍ୱାଗତ ଭାଷଣ ଦେଇଥିଲେ । ଅନିଲା ଆର୍ଟ ଫାଉଣ୍ଡେସନର ପ୍ରତିଷ୍ଠାତା ଶଶଧର ପତି ଫାଉଣ୍ଡେସନର ଆଭିମୁଖ୍ୟ ବିଷୟରେ ଅବଗତ କରିଥିଲେ । ଉକ୍ତ ଚିତ୍ରକଳା ଶିବିରରେ ଚିତ୍ରଶିଳ୍ପୀ ଗୌରାଙ୍ଗ ବାରିକି, ବୃନ୍ଦାବନ ମହାରଣା, ବିଜୟ ପ୍ରଧାନ, ବିଜୟ କୁମାର ପଣ୍ଡା, ଲିପିଶ୍ରୀ ନାୟକ, ଶ୍ୟାମପ୍ରସାଦ ଟାଲି, ଜନାର୍ଦ୍ଦନ ପରମଗୁରୁ, ଚନ୍ଦନ କୁମାର ସାମଲ, ନୃସିଂହ ନାଥ ନାୟକ, ଅଶୋକ ଦାସ, ମହେଶ ପାଣ୍ଡେ, ନିଶିକଲାଲ ବାରିକ, ମନୋରଞ୍ଜନ ଦାସ, ବିଜୟ ମହାନ୍ତି, ରାଜକିଶୋର ମହାରଣା, ଫିରଦୋସୀ ଭବସୁମ, ଜୟଶ୍ରୀ ଜେନା, ପ୍ରଦୀପ କୁମାର ସାହୁ, ପଞ୍ଚାନନ ସାମଲ, ଶଶଧର ପତି, ଏନ୍‌. ଓଝା ପ୍ରମୁଖ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିକୁ ନେଇ ସୁନ୍ଦର ଚିତ୍ର ଅଙ୍କନ କରିଥିଲେ । ଓଡ଼ିଶା ଲଳିତକଳା ଏକାଡ଼େମୀ ଦ୍ୱାରା ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ ହୋଇଥିବା ଶିଳ୍ପୀଙ୍କ ମଧ୍ୟରୁ ବିଶିଷ୍ଟ ଚିତ୍ରଶିଳ୍ପୀ ଜଗଦିଶ ଚନ୍ଦ୍ର କାନୁନଗୋଙ୍କୁ କଳା ମଉଡ଼ମଣି ସମ୍ମାନ, ବିନୋଦ ମହାରଣାଙ୍କୁ କଳା ଶିରୋମଣି ସମ୍ମାନ, ଶରତ କୁମାର ରଥଙ୍କୁ ମରଣୋତ୍ତର ଭାବେ କଳା ଚୁଡ଼ାମଣି ସମ୍ମାନ, ବୃନ୍ଦାବନ ମହାରଣାଙ୍କୁ ଚିତ୍ର ମନ୍ଦାକିନୀ ସମ୍ମାନ, ଅଲେଖ ଚରଣ ସାହୁଙ୍କୁ ଯଶସ୍ୱୀ କଳା ଐତିହାସିକ ସମ୍ମାନ, ଝୁନେନ୍ଦ୍ର ପଟ୍ଟନାୟକଙ୍କୁ ଚିତ୍ରଯୋଗୀ ସମ୍ମାନ, ଗୌରାଙ୍ଗ ବାରିକିଙ୍କୁ ଚିତ୍ର ବସନ୍ତ ସମ୍ମାନ ପ୍ରଦାନ କରାଯାଇଥିଲା । ପରେ ପରେ ମଞ୍ଚଶିଳ୍ପୀ ସଂଗ୍ରାମ ମହାରଣାଙ୍କୁ ଅଭିନ୍ନ ମଞ୍ଚଶିଳ୍ପୀ ପ୍ରତିଭା ସମ୍ମାନ ଓ ଚିତ୍ରଶିଳ୍ପୀ ପଞ୍ଚାନନ ସାମଲଙ୍କୁ ଅନିଲା କଳା ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଶିବିରରେ ଅଂଶଗ୍ରହଣ କରିଥିବା ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ପରେ ପରେ ଅଧ୍ୟାପିକା ମଧୁସ୍ମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଶିବିରରେ ପ୍ରଦର୍ଶିତ ଚିତ୍ରଗୁଡ଼ିକୁ ଅତିଥି ଓ ଛାତ୍ରଛାତ୍ରୀମାନେ ଅବଲୋକନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ