ଶାବର ଶ୍ରୀକ୍ଷେତ୍ର ପଞ୍ଚବଟୀରେ ଦୟଣା ବଗିଚା ଉଦ୍ଘାଟନ
କୋରାପୁଟ,(ହେମନ୍ତ ପାଣିଗ୍ରାହୀ):ଶ୍ରୀକ୍ଷେତ୍ର ଦୟଣା ସେବା ଟ୍ରଷ୍ଟଙ୍କର ପ୍ରୋତ୍ସାହନରେ କୋରାପୁଟ ଶାବର ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର ସଂସ୍ଥାର ଥିବା ପଞ୍ଚବଟୀ ଉଦ୍ୟାନରେ ଦୟଣା ବଗିଚାର ଶୁଭାରମ୍ଭ କରାଯାଇଛି। ତୁଳସୀ ପରି ଦୟଣା ମଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅତିପ୍ରିୟ ଦେହଲାଗି ଉପାଦେୟ ପତ୍ର। ପ୍ରତିଦିନ ତୁଳସୀ ମାଳ ସହିତ ଦୟଣା ମାଳ ମଧ୍ଯ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଲାଗି କରା ଯାଇଥାଏ। ଓଡ଼ିଶାରେ ଦୟଣା ଉତ୍ପାଦନକୁ ପ୍ରୋତ୍ସାହନ ଦେବା ନିମନ୍ତେ ଶ୍ରୀକ୍ଷେତ୍ର ଦୟଣା ସେବା ଟ୍ରଷ୍ଟ ସର୍ବଦା ତପ୍ତର। କୋରାପୁଟର ଜଳବାୟୁ ଓ ପରିବେଶ ଦୟଣା ଉତ୍ପାଦନ ପାଇଁ ଅନୂକୁଳ ହୋଇଥିବା ଜାଣି ଶ୍ରୀକ୍ଷେତ୍ର ଦୟଣା ସେବା ସଂସ୍ଥା ଶାବର ଶ୍ରୀକ୍ଷେତ୍ର କର୍ମକର୍ତ୍ତାଙ୍କୁ ଅନୁରୋଧ କରିବାରୁ ଏ ମହତ କାର୍ଯ୍ୟ ହାତକୁ ନେବାକୁ ମନ୍ଦିର ପ୍ରଶାସନ ଆଗ୍ରହ ପ୍ରକାଶ କରିଛି। ଏହି ଉପଲକ୍ଷେ ତାମିଲନାଡୁର ସାଲେମ୍ରୁ ଦୟଣା ଚାଷର ବିଶେଷଜ୍ଞ ଏମ୍.ସି.ପି.ମୋହନ ସୁନ୍ଦରମ କୋରାପୁଟ ଆସି ଡିସେମ୍ବର ୯ ଓ ୧୦ ତାରିଖ ଦୁଇଦିନ ଧରି ପଞ୍ଚବଟୀ ବଗିଚାରେ ଦୟଣା ଚାରା ଉତ୍ପାଦନ ନିମନ୍ତେ ପଟ୍ଟାଳୀ ପ୍ରସ୍ତୁତି ସହିତ ଦୟଣା ମଞ୍ଜି ବୁଣି ଏହି ବଗିଚାର ଶୁଭାରମ୍ଭ କରିଛନ୍ତି। ଦୟଣା ଗଛ ବଢ଼ିଗଲା ପରେ ଏହାର ପତ୍ରକୁ କୋରାପୁଟରୁ ପୁରୀ ଶ୍ରୀକ୍ଷେତ୍ରକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅଙ୍ଗଲାଗି ନିମନ୍ତେ ପଠାଯିବ ଓ କୋରାପୁଟ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ସେବାରେ ମଧ୍ୟ ଲାଗିବ ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟ ଭବାନୀ ଶଙ୍କର ଆଚାର୍ଯ୍ୟ ଗଣ ମାଧ୍ୟମ ଆଗରେ ପ୍ରକାଶ କହିଛନ୍ତି।