ଶାସଙ୍ଗ ଗାଁରେ ଧାନ ଫସଲ ବ୍ୟାପକ କ୍ଷତିଗ୍ରସ୍ଥ , ତହସିଲଦାରଙ୍କୁ ଦାବିପତ୍ର ଦେଲେ ଚାଷୀ
ହାଟଡ଼ିହି, : ବୁଲବୁଲ ବାତ୍ୟାର ପ୍ରଭାବରେ ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ଧାନ ଚାଷ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି । ଏହି ଗାଁରେ ଶତପ୍ରତିଶତ ଲୋକ ଧାନ ଚାଷ ଉପରେ ନିର୍ଭର କରୁଥିବାବେଳେ ବୁଲ ବୁଲ ବାତ୍ୟା ଦ୍ୱାରା ଚାଷ ସମ୍ପୁର୍ଣ୍ଣ ଉଜୁଡି ଯିବାକୁ ବସିଛି । ଏକର ଏକର ଧାନଗଛ ସବୁ ମାଟିରେ ମିଶିଯାଇଛି । ଏହା ତଳିଆ ଅଞ୍ଚଳ ହୋଇଥିବାବେଳେ ଚଳିତବର୍ଷ ଧାନଚାଷ ଭଲ ଭଲ ହୋଇଥିଲା । ଏପରିକି ଭଲ ଅମଳ ହେବାର ମଧ୍ୟ ଆଶା ରଖିଥିଲେ ଚାଷୀମାନେ । ଏହା ତଳିଆ ଅଞ୍ଚଳ ହୋଇଥିବାରୁ ସାମନ୍ୟ ବର୍ଷାହେଲେ ପାହାଡରୁ ପାଣି ଆସି ଏକର ଏକର ଜମି ଜଳମଗ୍ନ ହୋଇଯାଇଥାଏ । ଅକ୍ଟୋବର ମାସ ୨୫ରେ ସୃଷ୍ଟି ଲଘୁଚାପର ପ୍ରଭାବରେ ପ୍ରାୟ ପ୍ରତ୍ୟେକ ଜମିରେ ପାଣି ଭରପୁର ହୋଇଯାଇଥିଲା । ଜଳ ନିସ୍କାସନର କୌଣସି ସୁବିଧା ନଥିବାରୁ ବିଲ ମାନଙ୍କରେ କିଆରୀ କିଆରୀ ପାଣି ଥିବାବେଳ ବୁଲବୁଲ ବର୍ଷାରେ ଧାନଗଛ ସବୁ ପଡିଯିବାରୁ ଗାଁରେ ବ୍ୟାପକ ଧାନଫସଲ ନଷ୍ଟ ହୋଇଯାଇଛି । ଏପରିକି ଅଗପଚା ଦେଉଥିବା ଧାନସବୁ ପାଣିରେ ବୁଡି ପଚିବାକୁ ଆରମ୍ଭ କରିଥିବାବେଳେ ଫୁଲ ଖୋଳଉଥିବା ଧାନ ତଳେ ପଡିଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ଆଜି ବୈକୁଣ୍ଠ ପାଢ଼ୀ, ସଞ୍ଜିବ କୁମାର ସ୍ୱାଇଁ, ପ୍ରାଣବଲ୍ଲବ ବିଶ୍ୱାଳ, ଦୁର୍ଯ୍ୟୋଧନ ବିଶ୍ୱାଳ, ନାରାୟଣ ସାହୁ, ରବିନ୍ଦ୍ର ସାହୁ, ଦୀପକ କୁମାର ସୁବୁଦ୍ଧିଙ୍କ ସମେତ ଅନେକ ଚାଷୀ ଏନେଇ ତହସିଲଦାରଙ୍କୁ ଏକ ସ୍ମାରକପତ୍ର ଦେଇ ଚାଷୀ ମାନଙ୍କ କ୍ଷୟକ୍ଷତି ଆକଳନ କରିବାକୁ ନିବେଦନ କରିଛନ୍ତି ।


