ଶାରଦା ବିଦ୍ୟାମନ୍ଦିରରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା); ଭଣ୍ଡାରିପୋଖରୀ ବ୍ଲକ ଶାରଦା ବିଦ୍ୟାମନ୍ଦିର ଠାରେ ସର୍ବପଲ୍ଲୀ ରାଧାକ୍ରୀଷ୍ଣଙ୍କ ଜନ୍ମ ଜୟନ୍ତୀ ଅବସରରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ଏହା ସହିତ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ସମ୍ବର୍ଦ୍ଧନା ପର୍ବ ମଧ୍ୟ ଆୟୋଜନ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୈରୀ ହାଇସ୍କୁଲ ପ୍ରଧାନଶିକ୍ଷକ ଡ. ଆଶୁତୋଷ ବଳ, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ପାଲାଗାୟକ ବିଶ୍ୱମ୍ବର ନାଥ, ମୁଖ୍ୟ ବକ୍ତାଭାବେ ବରିଷ୍ଠ ଗୁରୁଜୀ ସୁଶାନ୍ତ ସେନାପତି, ଆଚାର୍ଯ୍ୟ ନିର୍ମଳ ସେନାପତି ପ୍ରମୁଖ ଯୋଗଦେଇ ଗୁରୁପରମ୍ପରା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଗୁରୁଣାଂ ଗୁରୁ ବୈଦିକ ପ୍ରଥା ଅନୁଯାୟୀ ଶିକ୍ଷକ ଆଶୁତୋଷ ବଳ ଓ ବିଶ୍ୱମ୍ବର ନାଥଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ, ପୁଷ୍ପଗୁଚ୍ଛ, ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରାରମ୍ଭରେ ଗୁରୁମା ଅନୁସୟା ସାହୁ ଓ ବିଶ୍ୱପ୍ରଭା ପଲେଇ ମାନପତ୍ର ପାଠ କରିଥିବାବେଳେ ଗୁରୁଜୀ ଚିତ୍ତରଞ୍ଜନ ନାୟକ ଅତିଥିପରିଚୟ ଓ ସ୍ୱାଗତଭାଷଣ ପ୍ରଦାନ କରିଥିଲେ । ଏହା ସହିତ ଛାତ୍ରଛାତ୍ରୀମାନଙ୍କ ତରଫରୁ ଗୁରୁ ପୂଜନ ଅନୁଷ୍ଠିତ ହୋଇଥିଲା । ସୁଜାତା ପଣ୍ଡା ଧନ୍ୟବାଦ ଦେଇଥିବାବେଳେ କାର୍ଯ୍ୟକ୍ରମକୁ ରଶ୍ମିତା ରାଉତ, ସ୍ନେହଲତା ମହାନ୍ତି, ଗଙ୍ଗାଧର ପଳତା, ଦିଲ୍ଲିପ ଜେନା, ପ୍ରତିଭା ନାୟକ, କବିତା ତ୍ରିପାଠୀ, କୁଞ୍ଜଲତା ସେନାପତି, ଅର୍ପିତା ନାୟକ, ପ୍ରଜ୍ଞାପରମିତା ବେହେରା ପ୍ରମୁଖ ପରିଚାଳନା କରିଥିଲେ । ଗୁରୁ ସମ୍ବର୍ଦ୍ଧନା ପର୍ବକୁ ଶିକ୍ଷାବିତ ପବନ କୁମାର ନାୟକ ସଂଯୋଜନା କରିଥିଲେ ।


